jayashree

ଲାଠୋର ରେଞ୍ଜ ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆଙ୍କ ଆତଙ୍କରାଜ : ଲକ୍ଷ ଲକ୍ଷ ଟଙ୍କାର କାଠ ଚୋରି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅଧିନସ୍ଥ ସଂରକ୍ଷିତ ଜଙ୍ଗଲରେ ଚାଲିଛି କାଠ ମାଫିଆଙ୍କ ଆତଙ୍କରାଜ । ବେଇଆଇନ ବେଧଡକ ଭାବେ କାଠ ମାଫିଆମାନେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ କାଟି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଏହି ଆନ୍ତରାଜ୍ୟ କାଠ ମାଫିଆମାନେ ଜଙ୍ଗଲକୁ ସଫା କରିବାକୁ ବସିଲେଣି । ଏହା ଛଡା ବନ୍ୟଜନ୍ତୁ ଶିକାର କରି ଦାନ୍ତ, ଚମଡା, ମାଂସ ମଧ୍ୟ ଏହି ଆନ୍ତରାଜ୍ୟ ଲୁଟେରାମାନେ ଚାଲାଣ କରୁଥିବାର ଅନେକ ସମୟରେ ଦେଖିବାକୁ ମିଳିଛି । ଯାହାକି କିଛି ଜାଣି ପାରୁ ନାହିଁ ବନ ବିଭାଗ କିମ୍ବା କାଠ ମାଫିଆଙ୍କ ସହିତ କିଛି ମଧୁଚନ୍ଦ୍ରିକା ଅଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଅଧିନ ଲାଠୋର ବନାଞ୍ଚଳ ଅନ୍ତର୍ଗତ ବେନ୍ଦେର ସଂରକ୍ଷିତ ଜଙ୍ଗଲରେ । ଦୀର୍ଘ ଦିନ ହେବ ଆନ୍ତରାଜ୍ୟ କାଠ ମାଫିଆମାନେ ଏହି ଅଭୟାରଣ୍ୟରୁ ବେଆଇନ ବେଧଡକ ଭାବେ ବହୁ ମୂଲ୍ୟବାନ ଗଛ କାଟି ଚାଲାଣ କରିବାରେ ଲାଗିଛନ୍ତି । ଗତ ୧୪ ତାରିଖ ଶନିବାର ରାତିରେ ବେନ୍ଦେର ସଂରକ୍ଷିତ ଜଙ୍ଗଲରୁ କିଛି କାଠ ମାଫିଆ ରାତି ଅଧରେ ଗୋଟିଏ ପିକ୍‌ଅପ୍‌ ମାଧ୍ୟମରେ ୩୨ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଚୋରା ଚାଲାଣ କରୁଥିବା ବେଳେ କରଲାକୁଟୁନା ଗ୍ରାମବାସୀ ତାଙ୍କୁ ଅଟକାଇ ବନବିଭାଗକୁ ଖବର ଦେଇଥିଲେ କିନ୍ତୁ ବନବିଭାଗ ଘଟଣାସ୍ଥଳରେ ସକାଳ ୫ଟାରେ ପହଞ୍ଚିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କାଠ ଚୋରା ଚାଲାଣ ହେଉଥିବା ଭେନ୍‌ରେ କପସିପାଲି, ଭାଲୁଡୁଙ୍ଗରି ଏବଂ କରଲାକୁଟୁନା ଗ୍ରାମର ପାଖାପାଖି ୧୦ ଜଣ ଲୋକ ଥିଲେ । କିନ୍ତୁ ବନବିଭାଗ ପିକଅପ ଭେନର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ କାଠ ମାଫିଆ ମାନେ ବାହାରେ ବୁଲୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଅନ୍ୟ ଅଭିଯୁକ୍ତମାନଙ୍କ ନାମ ବନବିଭାଗ ପାଖରେ ଥିଲେ ମଧ୍ୟ ଦୁଇ ଦିନ ହେଲା କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ । ଅନ୍ୟ ପଟରେ ଜଙ୍ଗଲରେ ଏତେ ମାତ୍ରାରେ ମୂଲ୍ୟବାନ ଗଛ କଟାହୋଇ ପଡ଼ିରହିଛି କିନ୍ତୁ ବନବିଭାଗ ପାଖରେ କୌଣସି ଖବର ନାହିଁ ଏଥିରୁ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ସନ୍ଦେହ ଜାତ ହୋଇଛି । ଲାଠୋର ବନ ବିଭାଗର ନିସ୍କ୍ରିୟତା ଯୋଗୁିଁ କାଠ ମାଫିଆମାନେ ବେନ୍ଦେର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ନିଜର ଆତଙ୍କରାଜ ଚଳାଇଛନ୍ତି । ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛ ଶାଗୁଆନ, କେନ୍ଦୁ, ଖଇର, ବିଜା, ରେଙ୍ଗାଲ ଭଳି ଗଛ ଚାଲାଣ କରୁଛନ୍ତି । କିନ୍ତୁ ବନ ବିଭାଗ ଏହା କିପରି ଜାଣିପାରୁ ନାହିଁ ତାହା ବର୍ତ୍ତମାନ ସମୟରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ରାଜ କୋଷରୁ କୋଟି କୋଟି ଟଙ୍କା ଅଭୟାରଣ୍ୟ ତଥା ବନ୍ୟଜନ୍ତୁଙ୍କୁ ସୁରକ୍ଷା ଉଦ୍ଦେଶ୍ୟରେ ବ୍ୟୟ ବରାଦ ହେଉଥିବା ବେଳେ ଏଭଳି ଚିତ୍ର ସାଧାରଣରେ ସାମ୍ନାକୁ ଆସିବା ପରେ ବନ ବିଭାଗ ଓ କାଠ ମାଫିଆଙ୍କ ମଧ୍ୟରେ ଥିବା ଭିତିରି ସମ୍ପର୍କର ଗୁମର ଖୋଲିଦେଇଛି ବୋଲି ଲୋକେ ଚଚ୍‌ର୍ଚ୍ଚା କରୁଛନ୍ତି । ଏ ବାବଦରେ ବନ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କାହା ପାଖରୁ ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ ।

Leave A Reply

Your email address will not be published.