ଗୃହପାଳିତ କୁକୁର ପାଇଁ ବିଏମ୍‌ସି ପକ୍ଷରୁ କଟକଣା ଜାରୀ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଷା କୁକୁରକୁ ନେଇ ରାଜଧାନୀରେ ତୁମୁଳକାଣ୍ଡ ହେବା ପରେ ଆକ୍ସନ ମୋଡରେ ବିଏମସି । ଏଣିକି ଗୃହପାଳିତ ପଶୁ ରଖିବାକୁ ହେଲେ ବିଏମସିରୁ ନେବାକୁ ପଡିବ ଅନୁମତି । ବିଏମସିରେ କରିବାକୁ ପଡିବ ପଞ୍ଜିକରଣ । ଆସନ୍ତା ସପ୍ତାହ ସୁଦ୍ଧା ଆସିବ ନୂଆ ଗାଇଡଲାଇନ । ପଶୁ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି କି ନାହିଁ ସେ ନେଇ ତଦାରଖ କରିବ ବିଏମସି । ପଶୁର ପ୍ରକୃତି କେମିତି, ଏନେଇ ପଶୁ ଡାକ୍ତରଙ୍କଠାରୁ ସାର୍ଟିଫିକେଟ ନେବାକୁ ପଡିବ । ଏନେଇ ଡ୍ରାଫଟିଂ ପ୍ରକ୍ରିୟା ସରିଥିବା କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ଗୃହପାଳିତ ପଶୁ ରଖିବା ନେଇ ବିଏମସି ସ୍ୱତନ୍ତ୍ର ଗାଇଡଲାଇନ ଆଣିବାକୁ ଯାଉଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି, ରାଜନେତା ତଥାଗତ ଶତପଥୀ । ଘରେ କୁକୁର ରଖିବା ତାଙ୍କର ବି ସୌକ । ତେବେ ଗୋଟିଏ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ବିଏମସି ସମସ୍ତଙ୍କ ଉପରେ କଟକଣା ନଲଗାନ୍ତୁ ବୋଲି ସେ କହିଛନ୍ତି । କୁକୁର ହିଂସ୍ର ହେବା ପଛରେ କୁକୁର ମାଲିକ ଦାୟୀ । ଯେଉଁମାନେ କୁକୁରକୁ ଠିକ୍ ଭାବେ ପାଳନ କରିପାରୁନାହାନ୍ତି ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇବାକୁ କହିଛନ୍ତି ତଥାଗତ ଶତପଥୀ । ତେବେ ରାଜଧାନୀରେ ବିଦେଶୀ କୁକୁରଙ୍କ ଚାହିଦା ବଢୁଥିବାବେଳେ ବେଆଇନ ଭାବେ ଅନେକ ଲୋକ କୁକୁର ବେପାର ଚଳାଇଛନ୍ତି । କେବଳ ବ୍ୟବସାୟ ନୁହଁ, ବେଆଇନ ଭାବେ କୁକୁରଙ୍କ ବଂଶ ବଢ଼ାଉଥିବା ନଜରକୁ ଆସୁଛି । ସୂଚନା ଅନୁସାରେ, ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳରେ ରମେଶ ଦାସ ସରକାରୀ ଜାଗାରେ କୁକୁର ରଖିଥିବା ବେଳେ ବେଆଇନ ନିର୍ମାଣ ପାଇଁ ଘର ଭାଙ୍ଗିଦେଇଛି ବିଡିଏ । ଏବେ ବାଲିଅନ୍ତା ସ୍ଥିତ ରଙ୍ଗବଜାର ପାଖରେ ଏକ ଅସ୍ଥାୟୀ ଘରେ ସେ ରଖିଛନ୍ତି ୫୦ କୁକୁର । ୨୦ ବର୍ଷରୁ ଅଧିକ ହେବ କୁକୁର ରଖି ଆସୁଥିବା ରମେଶ ବିନା ପ୍ରଶିକ୍ଷଣରେ ବିନା ଲାଇସେନ୍ସରେ କୁକୁରଙ୍କ ବଂଶ ବିସ୍ତାର କରାଇ ଆସୁଛନ୍ତି । ତେବେ ଏଥିପାଇଁ କାହାର ଅନୁମତିର ଦରକାର ନାହିଁ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ଭୁବନେଶ୍ୱରରେ ଏକ ପ୍ରାଇଭେଟ କଲୋନୀରେ ଗୋଟେ ପୋଷା କୁକୁର ଗୋଟେ ଛୁଆକୁ କାମୁଡିବା ପରେ କୁକୁର ପୋଷିବା ନେଇ ତେଜିଛି ବିବାଦ । ଆଉ ଏହାର ଭିତରେ କୁକୁର ରଖିବା ଆଳରେ ବେଆଇନ କୁକୁର ରଖିବା ଓ ବଂଶ ବିସ୍ତାର କରି ତାକୁ ବିକ୍ରି କରୁଥିବା ଅନେକ ବେପାରୀଙ୍କ କାରନାମା ବି ସାମ୍ନାକୁ ଆସୁଛି ।

Leave A Reply

Your email address will not be published.