୧୪ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନୱାଡି କର୍ମୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ଆବାହକ ପ୍ରଶାନ୍ତ ପାଢି ଓ ଜିଲ୍ଲା ସଭାପତି ମମତା ଶତପଥିଙ୍କ ଆହ୍ୱାନ କ୍ରମେ ଶହ ଶହ ଅଙ୍ଗନୱାଡି କର୍ମୀ ଓ ସହାୟିକା ଏକ ଶୋଭାଯାତ୍ରାରେ ଆସି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରକାରୀ ନୀତି ବିରୁଦ୍ଧରେ ନାରାବାଜୀ କରିବା ସହ ୧୪ ଦଫା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଜିଲ୍ଲାପାଳ ଚଂଚଳ ରାଣା ସମସ୍ତ ଦାବୀ ଶୁଣିବା ପରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ସ୍ଥାନୀୟ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ସହିତ ଦାବୀ ଗୁଡିକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପଠାଇବେ ବୋଲି କହିଥିଲେ । ଜିଲ୍ଲାପାଳଙ୍କ ବୁଝା ସୁଝା ପରେ ଆନ୍ଦୋଳନକାରୀ ଧାରଣାରୁ ଓହୋରି ଯାଇଥିଲେ । ତେବେ ବିଗତ ବିଭିନ୍ନ ଆନ୍ଦୋଳନ ପରି ସରକାର ଏହି ଦାବୀ ଗୁଡିକୁ କର୍ଣ୍ଣପାତ ନକଲେ ଆଗକୁ ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି ସଂଘ ଚେତାଇ ଦେଇଛି । ସୂଚନାରୁ ପ୍ରକାଶ ଯେ, କର୍ମଚାରୀଙ୍କ ଅନୁପସ୍ଥିତିରେ ସରକାର ଅଙ୍ଗନୱାଡି ଓ ସହାୟତା କର୍ମୀମାନଙ୍କ ଉପରେ ବିଭିନ୍ନ ବିଭାଗର କାମର ବୋଝ ଲଦି ଦେଉଛନ୍ତି । ସମାନ କାମ କରୁଥିବା ସରକାରୀ କର୍ମଚାରୀମାନେ ମୋଟା ଦରମା ସାଙ୍ଗକୁ ପ୍ରମୋସନ, ପେନସନ, ଛୁଟି, ଇନ୍ସୁରାନ୍ସ ସହିତ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଉଥିବା ବେଳେ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସମାନ କାମ କରି କେବଳ ହାତଗଣତି କିଛି ଭତ୍ତା ଦିଆ ଯାଉଛି । ବର୍ଷ ବର୍ଷ ଧରି ଖୋଦ ସରକାର ସେମାନଙ୍କ ଦାବୀକୁ ବେଖାତିର କରି ସେମାନଙ୍କୁ ଶୋଷଣ କରି ଚାଲୁଥିବା ବେଳେ ଏବେ ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ସେମାନଙ୍କ ହକ୍‌ର ୧୪ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଜିଲ୍ଲା ସଂପାଦିକା ଗୌରୀ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ଦାବୀପତ୍ରରେ ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି ଶିକ୍ଷୟିତ୍ରୀ ମାନ୍ୟତା, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ସରକାର କର୍ମଚାରୀ ମାନ୍ୟତା, ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ସେମାନଙ୍କ ନୂଆଁ ପ୍ରମୋସନ ନୀତି, ସରକାରୀ କର୍ମଚାରୀଙ୍କ ଭଳି ସିଏଲ୍‌, ଇଏଲ ଓ ସିକ୍‌ ଲିଭ, ମାସିକ ୨୧ ହଜାର ଦରମା ଓ ୧୦ ହଜାର ପେନସନ୍‌, କର୍ମୀମାନଙ୍କୁ ପିଏଫ୍‌, ଇଏସଆଇ ଭଳି ସମାଜିକ ସୁରକ୍ଷା, ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ପ୍ରି ପ୍ରାଇମେରି ସ୍କୁଲ ମାନ୍ୟତା ଦେବା ଆଦି ୧୪ ଦଫା ଦାବୀ ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସଂପାଦିକା ପ୍ରଭାସିନୀ ପାଢି, ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ, ଧନମତି ଛେତ୍ରୀ, ଜ୍ୟୋତିର୍ମୟୀ ଚାଟାର୍ଜୀ, ରେବତୀ କମ୍ଭାର, ଭୁଜମତି ନାଗ, ପ୍ରଣତିମୟୀ ମିଶ୍ର, ଦେବକି ପଟ୍ଟନାୟକ, ମୀନା ବଗର୍ତ୍ତୀ, ବିମଳିନୀ ନାଗ, ଉପଦେଷ୍ଟା ମହେନ୍ଦ୍ର ଦର୍ଜୀ, ବାଳକୃଷ୍ଣ ଷଡଙ୍ଗୀ ଓ ଅନଙ୍ଗ ଠାକୁରଙ୍କ ସମେତ ଶତାଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକା ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!