ଚିରନ୍ତନ ଧାନ ଉତ୍ପାଦନ ଯୋଜନା ସମ୍ପର୍କିତ ସହଭାଗୀ ପରାମର୍ଶ କର୍ମଶାଳା

ବରଗଡ, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପରିସ୍ଥିତିରେ ଧାନ ଚାଷରେ ଅନାବଶ୍ୟକ ସତ୍ତ୍ୱେ ଅଧିକ ପରିମାଣରେ ପାଣିର ବ୍ୟବହାର ଯୋଗୁଁ ବ୍ୟାପକ ପରିମାଣରେ ମିଥେନ୍ ଗ୍ୟାସ ଚାଷ ଜମିରୁ ବାୟୁ ମଣ୍ଡଳକୁ ନିର୍ଗତ ହୋଇ ବିଶ୍ଵ ତାପମାତ୍ରା ବୃଦ୍ଧି ଘଟାଉଛି । ଏହି ପରିପ୍ରେକ୍ଷୀରେ ମିଥେନ ଗ୍ୟାସ ନିର୍ଗତକୁ ଚାଷ ଜମିରୁ ହ୍ରାସ କରିବା ପାଇଁ ସ୍ଥାନୀୟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଗତକାଲି କୋର କାର୍ବନ ସଲୁସନ ପ୍ରାଇଭେଟ୍ ଲିମିଟେଡ୍ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୋର କାର୍ବନ ଚିରନ୍ତନ ଧାନ ଉତ୍ପାଦନ ଯୋଜନା ଅନ୍ତର୍ଗତ ସହଭାଗୀ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା, ବରଗଡ଼ କୃଷି ଜିଲ୍ଲା ଅଧିକାରୀ ଅଶୋକ କୁମାର ଅମାତ, ସୋହେଲା ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦାସ, ଉପପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାନ୍ତି, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ବରିଷ୍ଠ ଶିଳ୍ପ ପ୍ରୋତ୍ସାହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା, କୋର କାର୍ବନ ସଲୁସନ୍‌ର ରାଜ୍ୟ ମୁଖ୍ୟ ଅପର୍ତି ସେଠୀ, ପ୍ରକଳ୍ପ ଅଧିକାରୀ ସ୍ମୃତି ରଞ୍ଜନ ସେଠୀ, ବରିଷ୍ଠ ପରିଚାଳକ ସରୋଜ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଚିରନ୍ତନ ଧାନ ଉତ୍ପାଦନ ଯୋଜନାରେ ଚାଷୀଙ୍କୁ ସାମିଲ କରିବାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲାର ବରପାଲି ବ୍ଲକରେ ୫୦୦୦ ହେକ୍ଟର ଜମିକୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଚାଷୀ ଏକର ପିଛା ୮୦୦ ଟଙ୍କା କମ୍ପାନୀ ତରଫରୁ ପ୍ରୋତ୍ସାହନ ରାଶି ପାଇବା ସଙ୍ଗେ ସଙ୍ଗେ ମାଟିର ଉର୍ବରତା ଓ ଅମଳ ବୃଦ୍ଧିରେ ଚିରନ୍ତନ ଭାବେ ସହାୟକ ହେବେ । ଏହି କାର୍ଯ୍ୟକ୍ରମରେ ବରପାଲି ବ୍ଲକର ପଞ୍ଚାୟତ ପ୍ରତିନିଧି, ଅଗ୍ରଣୀ ଚାଷୀ, କୃଷି ଅଧିକାରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନର କୃଷି ବିଶେଷଜ୍ଞ ମିହିର ରଞ୍ଜନ ସାଗର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଉପସଭା ନେତ୍ରୀ ରୋଜାଲିନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଓ ବ୍ଲକ ସଂଯୋଜକ ସୁବୋଧ କୁମାର ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.