ରାଉରକେଲା, (ସସ୍ମିତା ପ୍ରଧାନ) : ଉଚ୍ଚ ଶିକ୍ଷିତ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା, କୌଶଳ ତଥା ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ସଂପର୍କୀତ ଦିନିକିଆ କର୍ମଶାଳା ରାଧିକା ରିଜେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟଅତିଥି, ଏଆଇଟିର ପ୍ରଫେସର ଡଃ ରାମକୃଷ୍ଣ ବିଶ୍ବାଳ ଓ ଆପେଲ ଓଡିଶା ଶାଖାର ସଭାପତି ଉମେଶ କୁମାର ନାୟକ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଥିଲେ । ସ୍ବାଭିମାନ ଭୁବନେଶ୍ବର, ଓଡିଶା ରାଜ୍ୟ ଭିନ୍ନକ୍ଷମ ଶାଖା, ଆସୋସିଏସନ୍ ଅଫ ପିପୁଲ ଆପ୍ଲିକେସନ୍ ବାୟ ଲେପର୍ସି, ଓଡିଶା ରାଜ୍ୟ ଲେପର୍ସି ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାକୁ ମୁଖ୍ୟଅତିଥି ଶ୍ରୀ ଚାଟାର୍ଜୀ ଉଦ୍ଘାଟନ କରିବା ସହ କର୍ମଶାଳା ସଂପର୍କରେ ନିଜ ବକ୍ତବ୍ୟରେ କହିଥିଲେ ଯେ ଦିବ୍ୟାଙ୍ଗଙ୍କ ଅଧିକାର ଓ ଅଧିନିୟମ ୨୦୧୬ ଅନୁଯାୟୀ ୪୦ ପ୍ରତିଶତରୁ ଅଧିକ ହୋଇଥିବା ଦିବ୍ୟାଙ୍ଗ ସରକାରୀ ଓ ବେସରକାରୀ ସ୍ତରରେ ମିଳିବାକୁ ଥିବା ସମସ୍ତ ସୁବିଧା ସମସ୍ତଙ୍କୁ ମିଳିପାରିନାହିଁ । ମୁଖ୍ୟତଃ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଏସବୁରୁ ବଂଚିତ ହେଉଛନ୍ତି । ତେଣୁ ଉକ୍ତ ଅଧିକାର ସଂପର୍କରେ ସଚେତନ ହେଲେ ତଥା ଦକ୍ଷତା ପ୍ରତିପାଦନ କରିପାରିଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ । ମୁଖ୍ୟବକ୍ତା ଡଃ ବିଶ୍ବାଳ ୨୦୧୬ ଅଧିନିୟମ ଅନୁଯାୟୀ ବିଭିନ୍ନ ପ୍ରକାର ସରକାରୀ ସୁବିଧା ଓ ସହାୟତା ଉପରେ ବିସ୍ତୃତ ବିବରଣୀ ରଖିଥିଲେ । ଅନ୍ୟତମ ବକ୍ତା ଶ୍ରୀ ନାୟକ, ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ଅନେକ ଦାବୀ ପୂରଣ ହୋଇନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସହାୟତା ରାଶି ଅନ୍ୟ ରାଜ୍ୟ ଭଳି ବୃଦ୍ଧି କରିବା ପାଇଁ ଦାବୀ କରିଥିଲେ । ଆବାହକ ତଥା ଶ୍ରଦ୍ଧାର ସଂପାଦକ ଶ୍ରୀ ପାଣ୍ଡବ ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରି କହିଲେ ଯେ ମାନବ ଅଧିକାର ହିଁ ଦିବ୍ୟାଙ୍ଗଙ୍କ ଅଧିକାର । ସେମାନଙ୍କ ଉନ୍ନତି ବିନା ସମାଜ ଆଗକୁ ବଢିପାରିବ ନାହିଁ କହିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ସହାୟତା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ବାଭିମାନର ପ୍ରତିଷ୍ଠାତା ଡଃ ସୃତି ମହାପାତ୍ର ଆଭାସୀ ମାଧ୍ୟମରେ ଉପାଦେୟ ତଥ୍ୟ ସହ ଅଂଶଗ୍ରହଣକାରୀଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ସାହାଯ୍ୟ ସହଯୋଗ ଓ ଅଧିକାର ସଂପର୍କରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୪୦ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଅଂଶଗ୍ରହଣ କରି ଅଧିକାର ଓ ଅଧିନିୟମ ୨୦୧୬ ସଂପର୍କରେ ଅବଗତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ବାଭିମାନର ସତ୍ୟଜିତ ବେହେରା, ଶ୍ରଦ୍ଧାର ସୁକୁମାର ପାଣ୍ଡବ, ସଂଜୟ ରଣା, ସ୍ବୟଂପ୍ରଭା ପାଣ୍ଡବ, ଅଞ୍ଜଳୀ ମହାରଣା, ସୁଜାତା ରାଉତ ଏହି କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।