ଭିବି- ଜୀ ରାମ ଜୀ ଅଧିନିୟମ ଉପରେ କର୍ମଶାଳା : ଯୋଗଦେଲେ ସାଂସଦ ଓ ମନ୍ତ୍ରୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଟାଉନହଲ ଠାରେ ବିକଶିତ ଭାରତ- ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି, ଭିବି- ଜି ରାମ ଜି ଅଧିନିୟମ ୨୦୨୫ର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରବର୍ତ୍ତିତ ବିକଶିତ ଭାରତ ‘ଜୀ ରାମ ଜୀ’ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଓ ଜନସଚେତନତାକୁ ନେଇ ଓଡିଶା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହ ଏହି ନୂତନ ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ନିୟମାବଳୀ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ । ଉପସ୍ଥିତ ଅତିଥିମାନେ ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ୧୦୦ ଦିନ ପରିବର୍ତ୍ତେ ୧୨୫ ଦିନର ନିଶ୍ଚିତ ଶ୍ରମ ଭିତ୍ତିକ ନିଯୁକ୍ତି ସହିତ ଗ୍ରାମାଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ, ଜଳ ସୁରକ୍ଷା, ଜୀବିକାରେ ଉନ୍ନତି, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, ବେରୋଜଗାରୀ ଭତ୍ତା ପାଇଁ ଦୃଢ଼ ପଦକ୍ଷେପ, ଠିକ ସମୟରେ ମଜୁରୀ ପ୍ରଦାନ ଏବଂ ବିଳମ୍ବ ପାଇଁ କ୍ଷତିପୂରଣ, ଗ୍ରାମସଭା ଦ୍ୱାରା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାର ପ୍ରକଳ୍ପ ଚୟନ ଓ ଅନୁମୋଦନ, ସମସ୍ତ ଯୋଜନାର ସମନ୍ଵୟ ସହ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ସଶକ୍ତିକରଣ କରାଯିବା ସହିତ କାର୍ଯ୍ୟକାରିତାର ତଦାରଖ ଓ ପର୍ଯ୍ୟାଲୋଚନା କରିବା ପାଇଁ ଏହି ଯୋଜନାର ଲକ୍ଷ୍ୟ ରହିଛି ବୋଲି ସାଂସଦ ଓ ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ତାଙ୍କ ଅଭିଭାଷଣରେ ଭିବି – ଜୀ ରାମ – ଜୀ ଗ୍ରାମୀଣ ରୋଜଗାରର ନୂଆ ଗ୍ୟାରେଣ୍ଟି ଯୋଜନାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅପେକ୍ଷା ବେଶ ଅଧିକ ସୁଫଳ ଓ ଲାଭ ଗ୍ରାମାଞ୍ଚଳ ମଜୁରିଆ ପାଇପାରିବେ କହିବା ସହ ଏହି ଯୋଜନା ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ମୌଳିକ ସୁବିଧା, ସ୍ୱଚ୍ଛତା, ଜୀବନ ଜୀବିକାରମାନର ଉନ୍ନତି ଏବଂ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଏହି ଯୋଜନା ଜନସାଧାରଣଙ୍କ ପାଇଁ ଲାଭକାରୀ ହେବ ବୋଲି କହିଥିଲେ । ଏହି ନୂତନ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରତ୍ୟେକ ଗାଁର ମଜୁରିଆ, ଗ୍ରାମବାସୀ, ମେଟ୍, ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ସରପଞ୍ଚ, ଗ୍ରାମ ରୋଜଗାର ସେବକ, ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର, ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଅନ୍ୟ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପର୍ଯ୍ୟାପ୍ତ ତାଲିମ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମ ସ୍ତରରେ ସଶକ୍ତିକରଣ ମାଧ୍ୟମରେ ଉନ୍ନତ ଓ ସ୍ୱାବଲମ୍ବୀ ଓଡିଶା ଗଠନ କରିବା ବୋଲି ମନ୍ତ୍ରୀ ନାଏକ କହିଥିଲେ । ଜିଲ୍ଲାପାଳ ଡ଼. ନୃପରଜ୍ ସାହୁ ଏହି ଯୋଜନାର ସଠିକ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ରହିଛି ତେଣୁ ସଠିକ୍ ଓ ଠିକ୍ ସମୟରେ ସମସ୍ତ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.