କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ ପରିସରରେ ଗୁରୁବାର ଅପରାହ୍ନ(ସନ୍ଧ୍ୟା ୫ଟା)ରେ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାଟି କଂଟାବାଂଜି ତାଲୁକ ଆଇନ ସେବା କମିଟି ଦ୍ୱାରା ଆୟୋଜିତ ହୋଇଥିଲା । ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହିମାଂଶୁ ଶେଖର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ଅନ୍ୟ ଅତିଥି ଭାବେ ସବ୍ଜଜ୍ ପରିତୋଷ ସେଠୀ, ଜେ.ଏମ.ଏଫ.ସି. ରାହୁଲ କୁମାର ଜେନା ମଂଚାସୀନ ଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଜେ.ଏମ୍.ଏଫ.ସି. ଶ୍ରୀ ଜେନା ଦାଦନ ଶ୍ରମିକମାନଙ୍କ କାର୍ଯ୍ୟସ୍ଥଳିରେ ଉପଲବ୍ଧ ଥିବା ବିଭିନ୍ନ ଆଇନ ଉପରେ ଅବଗତ କରିଥିଲେ । ଏପରିକି ସେମାନଙ୍କୁ କେଉଁ କେଉଁ ଅଧିକାର ଆଇନରେ ରହିଥିବା ସୂଚନା ଦେଇଥିଲେ । ସେହିପରି ସବ୍ ଜଜ୍ ଶ୍ରୀ ସେଠୀ ମଧ୍ୟ ଦାଦନ ଶ୍ରମିକ ମାନଙ୍କ ମୌଳିକ ଅଧିକାର ଏବଂ ସେମାନଙ୍କ କାର୍ଯ୍ୟସ୍ଥଳିରେ ଆଇନର କେଉଁ କେଉଁ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥାଏ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ମୋହନଲାଲ ଶର୍ମା, ଦୁଃଖିଶ୍ୟାମ ଗୁରୁ, ଅଶୋକ ଦାସ, ମନୋଜ ଦାସ, ଅଧ୍ୟାପକ ଡଃ ସଂଜୟ କୁମାର ମିଶ୍ର, ପି.ଏଲ୍.ଏଭି କାହ୍ନୁ ଚରଣ ମିଶ୍ର ଦାଦନ ଶ୍ରମିକ ସମ୍ବନ୍ଧୀୟ ମତ ଦେଇଥିବା ବେଳେ ଦାଦନ ଶ୍ରମିକ ଚାଲାଣ ସମସ୍ୟା ନା ସମାଧାନ ଏବଂ ଏହାର ନିରାକରଣ ପାଇଁ ସରକାର କେତେ ଯତ୍ନଶୀଳ ହେବା ଉଚିତ୍ ଏ ବାବଦରେ ନିଜ ନିଜ ସ୍ୱମତ ରଖିଥିଲେ । ଏହି କର୍ମଶାଳାରେ ଓକିଲ ସଂଘ ସଭ୍ୟ, କୋର୍ଟ କର୍ମଚାରୀ ସାମାଜିକ କର୍ମୀ, ପି.ଏଲ.ଭି. ମେମ୍ବର ଏବଂ ବୁଦ୍ଧିଜୀବୀ ସାମିଲ ଥିଲେ ।
Prev Post