ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫ୍ରୁ ଟିଟିଲାଗଡ଼ ପୋଲିସ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ନିମନ୍ତେ ରହିଥିବା ବିଧି ବ୍ୟବସ୍ଥା ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଉଦ୍ଘାଟନ କରି ଶିଶୁମାନଙ୍କ ନିମିତ୍ତ କିଶୋର ନ୍ୟାୟ ଆଇନ, ପକ୍ସୋ ଆଇନ, ବାଲ୍ୟ ବିବାହ ଆଇନ ଉପରେ ଆଲୋକପାତ କରି ଅଂଚଳରେ ଥିବା ଶିଶୁମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଭିନ୍ନ ବିଧି ଅନୁଯାୟୀ ରହିଥିବା ସମୟ ସୀମା ମଧ୍ୟରେ କିପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ଏଥିପ୍ରତି ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ଗୁଡ଼ିକୁ ଶିଶୁମାନଙ୍କ ପ୍ରତି କିପରି ତୁରନ୍ତ ବ୍ୟବସ୍ଥା କରାଯାଇ ପାରିବ, ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଆଇଆଇସି ଅବନୀ ସାହୁ ଯୋଗ ଦେଇ ଶିଶୁ ଅଧିକାର ଓ ବିଧି ବ୍ୟବସ୍ଥାକୁ ପୋଲିସ ଆହୁରି କିପରି ଦକ୍ଷତାର ସହ ପରିଚାଳନା କରିପାରିବେ, ଏହା ଉପରେ ଆଲୋଚନା କରିଥିଲେ । ଦୈନନ୍ଦିନ କର୍ମକ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକର କିପରି ସହଜରେ ସମାଧାନ କରାଯାଇ ପାରିବ ସେ ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ ଆଇଆଇସି ଶ୍ରୀ ସାହୁ । ଏହି କର୍ମଶାଳାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଲିଗାଲ୍ କମ୍ ପ୍ରୋବେସନ ଅଫିସର ଦିଗାମ୍ବର କର ପରିଚାଳନା କରିଥିଲେ । ଜିଲ୍ଲାର ଶିଶୁମାନଙ୍କ ବିଭିନ୍ନ ସମସ୍ୟା ଓ ଏଥି ନିମିତ୍ତ ରହିଥିବା ବିଭିନ୍ନ ଆଇନ ବ୍ୟବସ୍ଥା ସଂପର୍କରେ ସେ ଆଲୋଚନା କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ମାର୍ଗ ଦର୍ଶନ କରିଥିଲେ । କର୍ମଶାଳାରେ ପୂର୍ବତନ ସିଡବ୍ଲ୍ୟୁସି ସଦସ୍ୟ ନନ୍ଦିକିଶୋର ଷାଣ୍ଢ ରିସୋର୍ସ ପର୍ସନ୍ ଭାବେ ଯୋଗଦାନ କରିବା ସହ ଶିଶୁ ସୁରକ୍ଷା ଆଇନର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଆଲୋଚନାରେ ଅଂଶଗ୍ରହଣ କରି ଶିଶୁ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ସୁଧାଂଶୁ ଶେଖର କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁଦାମ ସୁନା, ପ୍ରମୋଦ ବଗର୍ତ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।