ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ସମେତ ତିନୋଟି ସଙ୍ଗଠନର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆସନ୍ତା ୫ରେ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୭ରେ ଥିବା ଇସ୍ପାତ ସାହିତ୍ୟ ସଂସଦ ପରିସରରେ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ, ରଶ୍ମିପ୍ରଭା ସାହିତ୍ୟ ଅନୁଷ୍ଠାନ ଏବଂ ଶିକ୍ଷାଜ୍ୟୋତିର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୫ ତାରିଖ ରବିବାର ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏକାସଙ୍ଗରେ ୧୧ଟି ବିଭିନ୍ନ ପୁସ୍ତକ ଲୋକାର୍ପଣ ସହିତ ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମ ହେବ । ଏହା ସହିତ ସାହିତ୍ୟ, ସମାଜସେବା ଏବଂ ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଅବସରରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମିପ୍ରଭା ଅନୁଷ୍ଠାନର ସାଧାରଣ ସମ୍ପାଦକ ମନୋଜ ନନ୍ଦ ଓ ଉପଦେଷ୍ଟା ତଥା ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ଶଶଧର ପଣ୍ଡା, ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ ଓ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ ଏବଂ ଶିକ୍ଷାଜ୍ୟୋତି ଅନୁଷ୍ଠାନର ରାଧାକାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏବଂ ରାଉରକେଲାର ସାହିତ୍ୟିକ ଅସ୍ମିତାକୁ ଏହି କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ଦିଆଯିବ । ଏହା ସହିତ ଶିକ୍ଷା ଓ ଶିଶୁମାନଙ୍କ ମନସ୍ତ୍ୱତ୍ତ୍ୱକୁ ଗୁରୁତ୍ୱ ଦେଉଥିବା ଏକ ମାସିକ ପତ୍ରିକା ଶିକ୍ଷାଜ୍ୟୋତି ଏହି ଅବସରରେ ଉନ୍ମୋଚିତ ହେବ ବୋଲି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀ ଉପଲକ୍ଷେ ହୋଇଥିବା ସଭା କାର୍ଯ୍ୟକୁ ମନୋଜ ନନ୍ଦ ପରିଚାଳନା କରିଥିବାବେଳେ ସାହିତ୍ୟିକ ସତ୍ୟବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ଲେଖିକା ରଶ୍ମିତା ମଲ୍ଲିକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ରାଉରକେଲା ସହରର କୌଣସି ସାରସ୍ୱତ କାର୍ଯ୍ୟକ୍ରମରେ ଏକାସଙ୍ଗରେ ୧୧ଟି ପୁସ୍ତକର ଲୋକାର୍ପଣ ଏହି କାର୍ଯ୍ୟକ୍ରମର ପ୍ରମୁଖ ବିଶେଷତ୍ୱ ରହିବ । ଏହି ଅବସରରେ ମନୋଜ କୁମାର ନନ୍ଦଙ୍କ ସମ୍ପାଦିତ – ରଶ୍ମିପ୍ରଭା ତ୍ରୈମାସିକ ପତ୍ରିକା, ରାଧାକାନ୍ତ ମହାରଣାଙ୍କ ସମ୍ପାଦିତ – ଶିକ୍ଷାଜ୍ୟୋତି ମାସିକ ପତ୍ରିକା, ପ୍ରଶାନ୍ତ କୁମାର ପତି- ସ୍ମୃତି ଶତଦଳ (କବିତା ସଂକଳନ), ବିନୋଦ ବାଘସିଂହ – ଗୀତି କୁସୁମ (କାବ୍ୟ), ଶଶଧର ପଣ୍ଡାଙ୍କ – ଅଭୁଲା ଶିଶୁ ଗୀତିକା (ଶିଶୁ ଗୀତିକା), କଳ୍ପନା ନନ୍ଦ – କୁନି କୁନି ତାରାଫୁଲ (ଶିଶୁ କିଶୋର କବିତା ସଂକଳନ), ଗୌରବ କୁମାର ନାଥ – ବିପୁଳ ଜୀବ (କବିତା ସଂକଳନ), ଉପେନ୍ଦ୍ର କୁମାର ବସ୍ତିଆ – କଥା ଭାଗବତ ( ଭାଗବତର ଗଦ୍ୟ ରୁପାନ୍ତର), ଗୋଲାପ ନନ୍ଦ – ଆତ୍ମ ସମୀକ୍ଷା (ରାମାୟଣର ଗଦ୍ୟ ରୂପାନ୍ତର), ସିଗ୍ଧା ନାୟକ – ବଣ୍ଟି ସର୍ଦ୍ଦାର (ଶିଶୁ କିଶୋର ଗଳ୍ପ ସଂକଳନ ), ନିର୍ମଳା ମହାପାତ୍ର- କୁସୁମାଞ୍ଜଳି (କବିତା ସଂକଳନ) ପୁସ୍ତକ ଗୁଡିକ ଲୋକାର୍ପିତ ହେବ ।