୧୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଠାରେ ଥିବା ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ମଙ୍ଗଳବାର କାର୍ଯ୍ୟକ୍ଷମ କରାଯାଇଛି । ଏନେଇ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍‌ଲ୍ଲାପାଳଙ୍କ ଉପସ୍ଥିତିରେ ଏହା ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି ଘୋଷଣା କରାଯାଇଛି । ଏଠାରେ ୧୨୦ଟି ଶଯ୍ୟା ରହିଥିବା ବେଳେ ଅକ୍ସିଜେନ୍ ସୁବିଧା ରହିଛି । ଏଠାରେ କରୋନା ସଂକ୍ରମିତ ଆକ୍ରାନ୍ତମାନଙ୍କୁ ଚିକିତ୍ସା କରାଯିବ । ଏଥିସହ ୬ଜଣ ଡାକ୍ତର, ୬ ଜଣ ନର୍ସ ଓ ୪ ଜଣ ଫାର୍ମାସିଷ୍ଟ ନିୟୋଜିତ ରହିଛନ୍ତି । ପୂର୍ବରୁ କରୋନା ରୋଗୀଙ୍କ ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହି କୋଭିଡ୍ ହସ୍ପିଟାଲକୁ ସଠିକ୍‌ ଭାବେ ପରିଚାଳନା କରିବା ପାଇଁ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଏଠାରେ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଛତ୍ରପୁର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କରୋନା ରୋଗୀଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଏଥିସହ ରୋଗୀଙ୍କୁ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ରହିଛି । ଜିଲ୍ଲାରେ ଅକ୍ସିଜେନର ଅଭାବ ନାହିଁ କି ବେଡର ଅଭାବ ନାହିଁ । ଜିଲ୍ଲାରେ ଆଗାମି ଦିନ ମଧ୍ୟରେ ପଜିଟିଭ ସଂଖ୍ୟା ଆହୁରି କମିଯିବ, ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ଆଡକୁ ଆସିଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.