ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବହୁ ପୂରାତନ କାଳରୁ ସୃଷ୍ଟି ହୋଇଥିବା ପ୍ରକୃତି ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ ପ୍ରାକୃତିକହ୍ରଦ “କରାତଳି-ତାମ୍ପରା” ପ୍ରତି ଜିଲ୍ଲାପ୍ରଶାସନ ଏବଂ ରାଜ୍ୟସରକାରଙ୍କ ଉଦାସୀନ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଏହି ହ୍ରଦକୁମଧ୍ୟ କେତେକ ଆଞ୍ଚଳିକ ପ୍ରଜାତିର ପକ୍ଷୀମାନେ ବହୁ ସଂଖ୍ୟାରେ କେତେକ ଋତୁକାଳୀନ ପକ୍ଷୀମାନେ ଆସିଥାନ୍ତି । ଏଭଳି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସୁଶୋଭିତ କ୍ଷେତ୍ର ଆଦି ଖୋଦ-ଗଞ୍ଜାମ ଜିଲ୍ଲାରେ କେଉଁ ଆବାହମାନ କାଳରୁ ଗଢ଼ି ଉଠିଛି । ଏଥିପ୍ରତି ପ୍ରଶାସନିକ ଯତ୍ନ ଓ ପ୍ରାକୃତିକ ସଂପଦମାନଙ୍କ ସୁରକ୍ଷାର ଅବହେଳା ଲାଗି ଆଜି ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳ ଏବଂ ପ୍ରାକୃତିକ ହ୍ରଦ ଗୁଡିକ ସଙ୍କଟଜନକ ଅବସ୍ଥାରେ ରହି ଅନେକଙ୍କ ଜୀବନଜୀବିକାରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଛତ୍ରପୁର ତହସିଲ ଅନ୍ତର୍ଗତ “କରାତଳି ତାମ୍ପରା” ହ୍ରଦ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ରିହିଅଛି । କରାତଳି ତାମ୍ପରା ୬୦୧.୧୦ ହେକ୍ଟର ଅଞ୍ଚଳରେ ଥିବା ରେକର୍ଡ କହୁଥିଲେ ମଧ୍ୟ ବର୍ତ୍ତମାନ ପାଖାପାଖି ୫୦୦ ହେକ୍ଟର ଜମିରେ ହିଁ ପାଣି ରହୁଛି । କରାତଳି-ତାମ୍ପରା ନିକଟରେ ଥିବା ରାଜସ୍ୱ ଜମିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ହାତବାରିସି କରି ପୂର୍ବରୁ ନିଜ ନାମରେ କରିଦେଇଥିଲେ । ପରବର୍ତ୍ତୀ ସମୟରେ ଆନ୍ଧ୍ର-ମାଫିଆଙ୍କ ପ୍ରଲୋଭନର ଶିକାର ହୋଇ ସେମାନଙ୍କୁ ବିକ୍ରି କରିଦେଲେ । ଯାହା ଫଳରେ ସେମାନେ ଧିରେ ଧିରେ ନିଜର ବାଣିଜ୍ୟ କାରବାର ପୋଖରୀ ଓ କୁକୁଡ଼ା ଚାଷ କରି ନିଜ କଳା ସାମ୍ରାଜ୍ୟର ଭିତ୍ତିଭୂମି ମଜବୁତ କରିଚାଲିଲେ । ରାଜନୌତିକ ଓ ପ୍ରଶାସନିକ ଉଭୟ ସ୍ତରରେ ନିଜର ପ୍ରବାହ ଓ ପକଡକୁ ବିସ୍ତାରିତ କରିଚାଲିଲେ । ନିଜ ବ୍ୟବସାୟର ମୁନାଫାର ପାହାଡ଼ ଛିଡା କରିବା ପାଇଁ ପରିବେଶ ସୁରକ୍ଷାର ସବୁ ଆଇନକୁ ଜଳାଞ୍ଜଳୀ ଦେଇ ‘କରାତଳି-ତାମ୍ପରା” ହ୍ରଦର ସୁନୀଳ ମଧୁରଜଳ ପାଣିକୁ ବ୍ୟବହାର କଲେ ଆଉ ମଇଳା ଆବର୍ଜନା ପାଣିକୁ ତାମ୍ପରା ହ୍ରଦରେ ଛାଡ଼ିବା ଆରମ୍ଭ ହେଲା ଯଦ୍ୱାରା ଧିରେ ଧିରେ ମାଛ ମରିବାରେ ଲାଗିଲେ ଓ ବର୍ତ୍ତମାନ ଅନେକ ଜଳଚର ପ୍ରାଣୀ ତହିଁରେ ସଂପୂର୍ଣ୍ଣ ଲୋପ ପାଇଗଲାଣି । ସେଠିକାର ପାରମ୍ପରିକ ଧିବରମାନଙ୍କ ମତାନୁଯାୟୀ ପୂର୍ବଭଳି ଚିଙ୍ଗୁଡି ଆଉ ମାଛ ହ୍ରଦରେ ଦେଖାଯାଉନାହାନ୍ତି ଏବଂ ଅନେକ କିସମର ମାଛ ଥିଲେ ତାହା ଲୋପ ପାଇବାକୁ ଗଲେଣି ପାଣିରେ ବେଶି ସମୟ ଗାଧୋଇବା ଦ୍ବାରା ବର୍ତ୍ତମାନ କାଛୁ କୁଣ୍ଡିଆ ଓ ବିଭିନ୍ନ ପ୍ରକାର ଜଳବାହିତ ରୋଗ ଦେଖିବାକୁ ମିଳୁଛି । ଯାହା ଜଳସେଚନ ଓ ପରିବେଶ ଆଇନକୁ ଖୋଲାଖୋଲି ଉଲଂଘନର ଫଳପ୍ରଦ ସଦୃଶହୋଇଛି । ଛତ୍ରପୁର ବ୍ଲକର କରାତଳି, ଦନେଇବ୍ରହ୍ମପୁର, ପାଟପୁର ଗ୍ରାମର ୫୦୦ ପରିବାରରୁ ଉର୍ଦ୍ଧ ମତ୍ସ୍ୟଜୀବୀ ପରିବାରମାନେ କରାତଳି ତାମ୍ପରାରେ ମାଛ ଚାଷ/ମାଛ ମାରି ଶହ ଶହ ଧୀବର ପରିବାର ପ୍ରତିପୋଷଣ କରି ଆସୁଥିଲେ । ହେଲେ ଦୀର୍ଘ ୭ ବର୍ଷ ହେଲା ଆନ୍ଧ୍ର- ମାଫିଆଙ୍କ ଯୋଗୁଁ ସେମାନେ ବହୁ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି ‘କରାତଳି-ତାମ୍ପରା’ ପୋତି ହୋଇଯାଇଥିବା ସହ ଜବରଦଖଲ ଦ୍ଵାରା ମତ୍ସ୍ୟଜୀବୀମାନେ ନିଜର ରୋଜଗାର ହରାଇଛନ୍ତି । ନିଜ ପରିବାରର ପେଟ ପାଟଣା ପାଇଁ ଚେନ୍ନାଇ, ତାମିଲନାଡୁ, ବେଙ୍ଗଲୋର, ସୁରାଟ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଏହି କରାତଳି-ତାମ୍ପରା ହ୍ରଦ ଦ୍ଵାରା ଛତ୍ରପୁର ବ୍ଲକର ବିପୁଳିଙ୍ଗି, ଭିକାରୀପଲ୍ଲୀ, ବଉଳଗାଁ, ମହାନାଦପୁର ଓ ଗଞ୍ଜାମ ବ୍ଲକର ରାଜପୁର ପଞ୍ଚାୟତ ଅଧିନସ୍ଥ ୩୬ଟି ପ୍ରମୁଖଗ୍ରାମର ଚାଷଜମିକୁ ଜଳସେଚିତ ସୁବିଧା ମିଳୁଥିଲା । କିନ୍ତୁ ପୁନଃରୁଦ୍ଧାର କରାଯାଉନଥିବାରୁ କରାତଳି ତାମ୍ପରା ପୋତି ହୋଇଗଲାଣି । ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ ଏ କଥା ଅନେକଥର ଛତ୍ରପୁର ବ୍ଳକ ସମିତି ମିଟିଙ୍ଗରେ ଉଠେଇ ସମାଧାନ ପାଇଁ ହୋ-ହଲ୍ଲା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ଏବଂ ଏହି ବାବଦରେ ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ତହସିଲଦାର ସମସ୍ତଙ୍କୁ କହିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ ବୋଲି ଏହି ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦାୟିତବାନ ନ ହୁଅନ୍ତି ତେବେ ସମୟର ଅନ୍ତରାଳରେ ମାଫିଆଙ୍କ ମୁନାଫାର ପାହାଡ଼ ତଳେ ପ୍ରକୃତିର ଏ ସୁନ୍ଦର ସୌନ୍ଦର୍ଯ୍ୟ ସବୁଦିନ ପାଇଁ ଇତିହାସର ଏକ କ୍ଷୁର୍ଣ୍ଣ ହୋଇଯିବ । ତୁରନ୍ତ ପ୍ରାକୃତିକ ସଂପଦ ଚାଷୀ ଓ ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକାକୁ ଆଖି ଆଗରେ ରଖି ସ୍ଥାୟୀ ସମାଧାନ ସହ ଏହାର ସୁରକ୍ଷା ଆଞ୍ଚଳିକ କମିଟି ଦାବୀ କରିଛନ୍ତି । ଓଡିଶାର ବିଶିଷ୍ଟ ପରିବେଶବିତ ପ୍ରଫୁଲ ସାମନ୍ତରା ଏହି ବାବଦରେ ତମ୍ପରାର ମୂଳ ସରକାରୀ ରେକାର୍ଡରେ ଥିବା ଜମିକୁ ପୁନର୍ଦ୍ଧାର କରାଯିବା ସହ ବେନାମୀ ଜମିକୁ ଫେରାଇ ଅଣାଯାଇ, ମାଛ ଚାଷ ଦ୍ଵାରା ରାସାୟନିକ ପ୍ରଦୂଷଣରୁ ଜଳାଶୟର ସୁରକ୍ଷା କରିବାକୁ ଦାବି କରିଛନ୍ତି । ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ମଧ୍ୟ ଅନ୍ୟ ବିଧାୟକଙ୍କ ମଧ୍ୟମରେ ଏ କଥା ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ବିପୁଳିଙ୍ଗି ସରପଞ୍ଚଟି. ନରସିଂହ ରେଡ୍ଡୀ, ମତ୍ସ୍ୟଜୀବୀ ସଂଗଠନ ସଭାପତି ପ୍ରଫୁଲ୍ଲ ବେହେରା, ଚାଷୀ ନେତା ସୀମାଞ୍ଚଳ ନାହାକ, ପରିବେଶ ସୁରକ୍ଷା ଜୀବନ ଜୀବିକା ମଞ୍ଚ ଆବାହକ ତଥା ମତ୍ସ୍ୟଜୀବୀ ନେତା ଗୁରୁଦେବ ବେହେରା, କରାତଳି ପଞ୍ଚାୟତର ଯୁବନେତା କୃଷ୍ଣ ନାହାକ, ଅନ୍ଧରିଆ ଗ୍ରାମର ସଭାପତି ଶ୍ରୀ ଦାସ, କଂଗ୍ରେସ ନେତା ଜଲାଲ ଖାନା, ଛାତ୍ର କଂଗ୍ରେସ ନେତା ଇଜୁ ଅମୀନ ଖାଁ ପ୍ରମୁଖ “କରାତଳି-ତାମ୍ପରା” ପ୍ରାକୃତିକ ହ୍ରଦର ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ଦାବୀ ମୁତାବକ ଜୋରଧରିଛି ।
Prev Post