ଭାରତର ୟୁପିଆଇ ପ୍ରଗତି ପ୍ରତି ମାସରେ ୧୮ ବିଲିୟନରୁ ଊର୍ଦ୍ଧ୍ୱ କାରବାର
ଦ୍ରୁତ ପଇଠ ବ୍ୟବସ୍ଥାରେ ବୈଶ୍ୱିକ ନେତୃତ୍ୱ – ଆଇଏମଏଫ

  • ଜୁନ ୨୦୨୫ ସୁଦ୍ଧା ୧୮.୩୯ ବିଲିୟନ କାରବାର ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର ୟୁପିଆଇରେ ପ୍ରତିଦିନ ୬୪୦ ମିଲିୟନରୁ ଊର୍ଦ୍ଧ୍ୱ କାରବାର

ନୂଆଦିଲ୍ଲୀ, (ପିଆଇବି) : ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ଭାରତ ବୈଶ୍ୱିକ ନେତୃତ୍ୱ ନେଉଛି । ନିକଟରେ ଏକଥା କହିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ ଏମ ଏଫ) । ଏପ୍ରକାର ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ୟୁପିଆଇ ଏକ ବଳିଷ୍ଠ ମାଧ୍ୟମ ସାଜିଛି । ୨୦୧୬ରେ ୟୁନିଫାଏଡ ପେମେଂଟସ ଇଂଟରଫେସ ବା ୟୁପିଆଇକୁ ନେସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ଆରମ୍ଭ କରିଥିଲା । ଲୋକମାନଙ୍କ ଟଙ୍କା ଦେଣ ନେଣ କ୍ଷେତ୍ରରେ ୟୁପିଆଇ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି । ଗୋଟିଏ ମୋବାଇଲ ଆପ ଅଧୀନରେ ଖାଉଟିର ସମସ୍ତ ବ୍ୟାଙ୍କ ଆକାଉଂଟ ରହିଥାଏ । ଜଣେ ଏହା ମାଧ୍ୟମରେ ହଠାତ ଟଙ୍କା ପଠାଇପାରିବ । ବ୍ୟବସାୟୀଙ୍କୁ ଟଙ୍କା ଶୀଘ୍ର ଦେଇପାରିବ । ବନ୍ଧୁମାନଙ୍କ ପାଖକୁ ଅର୍ଥ ପଠାଇପାରିବ । ସହଜ ଉପାୟରେ ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ୟୁପିଆଇ ଲୋକଙ୍କୁ ସୁବିଧା ଯୋଗାଉଛି । ଭାରତରେ ଆଜିକାଲି ପ୍ରତି ମାସରେ ୟୁପିଆଇ ମାଧ୍ୟମରେ ୧୮ ବିଲିୟନ କାରବାର ହେଉଥିବା ସୂଚିତ ହୋଇଛି । କ୍ୟାସ ଓ କାର୍ଡ ଯୋଗେ ଅର୍ଥ ଦେଣ ନେଣ ପ୍ରକ୍ରିୟାରେ ଏହି ୟୁପିଆଇ ପରିବର୍ତନ ଆଣିପାରିଛି । ଏହା ଏବେ ଡିଜିଟାଲ ଫାଷ୍ଟ ଇକୋନୋମି ଆଡକୁ ଆମକୁ ଅଗ୍ରସର କରାଇଛି । କୋଟି କୋଟି ଲୋକ ଓ କ୍ଷୁଦ୍ର ବ୍ୟବସାୟୀ ନିରାପଦ ଓ କମ ଖର୍ଚ୍ଚଜନିତ କାରବାର ଲାଗି ଏବେ ଏହି ୟୁପିଆଇ ଉପରେ ନିର୍ଭର କରୁଛନ୍ତି । ତେବେ ଏହା ହଠାତ ହୋଇନାହିଁ । ଏଥିପାଇଁ ଖୁବ ପରିଶ୍ରମ କରିବାକୁ ପଡିଛି । ତୃଣମୂଳ ସ୍ତରରେ କଠିନ ଡିଜିଟାଲ କାର୍ଯ୍ୟ, ସାମୁହିକ ଉନ୍ନତି ଲାଗି ଯନ୍ତ୍ରର ବ୍ୟବହାର ପରି କିଛି ପଦକ୍ଷେପ ପାଇଁ ଏହା ସମ୍ଭବପର ହୋଇପାରିଛି । ଚଳିତ ବର୍ଷ କେବଳ ଜୁନରେ ୟୁପିଆଇ ମାଧ୍ୟମରେ ପ୍ରାୟ ୨୪.୦୩ ଲକ୍ଷ ଟଙ୍କା କାରବାର ହୋଇଛି । ଏହା ପରବର୍ତୀ କାଳରେ ୧୮.୩୯ ବିଲିୟନ କାରବାରକୁ ବୃଦ୍ଧି ପାଇଛି । ରେକର୍ଡ ଅନୁସାରେ ଗତବର୍ଷ ୧୩.୮୮ ବିଲିୟନ କାରବାର ହୋଇଥିଲା । ଗୋଟିଏ ବର୍ଷ ଭିତରେ ମାତ୍ର ୩୨ ପ୍ରତିଶତ ବୃଦ୍ଧି ହୋଇଛି । ୟୁପିଆଇ ବ୍ୟବସ୍ଥା ଦ୍ୱାରା ସାରା ଦେଶର ୪୯୧ ମିଲିୟନ ଲୋକ ଓ ୬୫ ମିଲିୟନ ବ୍ୟବସାୟୀ ଉପକୃତ ହେଉଛନ୍ତି । ଏକକ ପ୍ଲାଟଫର୍ମରେ ଏବେ ଏକ୍ଷେତ୍ରରେ ୬୭୫ଟି ବ୍ୟାଙ୍କ କାମ କରୁଛନ୍ତି । ଭାରତରେ ଏବେ ୮୫ ପ୍ରତିଶତ ଡିଜିଟାଲ କାରବାର ବୃଦ୍ଧି ପାଇଛି । ଭୌଗୋଳିକ ସୀମା ବାହାରେ ସାରା ବିଶ୍ୱରେ ଏବେ ଏହି କାରବାର ୫୦ ପ୍ରତିଶତରେ ରହିଛି । ଦ୍ରୁତ ଗତିରେ ଭାରତବର୍ଷ ଏବେ ଏକ କ୍ୟାସଲେସ ଅର୍ଥନୀତି ମୁହାଁ ହୋଇପାରିଛି । ଭାରତର ୟୁନିଫାଏଡ ପେମେଂଟସ ଇଂଟରଫେସ ବା ୟୁପିଆଇ ବିଶ୍ୱର ଏକ ନମ୍ବର ରିୟଲ ଟାଇମ ପେମେଂଟ ବ୍ୟବସ୍ଥା । ଦୈନିକ କାରବାର କ୍ଷେତ୍ରରେ ଏହା ଭିସାକୁ ପଛରେ ପକାଇଛି । ପ୍ରତିଦିନ ୟୁପିଆଇରେ ୬୪୦ ମିଲିୟନ କାରବାର କରାଯାଉଛି । ଯେତେବେଳେ ଭିସାରେ ପ୍ରତିଦିନ କାରବାର ମାତ୍ର ୬୩୯ ମିଲିୟନ । ନଅ ବର୍ଷ ଭିତରେ ୟୁପିଆଇର ଏପ୍ରକାର ପ୍ରଗତି ବାସ୍ତବିକ ପ୍ରଣିଧାନଯୋଗ୍ୟ । ପୂର୍ବ ସୂଚନା ଅନୁସାରେ ବିଶ୍ୱରେ ଦୈନିକ ୟୁପିଆଇର ମାତ୍ର ୫୦ ପ୍ରତିଶତ କାରବାର କରାଯାଉଛି । ଦେଶ ଭିତରେ ଓ ବାହାରେ ଏବେ ୟୁପିଆଇର ବ୍ୟବହାର ବଢିଛି । ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ, ମରିସସ ପରି ଦେଶରେ ଏବେ ୟୁପିଆଇ ସକ୍ରିୟ । ସୁଦୂର ଫ୍ରାନ୍ସରେ ଏହାର ବ୍ୟବହାର ଫଳରେ ସମଗ୍ର ୟୁରୋପରେ କାରବାର କରିବା ଲାଗି ବାଟ ଫିଟିଛି । ବିଦେଶୀ ମୁଦ୍ରା ବିନିମୟ ନକରି ବାହାରେ ରହୁଥିବା ଭାରତୀୟମାନେ ଏବେ ଏହି ୟୁପିଆଇକୁ ବିପୁଳ ସଂଖ୍ୟାରେ ବ୍ୟବହାର କରୁଛନ୍ତି । ଛଅଟି ଦେଶକୁ ନେଇ ଗଠିତ ବ୍ରିକ୍ସ ଗୋଷ୍ଠୀର ଦେଶ ଭିତରେ ବି ୟୁପିଆଇ ପ୍ରଚଳନ ନେଇ ଭାରତ ଖୁବ ଆଶାବାଦୀ ରହିଛି । ଏହା କାର୍ଯ୍ୟକ୍ଷମ ହେଲେ ଡିଜିଟାଲ ପେମେଂଟ କ୍ଷେତ୍ରରେ ଭାରତ ବୈଶ୍ୱିକ ସ୍ତରରେ ଯାନ୍ତ୍ରିକ ନେତୃତ୍ୱ ନେଇପାରିବ । ଡିଜିଟାଲ କ୍ଷେତ୍ରରେ ବର୍ଷ ବର୍ଷର କଠିନ ଯାନ୍ତ୍ରିକ ଓ ପ୍ରଯୁକ୍ତିଗତ ସାଧନାର ଫଳସ୍ୱରୂପ ହେଉଛି ୟୁପିଆଇ । ଡିଜିଟାଲ ଭିତିଭୂମି ନିର୍ମାଣ କ୍ଷେତ୍ରରେ ପ୍ଲାନିଂ ଓ ପୁଞ୍ଜି ନିବେଶ ଫଳରେ ଏହା ସମ୍ଭବପର ହୋଇପାରିଛି । ଫର୍ମାଲ ଆର୍ଥିକ ବ୍ୟବସ୍ଥା, ଡିଜିଟାଲ ପରିଚୟଜନିତ ନିରାପତା ଏବଂ ଦେଇ ହେଉଥିବା ଭଳି ଇଂଟରନେଟ ସୁବିଧା ଲାଗି ଆଜି ଏହି ବ୍ୟବସ୍ଥା ସଫଳ ହୋଇପାରିଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଦ୍ୱାରା ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଟଙ୍କା ଆସିଛି । ୩୦ ଜୁନ, ୨୦୨୫ ସୁଦ୍ଧା ଦେଶରେ ପ୍ରାୟ ୫୫.୮୩ କୋଟି ଆକାଉଂଟ ଖୋଲିପାରିଛି । ସେହିପରି ଏହି ୟୁପିଆଇ ପାଇଁ ଆଧାର କାର୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଡିଜିଟାଲ ପରିଚୟ ଲାଗି ଏହି ଆଧାର କାର୍ଡ ଏକମାତ୍ର ମାଧ୍ୟମ ପାଲଟିଛି । ତେବେ ଏହି ୟୁପିଆଇ ବ୍ୟବସ୍ଥାକୁ ସୁଗମ କରିବା ଲାଗି ୫ ଜି ବ୍ୟବସ୍ଥାର ଆଧୁନିକୀରଣ କରାଯାଇଛି । ଫଳରେ ସଂଯୋଗଜନିତ କୌଣସି ତ୍ରୁଟି ରହିବ ନାହିଁ । ଦେଶର ପ୍ରାୟ ଜିଲ୍ଲାରେ ପ୍ରାୟ ୪.୭୩ ଲକ୍ଷ ବେସ ଷ୍ଟେସନ ରହିଥିବା ବ୍ୟବସ୍ଥା ଫଳରେ ୫ ଜି ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସେହିପରି ଇଂଟରନେଟ ଚାର୍ଜ ଶୁଳ୍କରେ ପରିବର୍ତନ ଆସିଛି । ୨୦୧୪ରେ ପ୍ରତି ଜିବି ପିଛା ଏହା ୩୦୮ ଟଙ୍କା ରହିଥିବା ବେଳେ ୨୦୨୨ରେ ଏହା ମାତ୍ର ୯.୩୪ ଟଙ୍କାରେ ପହଂଚିଛି । ୨୦୨୫ରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ୧୧୬ କୋଟିରେ ପହଂଚିଛି । ଦ୍ରୁତ ଅର୍ଥ କାରବାର କ୍ଷେତ୍ରରେ ଭାରତ ଏକ ଅଗ୍ରଗଣ୍ୟ ଦେଶ ଭାବରେ ପରିଗଣିତ ହୋଇଛି । ଏପ୍ରକାର ସଫଳତା ପଛରେ ରହିଛି ୟୁପିଆଇର ବିପୁଳ ବ୍ୟବହାର । ଡିଜିଟାଲ କାରବାରରେ କ୍ଷିପ୍ରତା ଓ ନିରାପତ୍ତା ପାଇଁ ଏହା ସର୍ବଜନାଦୃତ ହୋଇପାରିଛି ।

jittmm
Leave A Reply

Your email address will not be published.