ସଇଁତଲାରେ ମହାରାଜ କଂସଙ୍କ ଦରବାର : ୮ ଜଣ ଆଦର୍ଶ ପ୍ରତିଭାଙ୍କୁ ଗୌରହରି ସମ୍ମାନରେ ସମ୍ମାନିତ

  • ଆବାସ ଯୋଜନା ଓ ରାସନ କାର୍ଡ ପାଇଁ ଗରିବଙ୍କୁ ଚୟନ କରି ବଣ୍ଟନ କରିବା ପାଇଁ କଂସଙ୍କ ନିର୍ଦ୍ଦେଶ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାକୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାରାଜ କଂସ ପରିଭ୍ରମଣରେ ସଇଁତଲା ଦରବାରକୁ ପହଂଚି ଆବାସ ଯୋଜନା ଓ ରାସନ କାର୍ଡରେ ବାଦ ପଡ଼ିଥିବା ଗରିବ ହିତାଧିକାରୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ବଣ୍ଟନ କରିବା ପାଇଁ ସଇଁତଲା ବ୍ଲକ ପ୍ରଶାସନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହାଟପଡାଠାରେ ଯୁବ ଯାଦବ ସେନା ଆନୁକୂଲ୍ୟରେ ମହାରାଜ କଂସଙ୍କ ଦରବାର ଆୟୋଜିତ ହୋଇଯାିଛି । ଏଥିରେ ଯୁବ ଯାଦବ ସେନା ସଭାପତି ତଥା ସାମ୍ବାଦିକ ପ୍ରମୋଦ କୁମାର ସେଲମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଦରବାରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ବ୍ଲକ ଭାଇସ ଚେୟାରମ୍ୟାନ ଗୁଣସାଗର ମାଝୀ, ବିଡିଓ ଚନ୍ଦ୍ରମଣି ନାଗ, ସରପଞ୍ଚ ସୁବ୍ରତ ନାଗ, ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲ ଓ ଲୁର୍କୀ ଧନୁଯାତ୍ରା କମିଟିର ସଭାପତି ସରୋଜ ପ୍ରଧାନ ପ୍ରମୁଖ ଯୋଗଦାନ କରି ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଅତିଥିମାନେ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ୮ ଜଣ ଆଦର୍ଶ ପ୍ରତିଭାଙ୍କୁ ସ୍ୱର୍ଗତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଗୌରହରି ସେଲମାଙ୍କ ଶୃତି ଉଦେଶ୍ୟରେ ଗୌରହରି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏମାନେ ହେଲେ ଆଦର୍ଶ ଶିକ୍ଷକ ଡମ୍ବରୁଧର ଚନ୍ଦନ, କୃଷି କ୍ଷେତ୍ରରେ ସଫଳତା ପାଇଁ ଥିବା ଚାଷୀ ଦୟାନିଧି ବାଗ, ଆନ୍ତର୍ଜାତିକ କ୍ରୀଡାରେ ଭାଗ ନେବା ପାଇଁ ମନୋନୀତ ହୋଇଥିବା ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ର ବୈଷ୍ଣବ ରାଜପଲିଆ, ଯୁବ କଳାକାର ସୋଭାଗ୍ୟ ରଞ୍ଜନ ବଗର୍ତି (ବୁଲୁ ), ରକ୍ତଦାନ କରିଥିବା ଗିରିଧାରୀ ଚନ୍ଦନ, ଉଦ୍ୟାଗୀ ସ୍ୱୟଂ ସହାୟିକା ମହିଳା ଗୀତା ଦାସ, ମୃଦୁଙ୍ଗ ଓ ତବଲା କଳାକାର ଘନଶ୍ୟାମ ପ୍ରଶାୟତ ଓ ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲଙ୍କୁ ଗୌରହରି ସମ୍ମାନରେ ସମ୍ମାନିତ କରାଗଲା । ଏହାପରେ କଂସଙ୍କ ମଥୁରା ନଗରରେ ରାଜୁତି ଆରମ୍ଭ କରି ନର୍ତ୍ତକୀମାନଙ୍କ ଦ୍ୱାରା ଡ୍ୟାନ୍ସ ପରିବେଷଣ କାର୍ଯ୍ୟକ୍ରମ ବେଶ ଆକର୍ଷଣ ହୋଇଥିଲା । ପରେ ମହାରାଜ କଂସ ସହର ପରିକ୍ରମା କରି ଲୋକମାନଙ୍କ ସୁବିଧା ଅସୁବିଧା ଉପରେ ସମସ୍ୟା ବୁଝିଥିଲେ । ଉକ୍ତ ସଭାକୁ ଯୁବ କଳାକାର ପୁର ଦାଶ ପରିଚାଳନା କରିଥିବା ବେଳେ ଦୀପକ, ଡୁଡୁଲ, ଅନି, ଜଳଧର, ଆନନ୍ଦ, ପ୍ରଦୀପ, ପ୍ରଶାନ୍ତ ତଥା ଯୁବ ଯାଦବ ସେନାର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!