om academy

ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସୋମବାର ଦିନ ଗଞ୍ଜାମ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ବୈଠକର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଭାଙ୍ଗି ଯାଇଥିବା ବନ୍ଧ ଗୁଡିକର ମରାମତି କରିବା ସହିତ ଚାଷୀ ମାନଙ୍କୁ ଠିକ୍ ସମୟରେ ଉନ୍ନତମାନର ବିହନ ଓ ସାର ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ । ବନ୍ୟାଜଳ ନିଷ୍କାସନ, ଭାଙ୍ଗୀଯୋଇଥିବା ବନ୍ଧ ଗୁଡିକର ମରାମତି, କେନାଲ ଓ ବନ୍ଧ ଗୁଡିକର ଦୁର୍ବଳ ସ୍ଥାନ ଗୁଡିକର ମରାମତି, ଶୂନ୍ୟ ମୃତ୍ୟୁହାର ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଚୁଡା, ଗୁଡ, ମହମବତୀ ଆଦି ମହଜୁଦ୍ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ କହିଥିଲେ । ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ ଔଷଧ, ହେଲୋଜେନ୍ ବଟିକା, ସାପ କାମୁଡା ଔଷଧ ଆଦି ମହଜୁଦ୍‌ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଣାଇଥିଲେ । ଜିଲ୍ଲାରେ ଗତବର୍ଷ ତୁଳନାରେ ଶତକଡା ୩୧ ଭାଗ ବର୍ଷା କମ୍ ରହିଥିବା ଜିଲ୍ଲା କୃଷି ଅଧିକାରୀ ପ୍ରକାଶ କରିଥିଲେ । ଚଳିତ ବର୍ଷ ଚାଷୀ ମାନଙ୍କୁ ଯୋଗାଇ ଦେବା ନିମନ୍ତେ ଉନ୍ନତମାନର ବିହନ ଓ ରାସାୟନିକ ସାର ଗଚ୍ଛିତ ରଖାଯାଇଛି । ଗ୍ରାମ୍ୟ ଜଳ ଯୋଗାଣ ଓ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ବିପର୍ଯ୍ୟୟ ସମୟରେ ଟ୍ୟାଙ୍କର ସାହାଯ୍ୟରେ ନିରାପଦ ପାନୀୟ ଜଳ ଜନ ସାଧାରଣଙ୍କୁ ଯୋଗାଇ ଦେବା ଓ ଖରାପ ଥିବା ନଳକୂପ ଗୁଡିକର ମରାମତି କରିବା ଉପରେ ଜଣାଇଥିଲେ । ପ୍ରତ୍ୟେକ ବ୍ଲକରେ ରାପିଡ୍ ରେସପନ୍ସ ଟିମ୍ ସଦା ଜାଗ୍ରତ ରହିଛି । ଜରୁରୀକାଳୀନ ସେବା ଯଥା ବିଦ୍ୟୁତ୍, ଦୂରସଂଚାର, ଯୋଗାଯୋଗ ଇତ୍ୟାଦି ନିମନ୍ତେ ଏନ୍. ଡି. ଆର୍. ଏଫ୍. ଏବଂ ଓ. ଡି. ଆର୍. ଏଫ୍. ଟିମ୍ ଜାଗ୍ରତ ରହିଛନ୍ତି । ତଳିଆ ଅଞ୍ଚଳ ଗୁଡିକୁ ଚିହ୍ନଟ କରି ବନ୍ୟା ସମୟରେ ବାତ୍ୟା ଆଶ୍ରୟସ୍ଥଳକୁ ଜନସାଧାରଣଙ୍କୁ ସ୍ଥାନାନ୍ତର କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜନ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଇତ୍ୟାଦିଙ୍କୁ ରିଲିଫ୍ ବଣ୍ଟନ ପାଇଁ ତାଲିମ୍ ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ସକାଶେ ଜିଲ୍ଲା ସ୍ତରରେ, ବ୍ଲକ୍ ସ୍ତରରେ, ତହସିଲ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦିଆଯିବ । ପଶୁ ସମ୍ପଦ ନିମନ୍ତେ ଗୋ ଖାଦ୍ୟ, ଟୀକା, ଔଷଧ ଆଦି ମହଜୁଦ୍ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଜଣାଇଥିଲେ ।
ବିପର୍ଯ୍ୟୟ କେତେବେଳେ ଆସିବ କେହି କହିପାରିବେ ନାହିଁ କିନ୍ତୁ ପୁର୍ବ ସୂଚନା ପାଇବା ପରେ ଯଦି ସେଗୁଡିକର ପରିଚାଳନା ସଠିକ୍ କରିବା ତେବେ ବିପର୍ଯ୍ୟୟର ମୁକାବିଲା କରିପାରିବା । ଏହି ବିପର୍ଯ୍ୟୟର ମୁକାବିଲା ଦିଗରେ ଆମ୍ଭ ମାନଙ୍କୁ ପୂର୍ବ ପ୍ରସ୍ତୁତି କରିବାର ଅଛି ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଜଣାଇଥିଲେ । ବୈଠକରେ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କ ପ୍ରତିନିଧିଗଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ମିସ୍ ମଧୁମିତା, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହନ୍ତ, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତଗୀର, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଓସ୍‌ଡମାର ଅଧିକାରୀ, ସମସ୍ତ ସଂପୃକ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ଆଶ୍ରୟସ୍ଥଳୀର ସଭାପତି, ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.