
ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ପ୍ରହରୀ ମଣ୍ଡପ ଠାରେ ଖପ୍ରାଖୋଲ ଗ୍ରାମବାସୀଙ୍କ ପକ୍ଷରୁ ୨୪ ପ୍ରହର ନାମଯଜ୍ଞ ଓ ସଂକୀର୍ତ୍ତନ ମହାଆଡମ୍ବର ସହ ବୈଦିକ ରୀତିନୀତି ଅନୁଯାୟୀ ଫେବୃଆରୀ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ରବିବାର ଏକ ବିଶାଳ କଳସ ଯାତ୍ରା ଆୟୋଜିତ ହୋଇଯାଇଛି । ଖପ୍ରାଖୋଲ ସରକାରୀ କଁଟାରୁ କଳସ ଯାତ୍ରା ବାହାରି ଖପ୍ରାଖୋଲ ପ୍ରହରୀ ମଣ୍ଡପ ଠାରେ ତିଆରି କରାଯାଇଥିବା ବେଦି ପର୍ଯ୍ୟନ୍ତ ଗ୍ରାମର ଶତାଧିକ ମହିଳା ପୋଖରୀରୁ ଜଳ ଧାରଣ କରି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କଳସ ମୁଣ୍ଡାଇ ପହଞ୍ଚି ଥିଲେ । ଏହି ନାମଯଜ୍ଞରେ କର୍ତ୍ତା ଭାବେ ପଦ୍ମ ସିଂ ବରିହା ସପତ୍ନୀଙ୍କ ସହ ଦାୟିତ୍ୱ ନିର୍ବାହ କରିବେ । ପୁଝାରୀ ରମେଶ ଦାସ ମହାରାଜଙ୍କ ତତ୍ୱାବଧାନରେ ଚାରିଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘୃତଯଜ୍ଞ, ଅନ୍ନଯଜ୍ଞ ଓ ନାମଯଜ୍ଞ ଅନୁଷ୍ଠିତ ହେବା ସହ ଚାରିଦିନ ପର୍ଯ୍ୟନ୍ତ ଭକ୍ତ ବୃନ୍ଦଙ୍କ ପାଇଁ ଖାଦ୍ୟ ଭଣ୍ଡାର କରାଯିବ ବୋଲି ଗ୍ରାମ୍ୟ ନାମଯଜ୍ଞ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଖପ୍ରାଖୋଲ ପ୍ରହରୀ ପରିଚାଳନା କମିଟି ସଭାପତି ରାଜାରାମ ବେହେରା, ସମ୍ପାଦକ ଜୟପ୍ରକାଶ ରାଉତ, କୋଷାଧ୍ୟକ୍ଷ ମହାବୀର ପଧାନ, ଶେଷ ଦଣ୍ଡସେନା, ଜଗତ ନାଗ ଅନ୍ୟମାନଙ୍କ ମଧ୍ୟରେ ରିଙ୍କୁ ବାରିକ, ପ୍ରମୋଦ ବାରିକ, ସୁବଳ ପଧାନ, ସନ୍ତୋଷ ଗଡ଼ତ୍ୟା, ବିମଲ ରଞ୍ଜନ ସାହୁ, ଆଶିଷ ଭୋଇ, ଅନିରୁଦ୍ଧ ସାହୁ ପ୍ରମୁଖଙ୍କ ସମେତ ଗ୍ରାମବାସୀ ସମୁହ ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବେ ସହଯୋଗ କରୁଛନ୍ତି ।