କାଳବୈଶାଖୀ ଯୋଗୁଁ ସଇଁତଲା ଅଂଚଳରେ ବ୍ୟାପକ କ୍ଷୟକ୍ଷତି : ଝଡ଼ତୋଫାନ ଓ କୁଆପଥର ଯୋଗୁଁ ୪ ଘଣ୍ଟା ନାଗାବଳୀ ଟ୍ରେନ ଅଟକି ରହିଲା

ସଇଁତଲା, (ପ୍ରମୋଦ ସେଲମା) : ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଂଚଳରେ କାଳବୈଶାଖୀ ହେବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି । ସହରରେ ଥିବା କେନ୍ଧୁଲିପ ଅଫିସ, ସ୍କୁଲକଲେଜରେ ଗଛପଡି କାନ୍ଥ ଗୁଡିକ ଭଙ୍ଗାରୁଚା ହୋଇଥିବା ବେଳେ ଡାକ୍ତରଖାନା ମଧ୍ୟ ଗଛ ପଡି ବିଭିନ୍ନ ଗୃହ ଚୁରମାର ହୋଇଛି । ସେହିପରି ଟିକ୍ରାପଡାରୁ ସଇଁତଲା ଆର୍‌ଡି ରାସ୍ତା ୨୬ ନମ୍ବର ଜାତୀୟ ରାଜପଥରେ ଗଛ ପଡି ରାସ୍ତା ବନ୍ଦ ହୋଇଥିଲା ଘଟଣା ଖବର ପାଇଁ ଅଗ୍ନିଶ୍ରମ ବିଭାଗ ପହଂଚି ଗଛଗୁଡିକୁ ହଟାଇବା ପରେ କିଛି ଜାଗା ସ୍ୱାଭାବିକ ହୋଇଛି । ଏହା ସହିତ ସଇଁତଲା ପଞ୍ଚାୟତର ପିତାମହୁଲ, ଡେଙ୍ଗ ଗାଁରେ ଗୋଟିଏ ପରିବାର ଘର ଉପରେ ଗଛ ପଡି ନଷ୍ଟ ହୋଇଛି । ଝଡ଼ତୋଫାନ ଯୋଗୁଁ ତାରଗୁଡିକ ଛିଣ୍ଡି ପଡିରହିଛି ଯାହାଫଳରେ ବିଦ୍ୟୁତ ସରୋବରାହ ବନ୍ଦ ରହିଛି । ଏପରିକି ଘଡଘଡି ସହ ପ୍ରବଳ କୁଆ ପଥର ମାଡ଼ ଯୋଗୁଁ ବିଭିନ୍ନ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ଏହା ସହିତ ଝଡ଼ ତୋଫାନ ହେବା ଯୋଗୁଁ ଆଡ଼ବେଷ୍ଟର ଘରଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି ଲୋକେ ବେସାହାରା ହୋଇ ପଡିଛନ୍ତି । ସେହିପରି ଝଡ଼ତୋଫାନ ଓ କୁଆପଥର ମାଡ଼ ଯୋଗୁଁ ଦୀର୍ଘ ୪ ଘଣ୍ଟା ଧରି ନାଗାବଲି ଟ୍ରେନ ମଧ୍ୟ ରେଲୱେ ଷ୍ଟେସନରେ ଅଟକି ରହିଥିଲା । ଏହି ଝଡ଼ତୋଫାନ ଅଂଚଳକୁ ସଇଁତଲା ସରପଞ୍ଚ ସୁବ୍ରତ ଯାଦବ ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ରାଜସ୍ବ ବିଭାଗର ଅଧିକାରୀଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.