
ଭୁବନେଶ୍ଵର : ଆଗାମୀ ୮ ରୁ ୯ ତାରିଖ ଯାଏ ପାଗରେ ହେବନି ବିଶେଷ ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ କାଳବୈଶାଖୀ ବର୍ଷା । ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ସହ ରାତିରେ ଥଣ୍ଡା ଅନୁଭବ ହେବ । ଏନେଇ ସୂଚନା ଦେଇଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ । କାଳବୈଶାଖୀ ଓ ଟ୍ରପଲାଇନ୍ର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ । ୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିବ । ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । ୩ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୪, ୫ ଓ ୬ ତାରିଖରେ ବି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।