jayashree

‘୫-ଜି’ର ଦ୍ରୁତ କାର୍ଯ୍ୟକାରିତା ଭାରତକୁ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା କରିଛି

  • ୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ବ୍ୟବହାର କରିବେ ୫-ଜି ସେବା
  • ୫-ଜି ପ୍ରଯୁକ୍ତି ୨୦୨୩ରୁ ୨୦୪୦ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ ପ୍ରାୟ ୩୬.୪ ଲକ୍ଷ କୋଟି ଟଙ୍କାର ଯୋଗଦାନ ଦେବ
  • ସମାବେଶୀ ଦୂରସଞ୍ଚାର ପ୍ରଯୁକ୍ତି ଏବଂ ଉପଭୋକ୍ତାଙ୍କ ତଥ୍ୟ ଗୋପନୀୟତା ଜରିଆରେ ଜନସେବା କ୍ଷେତ୍ରରେ ୫-ଜି ଓ ୬-ଜି ସେବାର ପ୍ରୟୋଗ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର

ନୂଆଦିଲ୍ଲୀ, (ପିଆଇବି) : ୫-ଜି’ର ଦ୍ରୁତ କାର୍ଯ୍ୟକାରିତା ଏବଂ ଗ୍ରହଣୀୟତା ସହିତ ଭାରତ ଏକ ପରିବର୍ତ୍ତନକାରୀ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛି । ୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ୫-ଜି ସେବା ବ୍ୟବହାର କରୁଥିବେ ବୋଲି ଜିଏସ୍‌ଏମ୍‌ଏ ରିପୋର୍ଟରୁ ଜଣାପଡ଼ିଛି । ବ୍ୟାପକ ସରକାରୀ ପ୍ରୟାସ, ଭିତ୍ତିଭୂମିରେ ନିବେଶ ଏବଂ ନୀତିଗତ ସଂସ୍କାର ୫-ଜିର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବ । ଏହି ପରିବର୍ତ୍ତନ ଭାରତକୁ ଏକ ଡିଜିଟାଲ-ପ୍ରଥମ ରାଷ୍ଟ୍ରରେ ପରିଣତ କରିବା ସହିତ ମୋବାଇଲ ପ୍ରଯୁକ୍ତିକୁ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି ଓ ପ୍ରଶାସନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ବ୍ୟବହାର କରାଯାଇପାରିବ । ୫-ଜି ପ୍ରଯୁକ୍ତି ୨୦୨୩ରୁ ୨୦୪୦ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ ପ୍ରାୟ ୩୬.୪ ଲକ୍ଷ କୋଟି ଟଙ୍କାର ଯୋଗଦାନ ଦେବ ଏବଂ ଏହା ୨୦୨୪୦ ସୁଦ୍ଧା ଦେଶର ଜିଡିପିରେ ୦.୬% ପ୍ରତିଶତରୁ ଅଧିକ ଅଂଶ ହାସଲ କରିବ । ଉତ୍ପାଦନ, ଖୁଚୁରା ବ୍ୟବସାୟ, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡିକ ୫-ଜି ଦ୍ୱାରା ଉପକୃତ ହେବେ, ଯାହା ନୂତନ ପରିଚାଳନା ମଡେଲ, ଉନ୍ନତ ଦକ୍ଷତା ଓ ସ୍ମାର୍ଟ ସିଟି ଏବଂ ଡିଜିଟାଲ ଗଭର୍ଣ୍ଣାନ୍ସ ଭଳି ଅଭିନବ ସେବାକୁ ସକ୍ଷମ କରିବ । ୫-ଜିର ଦ୍ରୁତ କାର୍ଯ୍ୟକାରିତା ପାଇଁ ଭାରତ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ୱଦେଶୀ ଟେଲିକମ୍ ଷ୍ଟେକ୍ ପାଇଁ ଭାରତରାନ୍ ପ୍ରକଳ୍ପ ଅଧୀନରେ ଭାରତ ନିଜର ଓଆର୍‌ଏଏନ୍ ଅନୁପାଳନକାରୀ ୫-ଜି ଉପକରଣ ସମେତ ୪-ଜି/୫-ଜି ଟେଲିକମ୍ ଷ୍ଟେକକୁ ବିକଶିତ କରିଛି । ଏହି ସ୍ଥାନୀୟ ଭିତ୍ତିଭୂମି ବିଦେଶୀ ଜ୍ଞାନକୌଶଳ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସହାୟକ ହୋଇଥାଏ, ଯାହା ଏକ ବିଶ୍ୱ ଟେଲିକମ୍ ଉତ୍ପାଦନ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିଥାଏ । ସରକାରୀ ଅନୁଦାନରେ ୮ଟି ପ୍ରମୁଖ ଗବେଷଣା ଅନୁଷ୍ଠାନ ଗବେଷଣା ଓ ଉଦ୍ଭାବନକୁ ସମର୍ଥନ କରିବା ପାଇଁ ଏକ ସ୍ୱଦେଶୀ, ସମ୍ପୂର୍ଣ୍ଣ ପ୍ରୋଗ୍ରାମେବଲ୍ ୫-ଜି ଟେଷ୍ଟ ବେଡ୍ ତିଆରି କରିଛନ୍ତି । ଏହି ଭିତ୍ତିଭୂମି କମ୍ପାନୀମାନଙ୍କୁ ଭବିଷ୍ୟତର ୫-ଜି ଏବଂ ୬-ଜି ଅଗ୍ରଗତିକୁ ସମର୍ଥନ କରିବା ସହିତ ସେମାନଙ୍କର ପ୍ରୋଟୋଟାଇପ୍ ଏବଂ ସେବାଗୁଡିକୁ ବୈଧ କରିବାକୁ ଅନୁମତି ଦିଏ ।
ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସହରାଞ୍ଚଳ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରରେ ୫-ଜି ପ୍ରୟୋଗ ଉପରେ ଗୁରୁତ୍ବ ଦେବା ପାଇଁ ସରକାର ୧୦୦ କୋଟି ଟଙ୍କାର ବ୍ୟୟବରାଦ ସହ ସମଗ୍ର ଦେଶରେ ୧୦୦ଟି ଲ୍ୟାବ୍ ମଞ୍ଜୁର କରିଛନ୍ତି । ଡିଜିଟାଲ କମ୍ୟୁନିକେସନ୍ ଇନୋଭେସନ୍ ସ୍କୋୟାର (ଡିସିଆଇଏସ୍) ଏବଂ ଟେଲିକମ୍ ଟେକ୍ନୋଲୋଜି ଡେଭଲପମେଣ୍ଟ ଫଣ୍ଡ (ଟିଟିଡିଏଫ୍) ଯୋଜନା ମିଳିତ ଭାବେ ଦୂରସଞ୍ଚାର ଗବେଷଣା ଓ ବିକାଶରେ ଷ୍ଟାର୍ଟଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସମର୍ଥନ କରିଥାଏ, ସ୍ୱଦେଶୀ ୫ଜି ସମାଧାନ ବିକଶିତ କରିବା ପାଇଁ ପାଣ୍ଠି ଏବଂ ସମ୍ବଳ ପ୍ରଦାନ କରିଥାଏ । ୨୦୨୨ରେ ଆରମ୍ଭ ହୋଇଥିବା ଟିଟିଡିଏଫ୍‌ ଗ୍ରାମୀଣ ଯୋଗାଯୋଗ ପ୍ରଯୁକ୍ତି ଉଦ୍ଭାବନ ପାଇଁ ବାର୍ଷିକ ୫୦୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥାଏ । ସରକାର ସ୍ପେକ୍ଟ୍ରମ୍ ମୂଲ୍ୟ ହ୍ରାସ କରିଛନ୍ତି, ରାଇଟ୍ ଅଫ୍ ୱେ (ଆର୍‌ଓଡବ୍ଲ୍ୟୁ) ଅନୁମୋଦନକୁ ସୁବ୍ୟବସ୍ଥିତ କରିଛନ୍ତି ଏବଂ ଭିତ୍ତିଭୂମି ନିୟୋଜନକୁ ସରଳ କରି ଗତିଶକ୍ତି ସଂଚାର ପୋର୍ଟାଲ୍ ପ୍ରତିଷ୍ଠା କରିଛନ୍ତି । ଏହି ନୀତିଗତ ପରିବେଶ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦ୍ରୁତ ଏବଂ ଅଧିକ ଆର୍ଥିକ ନେଟୱାର୍କ ସମ୍ପ୍ରସାରଣକୁ ପ୍ରୋତ୍ସାହିତ କରେ । ୫-ଜି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ବେଳେ ନୂତନ ଜ୍ଞାନକୌଶଳକୁ ବାଧାମୁକ୍ତ, ନିରବଚ୍ଛିନ୍ନ ଏବଂ ସମାବୋ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଭାରତ କେତେକ ପ୍ରମୁଖ ଆହ୍ୱାନର ମଧ୍ୟ ମୁକାବିଲା କରୁଛି । ବିଶେଷକରି ଗ୍ରାମୀଣ ଜନସଂଖ୍ୟା ମଧ୍ୟରେ ବ୍ୟବହାର ବ୍ୟବଧାନ ଏବଂ ଉଚ୍ଚ କ୍ଷମତା ବିଶିଷ୍ଟ ବ୍ୟାକହଲ୍ ଏବଂ କ୍ଷୁଦ୍ର-ସେଲ୍ ଭିତ୍ତିଭୂମିରେ ନିରନ୍ତର ପୁଞ୍ଜିନିବେଶର ଆବଶ୍ୟକତା ହେଉଛି ୫-ଜିର ପ୍ରଭାବକୁ ସର୍ବାଧିକ କରିବା ପାଇଁ ଉଦ୍ଦିଷ୍ଟ କ୍ଷେତ୍ର । ‘୫-ଜି ଇଣ୍ଟେଲିଜେଣ୍ଟ ଭିଲେଜ୍’ ଯୋଜନାରେ ଗ୍ରାମୀଣ, ଉପାନ୍ତ ଓ ବଞ୍ଚିତ ଅଞ୍ଚଳରେ ୫-ଜି କଭରେଜ୍ ଯୋଗାଇ ଦିଆଯାଉଛି । ଏହା ସ୍ଥାନୀୟ ସମୁଦାୟକୁ ଡିଜିଟାଲ ସେବା ଯୋଗାଇ ଦେବା ସହ କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପ୍ରଶାସନରେ ସୁଧାର ଆଣିବ । ବର୍ତ୍ତମାନ ୪.୧୫ ଲକ୍ଷରୁ ଅଧିକ ୫-ଜି ସାଇଟ୍ କାର୍ଯ୍ୟକ୍ଷମ ହେବା ଉଲ୍ଲେଖନୀୟ, କିନ୍ତୁ ୫-ଜି ବେସ୍ ଷ୍ଟେସନ୍ (ବିଟିଏସ୍)ର ଘନତା ବୃଦ୍ଧି ବିଶେଷକରି ଜନବହୁଳ ସହରାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ କଭରେଜ୍, ସ୍ପିଡ୍ ଏବଂ ନେଟୱାର୍କ ବିଶ୍ୱସନୀୟତା ବୃଦ୍ଧି କରିବ । ନିୟମିତ ଭାବରେ ୫-ଜି ଆବଶ୍ୟକତା ଆକଳନ କରିବା ସହିତ ଦକ୍ଷ ଏବଂ ସୁଲଭ ଭାବରେ ସ୍ପେକ୍ଟ୍ରମ୍ ଆବଣ୍ଟନ କରାଯାଇଛି । ୫-ଜି ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ପାଇଁ ନୀତିକୁ ସୁବ୍ୟବସ୍ଥିତ କରାଯାଉଛି । ୫-ଜିର ବୃଦ୍ଧି ସହିତ, ଦୃଢ଼ ସାଇବର ସୁରକ୍ଷା ପଦକ୍ଷେପର ଆବଶ୍ୟକତା ତୀବ୍ର ହେବ। ୫-ଜି ନେଟୱାର୍କରେ ଉପଭୋକ୍ତାଙ୍କ ଡାଟା ଏବଂ ଯୋଗାଯୋଗକୁ ସୁରକ୍ଷିତ ରଖିବା ପାଇଁ ଶକ୍ତିଶାଳୀ ଏନକ୍ରିପ୍ସନ୍ ଟେକ୍ନୋଲୋଜି (ଯେପରିକି କ୍ୱାଣ୍ଟମ୍ ଏନକ୍ରିପ୍ସନ୍ ଆଲଗୋରିଦମ୍ ଇନିସିଏଟିଭ୍) ଏବଂ ନୀତି ବିକାଶ ପାଇଁ ନିବେଶ କରାଯିବ । ୫-ଜି ଓ ୬-ଜି ଟେକ୍ନୋଲୋଜିରେ ଗବେଷଣା ଓ ବିକାଶକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଟେଲିକମ୍ ଟେକ୍ନୋଲୋଜି ଡେଭଲପମେଣ୍ଟ ଫଣ୍ଡ (ଟିଟିଡିଏଫ୍) ଭଳି ପଦକ୍ଷେପକୁ ବିସ୍ତାର କରିବା ସହିତ ଦୂରସଞ୍ଚାର କ୍ଷେତ୍ରରେ ନିୟୋଜିତ ଷ୍ଟାର୍ଟଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସମର୍ଥନ କରିବ । ସେହିପରି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବିଶ୍ୱ ବଜାରରେ ପ୍ରବେଶ କରାଇବାରେ ଏମ୍‌ଏସ୍‌ଏମ୍‌ଇ ସାର୍ଟିଫିକେସନ୍ ସହାୟତା ଘରୋଇ ଉତ୍ପାଦନ ଏବଂ ୫-ଜି ସମ୍ବନ୍ଧୀୟ ଉତ୍ପାଦର ରପ୍ତାନି ସମ୍ଭାବନା ବୃଦ୍ଧି କରିବ । ଉନ୍ନତ ଆଇଓଟି ଏକୀକରଣ, ଉନ୍ନତ ଟ୍ରାଫିକ୍ ପରିଚାଳନା ଏବଂ ସ୍ମାର୍ଟ ୟୁଟିଲିଟି ସହିତ ସ୍ମାର୍ଟ ସିଟି ସୃଷ୍ଟି କରିବାରେ ୫ଜିର ସାମର୍ଥ୍ୟକୁ ଉପଯୋଗ କରାଯାଇପାରିବ । ବିଶେଷ କରି ଦୁର୍ଗମ ଅଞ୍ଚଳରେ ୫-ଜି ଦ୍ୱାରା ଟେଲିମେଡିସିନ ଏବଂ ଡିଜିଟାଲ ଲର୍ଣ୍ଣିଂ ସଲ୍ୟୁସନ, ରିମୋଟ୍ ଡାଇଗ୍ନୋଷ୍ଟିକ୍, ଅସ୍ତ୍ରୋପଚାର ଏବଂ ପରାମର୍ଶ ସେବାରେ ସୁଧାର ଆସିବ । ସ୍ମାର୍ଟ ପୁଲିସିଂ, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରଶାସନ ପାଇଁ ୫-ଜିର ବ୍ୟବହାର ବୃଦ୍ଧି ହେଉଛି । ୫-ଜି ସକ୍ଷମ ରିଅଲ-ଟାଇମ୍ ଡାଟା ବିଶ୍ଳେଷଣ ନିଷ୍ପତ୍ତି ନେବା, ସାର୍ବଜନୀନ ନିରାପତ୍ତା ଏବଂ ସମ୍ବଳ ପରିଚାଳନାରେ ଉନ୍ନତି ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି । ୬-ଜି ସେଣ୍ଟର ଅଫ୍ ଏକ୍ସଲେନ୍ସ ଭଳି ପଦକ୍ଷେପ ଏବଂ ୬-ଜି ପ୍ରଯୁକ୍ତିର ତ୍ୱରାନ୍ୱିତ ଗବେଷଣା ପାଇଁ ପ୍ରସ୍ତାବ ସହିତ ୬-ଜି ଗବେଷଣା ଉପରେ ଭାରତର ଫୋକସ୍ ଜାରି ରହିବ । ୫-ଜି ସର୍ବବ୍ୟାପୀ ହେବା ବେଳକୁ ଭାରତ ୬-ଜିର ବିକାଶ ଓ ନିୟୋଜନର ନେତୃତ୍ୱ ନେବା ପାଇଁ ଭଲ ସ୍ଥିତିରେ ରହିଥିବ । ୫-ଜି ଯୁଗରେ ସୁରକ୍ଷିତ ଯୋଗାଯୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ସୁରକ୍ଷିତ ଯୋଗାଯୋଗ ପାଇଁ କ୍ୱାଣ୍ଟମ ଏନକ୍ରିପ୍ସନ୍ ଉପରେ ଧ୍ୟାନ ଦେବା ଭାରତକୁ ଦୂରସଞ୍ଚାର ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ । କ୍ୱାଣ୍ଟମ ଏନ୍‌କ୍ରିପ୍ସନ୍ ଆଲଗୋରିଦମ୍ ଉପରେ ଗବେଷଣା ଭାରତକୁ ବିଶ୍ୱ ଟେଲିକମ୍ ଇକୋସିଷ୍ଟମରେ ଏକ ପ୍ରତିଯୋଗିତାମୂଳକ ଅଗ୍ରଣୀ ପ୍ରଦାନ କରିବ । ଦୈନନ୍ଦିନ ଜୀବନରେ ୫-ଜି ସୁବିଧା, ବ୍ୟବହାର ଏବଂ ଭବିଷ୍ୟତ ପ୍ରଭାବ ବିଷୟରେ ସଚେତନତା ବୃଦ୍ଧି ପାଇଁ ଜାତୀୟ ଅଭିଯାନ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ଗୋପନୀୟତା, ଡାଟା ନିରାପତ୍ତା ଏବଂ ଉପଲବ୍ଧତା ବିଷୟରେ ରହିଥିବା ଚିନ୍ତାର ସମାଧାନ ୫-ଜି ବାଧାମୁକ୍ତ ଗ୍ରହଣୀୟତାକୁ ସୁନିଶ୍ଚିତ କରିବ । ସମାଜର ସମସ୍ତ କ୍ଷେତ୍ର, ବିଶେଷକରି ଗ୍ରାମୀଣ ଜନସଂଖ୍ୟା, ମହିଳା ଏବଂ ଅବହେଳିତ ସମୁଦାୟକୁ ୫-ଜି ସୁବିଧା ପ୍ରଦାନ କରିବା ସୁନିଶ୍ଚିତ କରି ଡିଜିଟାଲ ବିଭାଜନକୁ ଦୂର କରିବା ପାଇଁ ପ୍ରୟାସ ଭାରତକୁ ଏ କ୍ଷେତ୍ରକୁ ଅଗ୍ରଣୀ କରାଇବ । ଇଣ୍ଡିଆ ୫-ଜି ଆଲାଏନ୍ସ ଭଳି ପଦକ୍ଷେପ, ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଯୋଗୁ ଭାରତ ଏହି କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ହାସଲ କରୁଛି । ୫-ଜି ଟେକ୍ନୋଲୋଜି ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗର ଫାଇଦା ଉଠାଇବା ପାଇଁ ଭାରତ ଭଲ ସ୍ଥିତିରେ ଅଛି । ଭିତ୍ତିଭୂମିର ସମ୍ପ୍ରସାରଣ, ସ୍ୱଦେଶୀ ଗବେଷଣା ଓ ବିକାଶକୁ ସମର୍ଥନ, ସହଯୋଗକୁ ପ୍ରୋତ୍ସାହନ କରିବା ଏବଂ ୫ଜି ସେବାରେ ସମାବେଶିତା ସୁନିଶ୍ଚିତ କରି ଭାରତ ଦୂରସଞ୍ଚାର କ୍ଷେତ୍ରରେ ଡିଜିଟାଲ ବିପ୍ଳବର ନେତୃତ୍ୱ ନେବା ଜାରି ରଖିପାରିବ । ଦେଶ ୬-ଜି ଆଡକୁ ଅଗ୍ରସର ହେଉଥିବା ବେଳେ ଏହି ପଦକ୍ଷେପ ଦ୍ୱାରା ଦୂରସଞ୍ଚାର କ୍ଷେତ୍ରରେ ଭାରତ ପାଇଁ ନିରନ୍ତର ଅଭିବୃଦ୍ଧି, ଉଦ୍ଭାବନ ଏବଂ ବିଶ୍ୱସ୍ତରୀୟ ନେତୃତ୍ୱ ସୁନିଶ୍ଚିତ କରିବ ।

Leave A Reply

Your email address will not be published.