
ବଲାଙ୍ଗିର, (କେପିଏନ୍ଏସ୍) : ସମଗ୍ର ବିଶ୍ୱରେ କୋଟି କୋଟି ମଣିଷ ଅଛନ୍ତି, କିନ୍ତୁ କବିପ୍ରାଣ ସ୍ୱତନ୍ତ୍ର । କାରଣ ସେ ନିଜେ ଜଣେ ସ୍ରଷ୍ଟା । ତା’ର ଭାବ ଜଗତ ସତ୍ୟ, ଶିବ ଓ ସୁନ୍ଦର । ବିଜ୍ଞାନର ଆବିଷ୍କାର ବଳରେ ଆଜି ମଣିଷ ଧରାକୁ ସରା ମଣିଛି ସତ, କିନ୍ତୁ ସାହିତ୍ୟପ୍ରାଣ କବିମାନେ ହିଁ ମାନବ ଭିତରେ ସ୍ନେହ, ଶ୍ରଦ୍ଧା, ମମତା ଓ ଉଦାରପଣିଆ ଉଦ୍ରେକ କରିବାକୁ ସମର୍ଥ । ଏଇଥି ପାଇଁ ତ କବି ଏବଂ କବିତାର ଆଦର ସର୍ବତ୍ର । ସେହି ଭାବର ବନ୍ଧନ ହିଁ ବଲାଙ୍ଗିରର ଆଇନ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତଙ୍କୁ ଏକାଠି କରିଥିଲା ‘ବିଶ୍ୱ କବିତା ଦିବସ’ରେ । ସମାଜ, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ‘ରଚନା’ର ସଭାପତି ସନାତନ ଠାକୁରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଲୋଚନାର ପ୍ରସଙ୍ଗ ଥିଲା “କବିତା ବିନା ବା କି ଜୀବନ !”। ଏଥିରେ ଓଡ଼ିଆ କବିତା ରାଜ୍ୟର ସୁନାମଧନ୍ୟ କବି ଅମିୟ ରଞ୍ଜନ ମହାପାତ୍ର ଅତିଥିବକ୍ତା ଭାବେ ଯୋଗଦେଇ ଜୀବନ ଓ କବିତାର ନିବିଡ଼ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ତା’ସହିତ ତାଙ୍କର ସ୍ୱରଚିତ କବିତା ଆବୃତ୍ତି ସମସ୍ତଙ୍କ ହୃଦୟକୁ ଜିଣି ନେଇଥିଲା । କବି ପ୍ରହ୍ଲାଦ ଶତପଥି ଅନ୍ୟତମ ଅତିଥିବକ୍ତା ଭାବେ ଯୋଗଦେଇ କବିତା ଓ ସାମ୍ପ୍ରତିକ ଜୀବନ ଉପରେ ସୁନ୍ଦର ତର୍ଜମା କରିଥିଲେ । ତାଙ୍କ କବିତା “ପକ୍ଷୀ ହିଁ ଆକାଶ” ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲା । ଏହି ମହାର୍ଘ ଅବସରରେ କବୟିତ୍ରୀ ଲିଲି ପଟେଲଙ୍କ ସଂଯୋଜନାରେ ନିମନ୍ତ୍ରିତ କବି ଡା. ଜୋତିର୍ମୟୀ ସାହୁ, ବନ୍ଦନା ପଟ୍ଟନାୟକ, ବିଜୟ କୁମାର ତ୍ରିପାଠୀ, ନବୀନ ବିଶ୍ୱବନ୍ଧୁ, ସନ୍ଦୀପ କୁଅଁର, ଶୁଭ୍ରାଂଶୁ ଶେଖର ପଣ୍ଡା, ଅର୍ଜୁନ ସାହୁ, ସବିତା ମହରା, ଡ. ସୁଧାଂଶୁବାଳା ତ୍ରିପାଠୀ, ଡ. ଜଗନ୍ନାଥ ସାହୁ, ପୁସ୍ତମ ଜୁଆଡ଼ି, ଗଣେଶ ବାରିକ, ସୁଜାତା ଭୋଇ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, କସ୍ତୁରୀ ରଥ ଓ ଆଶିଷ ମିଶ୍ର ସ୍ବରଚିତ କବିତା ଆବୃତ୍ତି କରିଥିଲେ । ସମସ୍ତଙ୍କ କବିତା ଭାବପୂର୍ଣ୍ଣ ଏବଂ ଜୀବନଧର୍ମୀ ଥିଲା । ‘ରଚନା’ର ସମ୍ପାଦକ କବି ଭାଗୀରଥି ମିଶ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ ଏବଂ ସହ-ସମ୍ପାଦକ ଡ. ଲକ୍ଷ୍ମଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ‘ବିଶେଷ ରଚନା ସଂଧ୍ୟା’ରେ ବହୁସଂଖ୍ୟାରେ ସହରର ଜ୍ଞାନୀ, ଗୁଣୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।