
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବ୍ରହ୍ମପୁର ମହାନଗର ଖଲ୍ଲିକୋଟ କଲେଜ ମିନି ଷ୍ଟାଡିଅମରେ ଗଞ୍ଜାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଦିଗଦର୍ଶନ ଅନୁଷ୍ଠାନ ଓ ଖୋର୍ଦ୍ଧା ଜିଲ୍ଲା ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ଦଶମ ମହାନଗର ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟା କବିତା ଆସର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦିଗଗଦର୍ଶନ ଅନୁଷ୍ଠାନର ନିର୍ଦ୍ଦେଶକ ଉମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରିଷ୍ଠ ଲେଖିକା ଦେବୀପ୍ରଭା ରଥ ଉଦ୍ଘାଟିକା ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ବୃକ୍ଷ ମାନବ ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ଗାନ କରି ଉପସ୍ଥିତ କବି ଓ କବୟିତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ତଥା ସୁ-ସାହିତ୍ୟକ କୈଳାଶ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁମଧୁର ସୁନ୍ଦର କବିତା ଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ନିଶିଗନ୍ଧାର ଡ଼. କୁଳମଣି ଓଝା, ବରିଷ୍ଠ କବି ବିପ୍ଲବକବି ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ପୁସ୍ତକ ଓ ପୁସ୍ତକମେଳାର ଉପାଦେୟତା ବିଷୟରେ ଚୁମ୍ବକୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ସୁଶ୍ରୀ ବିଜୟଲକ୍ଷ୍ମୀ ମହାକୁଡ ଓ ସୁଧାଞ୍ଜଳି ମିଶ୍ରଙ୍କ ସଂଯୋଜନାରେ ୪୦ରୁ ଅଧିକ କବି କବୟିତ୍ରୀ କବିତା ପାଠ କରିଥିଲେ । ପରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇଙ୍କ ଦ୍ଵାରା ନିଶିଗନ୍ଧାର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା । ପରିଶେଷରେ ସ୍ଥାନୀୟ ଅଞ୍ଚଳର କୁନି କାଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦିଗଦର୍ଶନ ଫାଉଣ୍ଡେସନର ଉପସଭାପତି ରାକେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପୁସ୍ତକ ମେଳାର କମିଟି ମେମ୍ବର ପ୍ରଫୁଲ ତ୍ରିପାଠୀ, ବି. ସତ୍ୟମ ଆଚାରୀ, ଗଜାନନ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।