
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ମକର ସଂକ୍ରାନ୍ତି ଉପଲକ୍ଷେ ସିର୍ଜିନା ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମକର ମିଳନ ସମ୍ପର୍କିତ ଏକ ଭର୍ଚ୍ୟୁଆଲ୍ ସଭା ଆୟୋଜିତ ହେବା ସହିତ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା ଯୁବକବି ରାଧାମୋହନ ପୂଜାହାରୀଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ସପନ କୁମାର ମିଶ୍ର ମୁଖ୍ୟ ଅତିଥି, ସରୋଜ କୁମାର ସାହୁ ମୁଖ୍ୟବକ୍ତା ଏବଂ କବୟିତ୍ରୀ ତଥା କଣ୍ଠଶିଳ୍ପୀ ଶ୍ରୀମତୀ ସବିତା ମେହେରା ମୁଖ୍ୟ ଶ୍ରୋତା ଭାବରେ ଯୋଗ ଦେଇଥିଲେ । ସପନ କୁମାର ମିଶ୍ର ନିଜ ବକ୍ତବ୍ୟରେ ପଶ୍ଚିମ ଓଡ଼ିଶାର ଦୁଇ ଜଣ ମହାନ ନାଟ୍ୟକାର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ୱାଳ ଓ ସ୍ବର୍ଗତ ଲାଲା ରତ୍ନାକର ସିଂଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସମ୍ବଲପୁରୀ ନାଟ୍ୟ ସାହିତ୍ୟରେ ସେମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସପନ କୁମାର ମିଶ୍ର, ସରୋଜ କୁମାର ସାହୁ, ରମଣୀ ରଞ୍ଜନ ବିଶ୍ୱାଳ, ଯୁବ କବି ତନ୍ମୟ, ରାଧାମୋହନ ପୂଜାହାରୀ, ମୀରାବାଈ ପାଣିଗ୍ରାହୀ, ସବିତା ମେହେରା, ଆହ୍ଲାଦିନୀ ଦାସ, ପ୍ରସନ୍ନ ରଣା, ଆଶୁତୋଷ ଠାକୁର, ବେଦବ୍ୟାସ ମେହେର, ରାଜେନ୍ଦ୍ର ମହାନ୍ତି ଆଦି ଅନେକ କବି କବୟିତ୍ରୀ ନିଜ ନିଜ ସ୍ୱରଚିତ କବିତା ପାଠ କରି ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ । ମୁଖ୍ୟ ଶ୍ରୋତା ସବିତା ମେହେରା କବିମାନଙ୍କର କବିତା ଗୁଡ଼ିକର ପାଠକୀୟ ଅଭିମତ ରଖିଥିଲେ । କାର୍ଯ୍ୟକ୍ରମକୁ କବି ଭୀଷ୍ମଦେବ ସାହୁ ପରିଚାଳନା କରିଥିଲେ । ପରିଶେଷରେ କବି ରାଧାମୋହନ ପୂଜାହାରୀ ଧନ୍ୟବାଦ ଜ୍ଞାପନ କରିଥିଲେ । କରୋନା ମହାମାରୀ ଭଳି ସାଙ୍ଘାତିକ ପରିସ୍ଥିତିରେ ମଧ୍ୟ ଅନୁଷ୍ଠାନର ସଂପାଦକ ରାଜେନ୍ଦ୍ର ମହାନ୍ତିଙ୍କ ଏଭଳି ଭର୍ଚ୍ୟୁଆଲ୍ ସଭା ଓ କବିତା ଆସର ଆୟୋଜିତ କରିବାର ପ୍ରୟାସକୁ କବି ମହଲରେ ଭୂୟସୀ ପ୍ରଶଂସା କରାଯାଇଛି ।