ସଫଳତା ପଥରେ ଜ୍ୟୋତିରଂଜନ : ଟାଇକଣ୍ଡୋରୁ ୟୁଟ୍ୟୁବର, ସବୁଥିରେ ମାହିର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିଶୁ ପ୍ରତିଭା ଜ୍ୟୋତିରଂଜନ ପାଢ଼ୀ । ମଦର ପବ୍ଲିକ୍‌ ସ୍କୁଲରେ ଅଧୁନା ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ । ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ କ୍ଲାସରୁ ବନିଛନ୍ତି ସଫଳ ୟୁଟ୍ୟୁବର । ପଢ଼ା ପାଇଁ କିଛି ସମୟ ପାଇଁ ବାପାଙ୍କ ଠାରୁ ମୋବାଇଲ୍‌ ଆଣିବା ସହ ସମୟର ସଦୁପଯୋଗ କରିବା ଆଗ୍ରହ ଆଣିଦେଲା ଜ୍ୟୋତିଙ୍କୁ ଭିନ୍ନ ସଫଳତା । ଅନ୍ୟମାନଙ୍କ ଭଳି ମୋବାଇଲରେ ଅନାବଶ୍ୟକ ଭାବେ ଘଂଟା ଘଂଟା ଧରି ଗେମ୍‌ ଖେଳିବା ପରିବର୍ତେ ଆରମ୍ଭ କଲେ ନିଜର ନୂଆ ୟୁଟ୍ୟୁବ ଚ୍ୟାନେଲ ଯାହାର ନାମ ‘ଓକେ ଇଙ୍ଗଲିସ୍‌ ଫ୍ରେଣ୍ଡ’ । ଜ୍ୟୋତିରଂଜନଙ୍କ ବାପା ତାଙ୍କୁ ଉପହାର ଦେଇଥିଲେ ଏକ ନୂଆ ସ୍ମାର୍ଟଫୋନ୍‌ । ଯାହାକୁ ପାଇ ଜ୍ୟୋତି ଖୁସିବ୍ୟକ୍ତ କରିବା ସହ ଆରମ୍ଭ କରି ଦେଇଥିଲେ ନିଜର ସୋସିଆଲ୍‌ ମିଡିଆର ଲମ୍ବା ଯାତ୍ରା । ସ୍ପୋକେନ୍‌ ଇଙ୍ଗଲିସ କ୍ଲାସ ଠାରୁ ଆରମ୍ଭ କରି ଓଡ଼ିଆ ବ୍ୟାକରଣ, ସାହିତ୍ୟ, କ୍ଷୁଦ୍ରଗଳ୍ପ, ନୈତିକ ଶିକ୍ଷା, କମ୍ପ୍ୟୁଟର ଟ୍ରେନିଂ, ଆନିମେସନ୍‌, ଭ୍ରମଣ ସଂପର୍କିତ ତଥ୍ୟ, ଗଣିତ ଭଳି ଆଦି ବିଷୟ ବସ୍ତୁ ଉପରେ ନିଜେ ଲେଖା ପ୍ରସ୍ତୁତି କରି ଦେଉଛନ୍ତି ସଂଳାପ । ମାତ୍ର ସେମାନଙ୍କ ମଧ୍ୟରୁ ଜଟିଆ କମେଡି ଆଣିଦେଇଛି ତାଙ୍କ ପାଇଁ ଲୋକପ୍ରିୟତା ଓ ପ୍ରଶଂସା ମଧ୍ୟ । ଏ ପର୍ଯ୍ୟନ୍ତ ନଅ ହଜାରରୁ ଅଧିକ ସବ୍‌ସ୍କାଇବର୍‌ ଓ ଲକ୍ଷ ଲକ୍ଷ ଭ୍ୟୁୟର ଏହି କମେଡିକୁ ଦେଖି ମଜା ନେଉଛନ୍ତି । ମାତ୍ର ୬ ମାସ ଡିଜିଟାଲ୍‌ ଦୁନିଆଁ ଯାତ୍ରାରେ ସେ ପ୍ରସ୍ତୁତ କରିଛନ୍ତି
୨୦୦ଟିରୁ ଅଧିକ ଭିଡିଓ । ଏଥି ସହ ଜ୍ୟୋତିରଂଜନ ଦୁଇଟି କମ୍ପାନୀ, ଗୋଟିଏ ସ୍କୁଲ ଏବଂ ବିଭିନ୍ନ ଅନୁଷ୍ଠାନ ନିମନ୍ତେ ବିଜ୍ଞାପନ ପ୍ରସ୍ତୁତ କରି ମଧ୍ୟ ସାଉଁଟିଛନ୍ତି
ସଫଳତା । ଖାଲି ଏତିକି ନୁହେଁ ଜ୍ୟୋତିରଂଜନ ସ୍କୁଲରେ ଭଲପାଠ ପଢ଼ିବା ସହ ଜଣେ ଭଲ ଟାଇକୋଣ୍ଡ ଖେଳାଳୀ । ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ଟାଇକୋଣ୍ଡରେ ପାଇଛନ୍ତି ଗୋଲ୍‌ଡ ମେଡାଲ । ଶ୍ରୀନଗର(ଜାମ୍ମୁକାଶ୍ମୀର), ପୁନେ (ମହାରାଷ୍ଟ୍ର) ଠାରେ ଆୟୋଜିତ ଜାତୀୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଖେଳରେ ୬ଟି ଗୋଲଡ୍‌ ମେଡାଲ ପାଇଛନ୍ତି । ସେ ଟାଇକୋଣ୍ଡରେ ଗ୍ରୀନ୍‌ ବେଲ୍‌ଟ ଲାଭ କରିଛନ୍ତି । ଭାରତୀୟ ବିଜ୍ଞାନ ଅଲମ୍ପିଆଡ୍‌ରେ ସ୍ୱର୍ଣ୍ଣ ଓ ବ୍ରୋଂଚ ପଦକ ହାସଲ କରିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ, ସାଙ୍ଗସାଥୀ ଏବଂ ଶୁଭେଚ୍ଛୁମାନେ ଜ୍ୟୋତିରଂଜନଙ୍କ ଉଜ୍ୱଳ ଭବିଷ୍ୟତ
କାମନା କରିଛନ୍ତି । ସେ ଅନ୍ୟପିଲାମାନଙ୍କ ଉଦାହରଣର ପାତ୍ର ପାଲଟିଛନ୍ତି
ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.