pakka

ସାମ୍ୟବାଦୀ ବିପ୍ଳବୀ ଜନନେତା ଯୁଧିଷ୍ଠିର ମିଶ୍ର

  • ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ

ପରାଧିନ ଭାରତର ଶେଷବେଳକୁ ବ୍ରିଟିସ ଶାସନ ଲୋକଙ୍କୁ ଅତିଷ୍ଠ କରିଦେଇଥିଲା । ଠିକ୍‌ ସେହିପରି ବ୍ରିଟିସ ଶାସନକୁ ଆୟୁଧକରି ଶାସନ କରୁଥିବା ଗଡଜାତରାଜ୍ୟମାନଙ୍କରେ ପ୍ରଜାଙ୍କୁ ଶୋଷଣ କରାଯାଉଥିଲା । ଠିକ୍‌ ସେହି ସମୟରେ ଓଡିଶାର କିଛି ଛାତ୍ରଙ୍କୁ ଏହା ଉଦ୍‌ବେଳିତ କରିଥିଲା ଓ ସେହି ଶୋଷଣରୁ ମୁକ୍ତି ପାଇଁ ଝାସଦେଇଥିଲେ ସ୍ୱାଧିନତା ଆନ୍ଦୋଳନରେ । ସେହିଭଳିି ଜଣେ ଛାତ୍ରନେତା ଥିଲେ ବଲାଙ୍ଗିର ମାଟିର ସୁପୁତ୍ର ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର । ବଲାଙ୍ଗିର ନିକଟସ୍ଥ ଛତାମଖନାରେ ୧୯୧୪ ମସିହା ଅଗଷ୍ଟ ୧୯ରେ ଜନ୍ମିତ ଯୁଧିଷ୍ଠିର ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରୁ ୧୯୩୪ ମସିହାରେ ମାଟ୍ରୀକରେ ଉତ୍ତିର୍ଣ୍ଣ ହୋଇ ରେଭେନ୍ସା କଲେଜରେ ପାଠ ପଢିଥିଲେ । ସେଠାରେ ନିଜର ଦକ୍ଷତା ପ୍ରତିପାଦନ କରି ଜଣେ ସଫଳ ଛାତ୍ରନେତା ହୋଇଥିଲେ । ଡିଗ୍ରୀ ପାଠପଢୁଥିବା ସମୟରେ ୧୯୩୮ ମାସିହାରେ ବ୍ରିଟିସ୍‌ରାଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପୂର୍ବକ ସାହସିକ ପଦକ୍ଷେପ ନେଇ କଲେଜରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ସାମ୍ନା କରିବାକୁ ପଡିଥିଲା । ସେହି ସମୟରେ ବ୍ରିଟିସ ଶାସନ ବିରୁଦ୍ଧରେ କହିବା ମଧ୍ୟ ଦେଶଦ୍ରୋହୀ ଅପରାଧ ଥିଲା । ସେ ସମୟରେ ନିଜ ଅନ୍ତର ଭିତରେ ଥିବା କୋହକୁ ସମ୍ବରଣ କରିନପାରି ସେ ସ୍ୱାଧିନତାର ବାର୍ତ୍ତାଦେବାକୁ ଏଭଳି ସାହସିକ ପଦକ୍ଷେପ ନେଇଥିଲେ । ତାଙ୍କ ଛାତ୍ରଜୀବନରୁ ତାଙ୍କର ସାମ୍ୟବାଦୀ ବିଚାରବୋଧ ବାରିହୋଇ ପଡିଥିଲା । ପାଠ ପଢିଲା ବେଳେ ବଲାଙ୍ଗିରରେ ନିଜେ ସଂଗଠନ ଗଢି କୃଷକ ସଂଗଠନ ଗଠନ କରିଥିଲେ । ସେହି କୃଷକ ସଂଗଠନ ରାଜତନ୍ତ୍ର ବିରୁଦ୍ଧରେ ସିଧାସଳଖ ସ୍ୱର ଉତ୍ତୋଳନ କରୁଥିଲେ । କୃଷକମାନଙ୍କ ସମସ୍ୟା ବଢୁଥିବା ଓ ରାଜତନ୍ତ୍ରରେ ବର୍ଦ୍ଧିତ ରାଜସ୍ୱ ସହିତ ଭେଟିବିଗାଡିର ସେ ଦୃଢ ବିରୋଧ କରୁଥିଲେ । ସେହି ସମୟରେ ତାଙ୍କ ବଡଭାଇ ସତ୍ୟାନନ୍ଦ ମିଶ୍ର, ଚୁଡାପାଲିର ଯୋଗେଶ୍ୱର କୁମୁରା, ଖୁଣ୍ଟପାଲିର ଚିନ୍ତାମଣୀ ମିଶ୍ର, ସଇଁନ୍ତଲାର ଦିବାକର ବହିଦାରଙ୍କ ନେତୃତ୍ୱରେ ଚୁଡାପାଲିରେ ଏକ ବିଶାଳ କୃଷକ ଆନ୍ଦୋଳନ ହୋଇଥିଲା । ପ୍ରାୟ ୧୦ହଜାର ଚାଷୀ ଏକ ଶୋଭାଯାତ୍ରାରେ ବଲାଙ୍ଗିରକୁ ଆସି ରାଜାକୁ ଖୋଲା ଆହ୍ୱାନ ଦେଇଥିଲେ । ଏହା ଅଞ୍ଚଳର ପ୍ରଥମ ରାଜତନ୍ତ୍ର ବିରୋଧି ଅଭିଯାନ ଥିଲା । ରେଭେନ୍ସା କଲେଜରୁ ଫେରିଲା ପରେ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ କିଛିକାଳ ଶିକ୍ଷକତା କରିଥିଲେ ଓ ପରେ ପାଟଣା ଯାଇ ଆଇନ ପାଠ ପଢିଥିଲେ । ସେଠାରେ ମଧ୍ୟ ତାଙ୍କର ନେତୃତ୍ୱ ବାରି ହୋଇପଡିଥିଲା । ସେହି ସମୟରେ ଯୁଧିଷ୍ଠିର ମିଶ୍ର ଓଡିଶା-ବିହାର ଛାତ୍ର ସଂଗଠନର ସାଧାରଣ ସଂପାଦକ ଭାବରେ ନିର୍ବାଚିତ ହୋଇ ଛାତ୍ରମାନଙ୍କ ନେତୃତ୍ୱ ନେଇଥିଲେ । ପରେ ବଲାଙ୍ଗିରକୁ ଫେରି ଆଇନ ବ୍ୟବସାୟ କଲାବେଳେ ସେହି ସାମ୍ୟବାଦୀ ଆଦର୍ଶରେ ଏକ କୃଷକଦଳ ଗଠନ କରିଥିଲେ । ଏହି କୃଷକଦଳ ୧୯୪୬ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ମିଶିଗଲା ପରେ ସେ କଂଗ୍ରେସ ଦଳରେ ରହି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ ହୋଇଥିଲେ । ଭାରତୀୟ ସମ୍ବିଧାନ ପ୍ରଣୟନ ସଭାରେ ସଭ୍ୟରହି ସମ୍ବିଧାନ ପ୍ରଣୟନରେ ତାଙ୍କର ପ୍ରମୁଖ ଭୂମିକା ଦର୍ଶାଇଥିଲେ । ସେହି କାରଣରୁ ତାଙ୍କୁ ସ୍ୱାଧିନ ଭାରତର ଅସ୍ଥାୟୀ ଲୋକସଭାରେ ମନୋନିତ ସଭ୍ୟ କରାଯାଇଥିଲା । ସ୍ୱାଧିନ ଭାରତରେ ସେ ଥରେ ମାତ୍ର ନିର୍ବାଚନରେ ଛିଡା ହୋଇଥିଲେ । କେବେ ମଧ୍ୟ ସେ ନିର୍ବାଚିତ ଲୋକପ୍ରତିନିଧି ହୋଇନଥିଲେ ହେଁ ଜଣେ ସାମ୍ୟବାଦୀ ଜନନେତା ଭାବରେ ପରିଗଣିତ ହେଉଥିଲେ । ସେ ଜଣେ ସ୍ୱାଧିନଚେତା ବିପ୍ଳବୀ ମାନସିକତାର ବ୍ୟକ୍ତି ଥିଲେ ହେଁ ଶାନ୍ତି ଆନ୍ଦୋଳନର ଜଣେ ପୁରୋଧା ମଧ୍ୟ ଥିଲେ । ସେଥିପାଇଁ ୧୯୬୧ ମସିହାରେ ତାଙ୍କୁ ‘ବିଶ୍ୱଶାନ୍ତି ଓ ନିରସ୍ତ୍ରୀକରଣ’ଶୀର୍ଷକ ଏକ ଆଲୋଚନାରେ ଯୋଗଦେବା ପାଇଁ ଭାରତୀୟଦଳର ପ୍ରତିନିଧି ଭାବରେ ସୋଭିଏତ ଋଷକୁ ପଠାଯାଇଥିଲା । ତେବେ ୧୯୫୩ ମସିହାରେ ସେ କଂଗ୍ରେସଦଳ ତ୍ୟାଗକରି ବାମପନ୍ଥୀ ସିପିଆଇଦଳରେ ଯୋଗଦେଇଥିଲେ । ତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ସେ ତାଙ୍କ ବାମପନ୍ଥ୍ରୀ ବିଚାର ସହିତ ରହିଥିଲେ । ବଲାଙ୍ଗିର ତଥା ଆଖପାଖ ଅଞ୍ଚଳର ଅନେକ ଶିକ୍ଷାନୁଷ୍ଠାନର ସେ ପ୍ରତିଷ୍ଠାତା ସଭାପତି ତଥା ସଭ୍ୟ ରହିଆସିଥିଲେ । ଏହା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସିଣ୍ଡିକେଟ ସଭ୍ୟ, କାଉନସିଲସଭ୍ୟ ସହିତ କିଛିଦିନ କୁଳପତି ଦାୟିତ୍ୱରେ ମଧ୍ୟ ରହିଥିଲେ । ରାଜନୀତି ସହିତ ଶିକ୍ଷାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସମୟରେ ଛାତ୍ରନେତାମାନେ ତାଙ୍କୁ ବଲାଙ୍ଗିରର ନେହେରୁ ବୋଲି କହୁଥିଲେ । ବଲାଙ୍ଗିରରେ ଆୟୁର୍ବେଦ କଲେଜ, ମହିଳା ମହାବିଦ୍ୟାଳୟ ସ୍ଥାପନ ଇତ୍ୟାଦିରେ ତାଙ୍କର ସକ୍ରୀୟ ଭୂମିକା ରହିଥିଲା । ଏହା ସହିତ ବଲାଙ୍ଗିର ଜିଲ୍ଲା ଉନ୍ନୟନ କମିଟିର ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସଭାପତି ରହିଥିଲେ । ୧୯୮୧ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ବଲାଙ୍ଗିର ମାଟିର ଜଣେ ବିପ୍ଳବୀ ସାମ୍ୟବାଦୀ ଜନନେତାଙ୍କ ଆଦର୍ଶ ତାଙ୍କ ଜନ୍ମଜୟନ୍ତୀରେ ଆଜିର ଯୁବସମାଜକୁ ଉଦବୁଦ୍ଧ କରୁ ଏହା ହିଁ କାମନା ।

Leave A Reply

Your email address will not be published.

twelve + 12 =