ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ଆସନ୍ତା ୧ରୁ ୭ ଫେବୃଆରୀ ପର୍ଯ୍ୟନ୍ତ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡିଆ, ସେକ୍ଟର ୫ରେ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାର ଯୋଗଦାନ କରିବାକୁ ଜିଲ୍ଲାପାଳ ମନୋଜ ମହାଜନ ରାଉରକେଲା ଜନସାଧାରଣଙ୍କୁ ଅପିଲ କରିଛନ୍ତି । ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହି ପ୍ରଦର୍ଶନୀ ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଓରମାସ, ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଉଛି । ଏହି ମେଳାରେ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ଖାଦ୍ୟ ମେଳା ପାଇଁ ୨୦୦ ଷ୍ଟଲ ଲାଗିବ । ସେଥିମଧ୍ୟରୁ ହସ୍ତଶିଳ୍ପ ପ୍ରଦର୍ଶନୀ ପାଇଁ ୧୦୦ଟି ଷ୍ଟଲ, ପଲ୍ଲୀଶ୍ରୀ ମେଳା ପାଇଁ ୮୦ଟି ଷ୍ଟଲ ଓ ଖାଦ୍ୟ ମେଳା ପାଇଁ ୨୦ଟି ଷ୍ଟଲ ଲାଗିବ । ଏହା ବ୍ୟତୀତ ଫାୟର, ପୋଲିସ ଓ ମେଡିକାଲ ପାଇଁ ବି ଷ୍ଟଲ ଲାଗିବ । ଏହାକୁ ନେଇ ପ୍ରସ୍ତୁତି ଚୁଡାନ୍ତ ହୋଇସାରିଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହସ୍ତଶିଳ୍ପ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ କରିଗର ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହେବ । ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ପ୍ରତ୍ୟେକ ଦିନ ସକାଳ ୧୦ ଘଟିକାରୁ ରାତ୍ରି ୧୦ ଘଟିକା ଯାଏଁ ଚାଲିବ । ଖାଦ୍ୟ ମେଳା ସଂଧ୍ୟା ୫ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ । ଏବଂ ପ୍ରତିଦିନ ସଂଧ୍ୟା ୬ ଘଟିକାରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ଥିଲେ ।