
- ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମର ଶୁଭାରମ୍ଭ : ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୯୫ ବିଦ୍ୟାଳୟକୁ ସାମିଲ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସୋନପୁର ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସାମ୍ପ୍ରତିକ ସମୟରେ ସମସ୍ତ ସ୍କୁଲ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ହେତୁ ସ୍ୱାଭାବିକ ଦୈନନ୍ଦିନ ଶିକ୍ଷା ପାଇପାରି ନାହାନ୍ତି । ଏଣୁ ଏହି ଶିକ୍ଷା ସେତୁ କାର୍ଯ୍ୟକ୍ରମ ଜରିଆରେ ବିଭାଗ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀ ପିଲାଙ୍କ ଘରକୁ ଘର ଯାଇ ଉଦ୍ଧିଷ୍ଟ ଶିକ୍ଷା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଆବଶ୍ୟକ ପରାମର୍ଶ ଦେବେ ଯାହା ଦ୍ୱାରା ଶିକ୍ଷାରୁ ବଞ୍ଚିତ ଘରେ ଥିବା ପିଲାମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ନ ହୋଇ ସେମାନେ ବୌଦ୍ଧିକ, ମାନସିକ, ନୈତିକ ଓ ବିଶେଷ କରି ଦୈନନ୍ଦିନ ଶିକ୍ଷା କ୍ଷେତ୍ରରେ ପ୍ରତିଯୋଗୀ ମନୋଭାବାପନ୍ନ ସହ ଆଗକୁ ବଢ଼ିପାରିବେ ବୋଲି କହିବା ସହ ଏଥି ନିମନ୍ତେ ସମସ୍ତ ବିଭାଗୀୟ କର୍ମକର୍ତ୍ତାଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ ଏହି ଅବସରରେ ବିଭାଗ ତରଫରୁ ପିଲାଙ୍କ ଶୈକ୍ଷିକ ବିକାଶକୁ ପରୀକ୍ଷା କରିବା ନିମନ୍ତେ ପ୍ରସ୍ତୁତ ପ୍ରଶ୍ନାବଳୀ ପୁସ୍ତିକାକୁ ଅନାବରଣ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ଶିକ୍ଷା ଜିଲ୍ଲାର କ୍ଲଷ୍ଟର ସ୍ତରରେ ୨ଟି ଲେଖାଏଁ ସମୁଦାୟ ୧୮୪ ପ୍ରାଥମିକ ବିଦ୍ୟାଳୟ ଓ ୧୧ଟି ଉଚ୍ଚ ବିଦ୍ୟାଳୟକୁ ନିଆଯାଇଛି । କାର୍ଯ୍ୟକ୍ରମର ସ୍ଥିତି ଓ ଅଗ୍ରଗତିକୁ ଜାଣିବା ନିମନ୍ତେ ପ୍ରତି ୧୫ ଦିନରେ ସମୀକ୍ଷା କରାଯିବ । ପୁନଶ୍ଚ ଗ୍ରାମ ସ୍ତରରେ ଶିକ୍ଷାର ଉପାଦେୟତା ଓ ବର୍ତ୍ତମାନ ସ୍ଥିତିରେ ଆମର ସାମୂହିକ ଦାଇତ୍ଵ ଓ କର୍ତ୍ତବ୍ୟ ଉପରେ ଅଭିଭାବକଙ୍କୁ ନେଇ ସଚେତନତା ବୈଠକ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସ୍ୱାଗତ ବକ୍ତବ୍ୟ ଦେଇ କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମଂଚାସୀନ ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତ୍ୟା, ପିଲାଙ୍କୁ ଶିକ୍ଷା ପ୍ରଦାନ ବର୍ତ୍ତମାନ ବିଭାଗ ପାଇଁ ଏକ ବଡ ଆହ୍ୱାନ ରହିଛି, ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ପିଲାଙ୍କ ଶିକ୍ଷାର ଉନ୍ନତିରେ ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି । ଜିଲ୍ଲାର ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟଫର୍ଦ ମାଧ୍ୟମରେ ଶିକ୍ଷଣ ଫଳାଫଳ ହାସଲ ପାଇଁ ଜିଲ୍ଲାର ୧୯୫ଟି ବିଦ୍ୟାଳୟରେ ୧୦୯୪ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ୨୬୦୯୨ ଜଣ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି । ବୀରମହାରାଜପୁରର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର କୁମ୍ଭକାର ଶିକ୍ଷା ସେତୁର ସଫଳତା ପାଇଁ ଉଦ୍ଧିଷ୍ଟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝୀପଡା, କୃଷ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ, ରାଜେନ୍ଦ୍ର କୁମାର ମିଶ୍ର, ବିଇଓ ଉଲୁଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷଣ ବିଜ୍ଞାନ ସଂଯୋଜକ ଅକ୍ଷୟ କୁମାର ସାହୁ, ଗ୍ରାମ ଉତଥାନର ପ୍ରତାପ କୁମାର ପ୍ରଧାନ, ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର, ବିଇଓ ବିନିକା ଶଶୀ ଭୂଷଣ ସେଠୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦୋଳଗୋବିନ୍ଦ ପଣ୍ଡା ଓ ସୁସ୍ମିତା ସାହୁ ସମସ୍ତ ବିଆରସିସି, ସିଆରସିସିଙ୍କ ସହ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ ।