ବଲାଙ୍ଗିର, (କେପିଏନ୍ଏସ୍) : ଲୋଇସିଂହା ଏନ୍ଏସି ଗଠନ ନେଇ ତଥ୍ୟ ପ୍ରଦାନ କରାଯାଇ ସାରିଥିବା ବିଷୟରେ ବଲାଙ୍ଗିର ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍ଏସି ମାନ୍ୟତା ପ୍ରସଙ୍ଗ କେତେ ଦୂର ଅଗ୍ରଗତି କଲା, ସେ ସମ୍ପର୍କରେ ଜାଣିବା ପାଇଁ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଗତ ତା ୦୫/୦୭/୨୦୨୨ ଦିନ ବିଧାନସଭାରେ ପ୍ରଶ୍ନ ଉପସ୍ଥାପନ କରିଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ଏହାର ଉତ୍ତରରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ତଥ୍ୟ ମଗାଯାଇଛି, କିନ୍ତୁ ସେ ତଥ୍ୟ ପ୍ରଦାନ କରୁନଥିବାରୁ ବିଲମ୍ବ ହେଉଛି ବୋଲି ଉତ୍ତର ରଖିଥିଲେ । ମନ୍ତ୍ରୀଙ୍କ ଏଭଳି ଉତ୍ତର ସଂକ୍ରାନ୍ତରେ ଆଜି ଲୋଇସିଂହା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟମାନେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ମନ୍ତ୍ରୀ ଦେଇଥିବା ଉତ୍ତର ସଂକ୍ରାନ୍ତରେ ପଚାରି ବୁଝିଥିଲେ । ତେବେ ସମସ୍ତ ତଥ୍ୟ ପଞ୍ଚାୟତିରାଜ ବିଭାଗକୁ ଚିଠି ନଂ ୨୩୦, ତା- ୨୭/୨/୨୦୨୧ରେ ପ୍ରେରଣ କରିଥିବା ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଲୋଇସିଂହାକୁ ଏନ୍ଏସି ମାନ୍ୟତା ଦାବୀରେ ଗତବର୍ଷ ଆନ୍ଦୋଳନକୁ ଓହ୍ଲାଇଥିବା ଆଞ୍ଚଳିକ ବିକାଶ ପରିଷଦକୁ ଉକ୍ତ ଚିଠିର ଏକ ନକଲ ଜିଲ୍ଲାପାଳଙ୍କ ପକ୍ଷରୁ ଆସିଥିବା ଦୁଇଜଣିଆ ପ୍ରତିନିଧି ମଣ୍ଡଳୀ ଆସି ଆନ୍ଦୋଳନ ସ୍ଥଳରେ ପ୍ରଦାନ କରିଥିଲେ । ଫଳରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ତେବେ ବିଭାଗୀୟ ମନ୍ତ୍ରୀ ଲୋଇସିଂହା ଅଞ୍ଚଳବାସୀଙ୍କୁ ଭ୍ରମିତ କରିବା ସହିତ ପ୍ରତାରଣା କରୁଥିବାରୁ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏହାର ଦୃଢ଼ ନିନ୍ଦା କରାଯିବା ସହିତ ଆଗାମୀ ଦିନରେ ପୁଣିଥରେ ଜୋରଦାର ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦିଆଯାଇଛି ।