
ବଲାଙ୍ଗିର ଜିଲ୍ଲା ପରିଷଦ ଆସନ ହାତେଇବାକୁ ତିନି ଦଳ ମଧ୍ୟରେ ଲଢେଇ : ବାଜିରେ ଲାଗିଛି ରାଜ ପରିବାରର ପତିଆରା, ଅଂଟା ଭିଡ଼ୁଛି କଂଗ୍ରେସ ସହ ବିଜେପି

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ହଜାର ହଜାର ଶ୍ରମିକ ପ୍ରତି ବର୍ଷ ନିଜର ପେଟ ପୋଷିବା ପାଇଁ ଦାଦନ ଖଟିବା ପାଇଁ ଯାଆନ୍ତି । ଏହା ଏକ ପରଂପରା ହେବାକୁ ବସିଲାଣି । କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ କଲ୍ୟାଣ ପାଇଁ ଗୁଡ଼ାଏ ଯୋଜନା ରହିଥିବା ବେଳେ ଶ୍ରମିକ ସମୁଦାୟ ଏହି ସବୁ ଯୋଜନା ପାଇଁ କାହିିଁକି ବିତସ୍ପୃହ ସେ ଦିଗରେ ଚିନ୍ତା କରିବାକୁ ନା’ ପ୍ରଶାସନର ନିଘା ଅଛି ନା’ ନେତା ମନ୍ତ୍ରୀଙ୍କର ଦରଜ୍ ଅଛି । ଶାସକ ଦଳ ଅନେକ ବିକାଶର କଥା କହୁଛନ୍ତି, କିନ୍ତୁ ବାସ୍ତବରେ ବିକାଶ ସାତ ସ୍ୱପ୍ନ ପାଲଟିଛି । ଫଳରେ ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ ଦାଦନ ଖଟିବା ପାଇଁ ପ୍ରତିବର୍ଷ ଯାଉଛନ୍ତି । ଏବେ ପଞ୍ଚାୟତ ନିର୍ବାଚନକୁ ନେଇ କେବଳ ଗାଁ ରାଜନୀତି ସରଗରମ ହୋଇନାହିିଁ, ବରଂ ନେତାଙ୍କ ଚିନ୍ତା ମଧ୍ୟ ଦ୍ୱିଗୁଣିତ ହୋଇଛି । ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ ହାତେଇବାକୁ ଦଳଗୁଡ଼ିକ ପକ୍ଷରୁ ନେତାଙ୍କୁ ଟାସ୍କ ଦିଆଯାଇଛି । ଆଉ ଏହି ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ଏବେ ବଲାଙ୍ଗିର ଜିଲ୍ଲା ରାଜନୀତି ଜଗତ ଚଳଚଞ୍ଚଳ । କାରଣ ଏଠାରେ ପ୍ରାର୍ଥୀଙ୍କ ବିଜୟ ଉପରେ ନେତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି । ତେଣୁ ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ ନେତାଙ୍କ ଫୋକସ୍ରେ ରହିଛି । ଅନ୍ୟପଟେ ବଲାଙ୍ଗିର ରାଜନୀତି ଏଥିପାଇଁ ରୋଚକ ଯେ ଏଠାରେ ଭୋଟର୍ଙ୍କ ମୁଡ୍ ପରଖିବା ନେତାଙ୍କ ପାଇଁ କଷ୍ଟକର ହୋଇଥାଏ । ଗତ ୨୦୧୭ ନିର୍ବାଚନରେ ବଲାଙ୍ଗିରର ୩୪ ଜିଲ୍ଲା ପରିଷଦ ଆସନରୁ ବିଜେପି ଏକାକୀ ୨୩ଟି ଆସନ ହାତେଇବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ଗୋଟି ଚାଳନାରେ ଏଠାରେ ଶାସକ ଦଳକୁ ଧରାଶାୟୀ କରିଥିଲା ବିଜେପି । ସେତେବେଳେ ବିଜେପିରୁ ବିଧାୟକ ଥିବା କନକବର୍ଦ୍ଧନ ବିଜୟ ଝଣ୍ଡା ବୋହିବାରେ ସଫଳ ହୋଇଥିଲେ । କିନ୍ତୁ ୨୦୧୭ର ପଞ୍ଚାୟତ ସଫଳତା ୨୦୧୯ରେ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିନଥିଲା କନକବର୍ଦ୍ଧନଙ୍କ ବିଜୟ । କନକଙ୍କୁ ପ୍ରତ୍ୟାଖ୍ୟାନ୍ କରିଥିଲେ ଭୋଟର । ତେବେ ସାଂସଦ ଭାବେ କନକଙ୍କ ଧର୍ମପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ବାଛିଥିଲେ ବଲାଙ୍ଗିରବାସୀ । ତେବେ ଚଳିତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବଡ ଧରଣର ଓଲଟପାଲଟ ଦେଖିବାକୁ ମିଳିପାରେ ବୋଲି ଏବେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଚଳିତ ନିର୍ବାଚନ ବଲାଙ୍ଗିରର ପରିବର୍ତ୍ତନଶୀଳ ରାଜନୀତୀ ପାଣିପାଗ ଭିତରେ ବିଜେପି ଏତେଟା ଶୁଭଶୁଭ ଫଳ ପାଇନପାରେ ବୋଲି ମଧ୍ୟ ଆଲୋଚନା ଜୋର୍ ଧରିଛି । ସେହିଭଳି ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦରେ ଶାସକ ବିଜେଡି ଦଳ ମାତ୍ର ୯ଟି ଆସନ ହାତେଇଥିଲା । ତେବେ ୨୦୨୨ ରାଜନୈତିକ ସ୍ଥିତି କିଛି ଭିନ୍ନ ସଂକେତ ଦେଉଛି । ଦଳ ଚଳିତ ଥର ସଙ୍ଗଠିତ ହୋଇ ନିର୍ବାଚନ ଲଢିବା ଉପରେ ଜୋର୍ ଦେଉଛି । ତେବେ ଏହି ପଞ୍ଚାୟତ ନିର୍ବାଚନ ସିଂହଦେଓ ଭାଇ କଳିକେଶ-ଅର୍କେଶଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି । ରାଜ ପରିବାରର ଦୁଇ ଭାଇ ଏବେ ରାଜ୍ୟ ପାୱାର କରିଡର୍ରୁ ଦୂରରେ ରହିଥିବାରୁ ଚଳିତ ପଞ୍ଚାୟତ ଫଳାଫଳ ଆଗାମୀ ନିର୍ବାଚନରେ ଉଭୟଙ୍କ ପାଇଁ ରାଜ୍ୟ ରାଜନୀତିରେ ନୂଆଁ ବାଟ ଫିଟାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟଦିଗରେ ହେଭିୱେଟ ନେତ୍ରୀ ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ବିଜେଡ଼ି ସଙ୍ଗଠନର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ବିରୋଧୀଙ୍କୁ ଘେରିବାକୁ ପାଟଣାଗଡ ବିଧାୟକ ସରୋଜ ମେହେର ଜଗିଥିବା ବେଳେ ଲୋଇସିଂହା ଓ କଣ୍ଟାବାଞ୍ଝି ଗଡକୁ ସମ୍ଭାଳିଛନ୍ତି ଦଳର ଟାଣୁଆ ସଙ୍ଗଠକ, ଅଜୟ ଦାସ, ଆୟୁବ ଖାନ୍ ଏବଂ ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା । ଦଳ ଏଠାରେ ସଙ୍ଗଠିତ ହୋଇ ନିର୍ବାଚନ ଲଢୁଥିଲେ ମଧ୍ୟ ମମିତା ମେହେର ହତ୍ୟା ଘଟଣା ଓ ଧାନମଣ୍ଡି ସମସ୍ୟା ପ୍ରସଙ୍ଗ ବିଜେଡି ପାଇଁ ବୁମେରାଂ ହୋଇପାରେ ବୋଲି ମଧ୍ୟ ଆଲୋଚନା ଜୋର୍ ଧରିଛି । ଚଳିତ ପଞ୍ଚାୟତ ନିର୍ବାଚନ କଂଗ୍ରେସ ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଂଜ ହୋଇ ଉଭା ହୋଇଛି ।ବଲାଙ୍ଗିର ବିଧାୟକ ଟାଣୁଆ ଜନନେତା ନରସିଂହ ମିଶ୍ର ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଭଳି ଦୁଇ ଦୁଇ ଜଣ ଟାଣୁଆ ନେତା କଂଗ୍ରେସ ଦଳରେ ଥିବାବେଳେ ସଙ୍ଗଠନରେ ମଧ୍ୟ ସେଭଳି ଆଖିଦୃଶିଆ ଫାଟ ନାହିଁ, ଯାହା ଦଳ ପାଇଁ ବରଦାନ ସଦୃଶ । ଗତଥର ଦଳ ୨ଟି ଆସନ ହାତେଇଥିବା ବେଳେ ଏଥର ଏହି ସଂଖ୍ୟାରେ ଦୁଇ ଅଙ୍କରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଉଛି । କେନ୍ଦ୍ର ଓ ରାଜ୍ୟ ରାଜନୀତିରେ କଂଗ୍ରେସର ହାତ ଦୁର୍ବଳ ହୋଇଥିବା ବେଳେ ବଲାଙ୍ଗିରରେ ଟାଣୁଆ ନେତାଙ୍କ ଯୋଗୁଁ ସ୍ଥିତି ଜବର୍ ରହିଛି । ଏଥର ହାତ ନିଜ ପଞ୍ଝାକୁ ଆହୁରି ଟାଣ କରିବାର ଯଥେଷ୍ଟ ସୁଯୋଗ ରହିଛି । ଉଭୟ ବିଜେପି ଓ ବିଜେଡି ବିରୋଧରେ ଲୋକଙ୍କ ମଧ୍ୟରେ ଥିବା ମାଳ ମାଳ ଅଭିଯୋଗକୁ ପାଥେୟ କରି ଭୋଟର୍ଙ୍କ ଭରସା ଜିତିବା ଲକ୍ଷ୍ୟରେ ରହିଛି ଦଳ । ମୋଟାମୋଟି ଭାବେ କହିବାକୁ ଗଲେ ଚଳିତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗିର ଜିଲ୍ଲାରେ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବ, ତାହା ଏବେ ସସପେନ୍ସ ଘେରରେ । କାରଣ ୨୦୧୯ ନିର୍ବାଚନରେ ଯେଉଁ ସ୍ଥିତି ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ, ବଲାଙ୍ଗିର ଭୋଟରଙ୍କ ମୁଡ୍କୁ ବୁଝିବା ନେତାଙ୍କ ପକ୍ଷେ ସମ୍ଭବ ନୁହେଁ । ତେବେ ଦେଖାଯାଉ, କେଉଁ ଦଳର ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ସୁନା କଳସ ଢ଼ାଳୁଛି ଏବଂ କେଉଁ ଦଳ ତାର ଦବ୍ଦବା ପ୍ରଦର୍ଶନ କରିବାରେ ସଫଳ ହେଉଛି ।