ଲାଠୋର ବନବିଭାଗର ନିଷ୍କ୍ରିୟତା ନେଲା ଜଣେ ମହିଳାଙ୍କ ଜୀବନ

  • ହାତୀ ଆତଙ୍କରେ ବେନ୍ଦେର ଅଞ୍ଚଳ, ସଚେତନତା ଶୂନ୍ୟ ପ୍ରଶାସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨ ଟିକିଆ ହାତୀପଲ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ଲାଠୋର ବନବିଭାଗର ଘୋର ଅବହେଳାକୁ ପୁଣିଥରେ ସ୍ପଷ୍ଟ କରିଦେଇଛି । ଏହି ହୃଦୟ ବିଦାରକ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ ଓ ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ସହ ଲଢ଼ୁଛନ୍ତି । ମୃତକ ମହିଳା ହେଲେ ଫୁଲମତି ନାଗ (୪୫) । ସେ ତାଙ୍କ ସ୍ୱାମୀ ଗୌତମ ନାଗ ସହ କଣ୍ଟାବାଞ୍ଜି ନିକଟସ୍ଥ ଫୁଲକାନୀ ଗ୍ରାମରୁ ନିଜ ମା’ ଘର ଚହକପଡ଼ାକୁ କୁନୁଆ ଆସିଥିଲେ । ହାତୀପଲ ଘର ଭାଙ୍ଗି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଫୁଲମତିଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୌତମ ନାଗ ଓ ମା’ ଖୁଦ ନାଗ ଗୁରୁତର ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଗତ ଚାରିଦିନ ହେଲା ବେନ୍ଦେର ଅଞ୍ଚଳରେ ହାତୀପଲ ଘୁରୁଥିବା ସତ୍ତ୍ୱେ ଲାଠୋର ବନବିଭାଗ ଲୋକଙ୍କୁ କୌଣସି ପୂର୍ବ ସଚେତନତା, ମାଇକ୍ ପ୍ରଚାର କିମ୍ବା ସୁରକ୍ଷା ବ୍ୟବସ୍ଥା ନେଇନଥିଲା । ବନବିଭାଗର ଏହି ନିଷ୍କ୍ରିୟତା ଓ ଦାୟିତ୍ୱହୀନତା ଯୋଗୁଁ ଆଜି ଜଣେ ନିର୍ଦୋଷ ମହିଳାଙ୍କ ଜୀବନ ଚାଲିଗଲା ବୋଲି ଗ୍ରାମବାସୀ ତୀବ୍ର ଅସନ୍ତୋସ ପ୍ରକାଶ କରିଛନ୍ତି । ଘଟଣା ପରେ ବନବିଭାଗ ଓ ଲାଠୋର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ ମଧ୍ୟ, “ମୃତ୍ୟୁ ପରେ ପ୍ରଶାସନ” ନୀତିକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଯଦି ସଚେତନତା ହେଇଥାନ୍ତା, ଏହି ମୃତ୍ୟୁ ରୋକାଯାଇ ପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଏହି ଘଟଣା ଲାଠୋର ବନବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ଗୁରୁତର ପ୍ରଶ୍ନଚିହ୍ନ ଲଗାଇଦେଇଛି । ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ପ୍ରଭାବିତ ପରିବାରକୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି ଜୋର ଧରିଛି ।

Leave A Reply

Your email address will not be published.