ଛେଳି ପାଇଁ ଯୁବକ ଜୀବନ ଗଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ଥାନା ମିଠାପାଲି ଗ୍ରାମ ପଞ୍ଚାୟତ ଲଉଡମାଲ ଗ୍ରାମରେ ସେହି ଗ୍ରାମର ଲକ୍ଷ୍ମଣ ଭୁଏ (୨୪) ନାମକ ଜଣେ ଯୁବକ ଛେଳି ପାଇଁ ଡାଳ କାଟୁଥିବା ବେଳେ ୩୩ କେଭି ବିଜୁଳି ସଂସ୍ପର୍ଷରେ ଆସି ତାଙ୍କ ମୃତ୍ୟୁ ହୋଇଯାଇଛି । ମୃତଦେହ ଏକ ଗଛରେ ଝୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଲକ୍ଷ୍ମଣ ଘରୁ ଛେଳିକୁ ଖୁଆଇବା ପାଇଁ ଡାଳ କଟିବାକୁ ଆସିଥିଲେ । ଯେଉଁ ଗଛର ଡାଳ କାଟିବା ପାଇଁ ସେ ଚଢିଥିଲା ସେହି ଗଛ ଉପର ଦେଇ ହାଇ ପାୱାର ବିଦ୍ୟୁତ ଲାଇନ ଯାଇଛି । ଏପଟେ ଗଛ ତଳେ ମୃତକର ସାଇକଲ ଥୁଆ ହୋଇଥିବା ବେଳେ ତଳେ ଟାଙ୍ଗିଆ ମଧ୍ୟ ପଡି ରହିଛି । ଅନ୍ୟପଟେ ମୃତକର ଶରୀର କଲା ପଡିଯାଇଛି, ତେଣୁ ସନ୍ଦେହ ହେଉଛି ଯେ ଗଛରେ ହଠାତ ବିଦ୍ୟୁତ ସରବରାହ ହୋଇଯିବାରୁ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ନିଲାମ୍ବର ଭୁଏଙ୍କ ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ଲକ୍ଷ୍ମଣ । ଲକ୍ଷ୍ମଣଙ୍କ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ବାହା ହୋଇଥିବା ବେଳେ ଆଉ ଜଣେ ବାହା ହୋଇ ନାହାନ୍ତି । କ୍ଷତି ପୁରଣ ଦାବୀରେ ଗ୍ରାମବାସୀମାନେ ପାଇକମାଲ-ନୂଆପଡା ରାସ୍ତା ଲଉଡମାଲ ଠାରେ ଦିନ ୧ଟାରେ ଅବରୋଧ କରି ବସିଥିଲେ । ପାଇକମାଲ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଆନ୍ଦୋଳକାରୀଙ୍କ ସହ ଆଲୋଚନା ପରେ ଅପରାହ୍ନ ପ୍ରାୟ ସାଢେ ୩ଟାରେ ରାସ୍ତା ରୋକ ଉଠିଥିଲା । ପରିବାର ପକ୍ଷରୁ ପାଇକମାଲ ଥାନାରେ ମାମଲା ରୁଜୁ ପରେ ଶବ ବ୍ୟବଛେଦ ପାଇଁ ପଦ୍ମପୁରକୁ ପଠାଇଛନ୍ତି ।

Leave A Reply

Your email address will not be published.