ଜମିରେ ମେସିନ୍ କରୁଛି କାମ, ଶ୍ରମିକ ନାହିଁ ଦର୍ଶନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲପାଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ଗୁଡ଼ିକରେ ମନରେଗା ଯୋଜନାରେ ଜମି ଉନ୍ନତିକରଣ ଏବଂ ବହୁମୁଖୀ ପୋଖରୀ ଖନନ କାର୍ଯ୍ୟରେ ଶ୍ରମିକମାନେ ନିୟୋଜିତ ନ ହୋଇ ଜେସିବି ମେସିନ୍ ସାହାଯ୍ୟରେ କାମ କରାଯିବାର ସମ୍ବାଦ ଆମ୍ଭର ହସ୍ତଗତ ହୋଇଥିଲା । ମେସିନ୍ କରୁଛି କାମ, ଶ୍ରମିକମାନଙ୍କ ନାହିଁ ଦର୍ଶନ । ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିବାରୁ ପ୍ରାୟତଃ କାମ ଜେସିବି ମେସିନ୍ ଦ୍ୱାରା କରାଯାଉଥିବା ସମସ୍ତ ଚିହ୍ନ ଜଳଜଳ ହୋଇ ଦିଶୁଛି ।ସମସ୍ତ ପ୍ରକଳ୍ପର ଫଟୋଗୁଡ଼ିକ ଆମ୍ଭର ହସ୍ତଗତ ହୋଇଛି । ଏ ବିଷୟ ନେଇ ଜମି ମାଲିକ ମାନଙ୍କୁ ପଚାରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ । କିଛି ଗ୍ରାମବାସୀଙ୍କୁ ପଚାରିବାରୁ ଜସିବି ମେସିନ ଦ୍ବାରା କାମ କରାଯାଉଥିବା କହିଥିଲେ । ହେଲେ ତାହା ମନରେଗା କାମ କି ନୁହେଁ ଆମ୍ଭେ ଜାଣି ନାହିଁ ବୋଲି କହିଥିଲେ । ଇଣ୍ଟରନେଟ୍ ମାଧ୍ୟମରେ ଜାଣିବାକୁ ମିଳିଲା ଯେ, ମହୁଲପାଟି ଗ୍ରାମ ପଞ୍ଚାୟତରେ ୨୦୨୨-୨୩ ଆର୍ଥିକ ବର୍ଷରେ ସମୁଦାୟ ୫୧ଗୋଟି ମନରେଗା ପ୍ରକଳ୍ପ ଜିଲ୍ଲାପାଳଙ୍କ ଦ୍ଵାରା ଅନୁମୋଦନ ହୋଇଅଛି । ତନ୍ମଧ୍ୟରୁ ୬ ଗୋଟି ଯୁଗ୍ମ ହିସାବରେ ଜମି ଉନ୍ନତିକରଣ ଏବଂ ୭ଗୋଟି ବହୁମୂଖୀ ପୋଖରୀ ଖନନ ଏବଂ ୪ଗୋଟି ଚହଲା ଖନନ ପ୍ରକଳ୍ପ ଅନୁମୋଦନ ହୋଇଅଛି । ଯେଉଁ ମାନଙ୍କ ଜମିରେ ଜେସିବି ମେସିନ୍ ଦ୍ୱାରା କାମ ହୋଇଅଛି । ସେହିମାନଙ୍କ ନାମ ସମସ୍ତ ପ୍ରକଳ୍ପରେ ମଧ୍ୟ ଅଛି । ସମସ୍ତ ବିଷୟକୁ ଅନୁଧ୍ୟାନ କରିବାକୁ ଗଲେ ସତ୍ୟା ସତ୍ୟ ଜଣାପଡୁଛି ବୋଲି ମତ ପ୍ରକାଶ ପାଇଛି । ହିତାଧିକାରୀମାନଙ୍କ ପ୍ରକଳ୍ପ ମଞ୍ଜୁରୀ ପ୍ରାପ୍ତ କାମ ଅଣକୁଶଲି ଶ୍ରମିକମାନଙ୍କୁ ନିୟୋଜିତ କରାଯିବା କଥା, ଯେହେତୁ ମହୁଲପାଟି ଗ୍ରାମ ପଞ୍ଚାୟତ ଗୋଟିଏ ଦାଦନ ପ୍ରବଣ ପଞ୍ଚାୟତ ଅଟେ । ପ୍ରକଳ୍ପ ଯଦି ତାଙ୍କ ନାମରେ ମଞ୍ଜୁରୀ ହୋଇଅଛି ତାହା ହେଲେ ତାଙ୍କ ଜମିରେ ଜେସିବି ଲଗାଇ କିଏ କାମ କରୁଅଛି, ଏଇଠି ପ୍ରଶ୍ନବାଚି ସୃଷ୍ଟି ହେଉଛି । ଏଥିପ୍ରତି ପ୍ରଶାସନ ତୃଣମୂଳ ସ୍ତରରେ ତୁରନ୍ତ ତଦନ୍ତ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.