ଅଗ୍ରଗାମୀ ଯୁବକ ସଂଘଠାରେ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବରେ ଅଗ୍ରଗାମୀ ଯୁବକ ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ କବି ଗଙ୍ଗାଧର ମେହେରଙ୍କ କାବ୍ୟ ଧାରା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଡ. କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇ କବିଙ୍କ ରଚନା ଅନ୍ୟ କବି ଠାରୁ ଭିନ୍ନ । ଅନେକ କବିତାରେ ତାଙ୍କର ପ୍ରକୃତିର ଶୋଭା ତାଙ୍କ ଲେଖନୀକୁ ରୁଦ୍ଧିମନ୍ତ କରିଛି ବୋଲି କହିଥିଲେ । ସମ୍ପାଦକ ବିଶ୍ଵ ଜିତ ମିଶ୍ର ସମ୍ପର୍କିୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ କବିଙ୍କ କବିତା ଆବାହନ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରମୋଦ ମହାନ୍ତି ଓ କେଶ ରଞ୍ଜନ ପ୍ରଧାନଙ୍କୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର କୁମାର ହୋତା, ଶଙ୍କର ବଲ୍ଲଭ ମିଶ୍ର ଓ ଅଶୋକ କୁମାର ମିଶ୍ର ସମର୍ଦ୍ଧନା ଜ୍ଞାପନ କରିଥିଲେ । ଅଧ୍ୟାପକ ମନୋଜ ଦାସଙ୍କ ‘ହା ଅନ୍ନ’ ପୁସ୍ତକର ଇଂରାଜୀ ଭାଷାରେ ଅନୁବାଦ ପୁସ୍ତକକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ସଂଘମିତ୍ରା ମିଶ୍ର ସଂଯୋଜନା କରିଥିଲେ । ଶେଷରେ ସମ୍ପାଦକ ବିଶ୍ଵ ଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.