ଉତ୍କଳ ସମ୍ମିଳନୀ ପକ୍ଷରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ପରାକ୍ରମ ଦିବସ ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ବାସନ୍ତୀ କଲୋନୀସ୍ଥ ମୀରାଶିଷ ଭବନଠାରେ ପାଳିତ ହୋଇଯାଇଛି । ସମ୍ମିଳନୀର ସଭାପତି ସୁଦାମ ଚନ୍ଦ୍ର ଦାଶ ସଭାପତିତ୍ୱ କରି ବକ୍ତବ୍ୟ ରଖିଥିଲେ ଯେ, ଏହି ଜନନେତା ଦ୍ୱୟ ଥିଲେ ପଦ ଓ ସାଧନ ଠାରୁ ବହୁ ଉର୍ଦ୍ଧ୍ୱରେ । ଜାତି ଓ ମାଟିର ସ୍ୱାଧୀନତା ହିଁ ଥିଲା ଏହି ମୁକ୍ତିକାମୀ ଜନନେତା ଦ୍ୱୟଙ୍କର ଆହ୍ୱାନ । ସମ୍ମିଳନୀର ଉପସଭାପତି ଡ. କିଶୋରୀ ଦାଶ ଓଡ଼ିଶାର ପ୍ରଥମ ମୁକ୍ତି ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ସାହସ ବୀରତ୍ୱର କାହାଣୀ ସମ୍ପର୍କରେ ବର୍ଣ୍ଣନା କରିବା ସହ ଏବେ ବି ଆମକୁ ଜାତି ଓ ଭୂଖଣ୍ଡ ପ୍ରତି ହେଉଥିବା ବିଭିନ୍ନ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡ଼ିବ ବୋଲି କହିଥିଲେ । ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ୱାଗତ ପ୍ରଦାନ ପୂର୍ବକ ସମ୍ମିଳନୀର ଆଗାମୀ କାର୍ଯ୍ୟକ୍ରମ ତଥା ଆଗାମୀ ଉତ୍କଳ ଦିବସ ପାଳନ ଅବସରରେ ସ୍ମରଣିକା ପ୍ରକାଶନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ତର୍କ, ଓଡ଼ିଆ ଭାଷା ଲିଖନ -ପଠନ, ଓଡ଼ିଶାର ସଂସ୍କୃତି ଆଦିରେ ପ୍ରତିଯୋଗିତା କରାଯିବା ସହ ସମ୍ମାନ ସମ୍ବର୍ଦ୍ଧନା ଆଦି କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗପୁତ ଜୀବନୀ ସମ୍ବନ୍ଧରେ ସେ ବକ୍ତବ୍ୟ ରଖିଥିଲେ ଯେ, ଜଣେ ମୁକ୍ତି ସଂଗ୍ରାମୀ ସତେଇଶ ବର୍ଷ ଧରି ବନ୍ଦୀ ଜୀବନ ବିତାଇବା ପୃଥିବୀ ଇତିହାସରେ ବିରଳ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭ ଲେଖକ ତଥା ସୁସାହିତ୍ୟିକ ରବି କାନୁନଗୋଙ୍କ ବିୟୋଗରେ ଆତ୍ମାର ସଦଗତି ନିମିତ୍ତ ନିରବ ପ୍ରାର୍ଥନା କରାଯାଇଥିଲା । ସୁନାଫୁଲର ସାଧାରଣ ସମ୍ପାଦକ ସୁନୀଲ ମହାନ୍ତି ସ୍ୱର୍ଗତ କାନୁନଗୋଙ୍କ ଲୋକପ୍ରିୟତା, ନିର୍ଭୀକତା, ସାମ୍ବାଦିକତା ତଥା ରାଉରକେଲା ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନ ସହ ଜଡିତ ହେବା ଏପରିକି ରାଉରକେଲା ଦିବସ ପାଳନ ଅବସରରେ ତାଙ୍କର ଅବଦାନ, ବୁଦ୍ଧିବାଦୀ ଫୋରମ ଗଠନ କରି ରାଉରକେଲାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଉଥିଲେ ବୋଲି ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ମିଶ୍ର, ହରିହର ଶତପଥୀ, ଲକ୍ଷ୍ମଣ ପରିଡା, ବ୍ରହ୍ମା ନନ୍ଦ ପାଢ଼ୀ, ବିଜୟକୁମାର ବରାଳ ପ୍ରମୁଖ ପରାକ୍ରମ ଦିବସ ତଥା ବୀର ସୁରେନ୍ଦ୍ର ସାଏ ଓ ସୁଭାଷ ଚନ୍ଦ୍ର ବୋଷଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଶେଷରେ ଅନୀଲ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.