ରାଉରକେଲା, (ସସ୍ମିତା ପ୍ରଧାନ) : ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ରଖିଥିବା ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧ ସ୍ଥିତ ଡିଭାଇନ ଲାଇଫ ଏକାଡେମୀର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଓ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଏକ ଆଲୋଚନା ଚକ୍ର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଯୋଗଦେଇ କାନ୍ତକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଅଦ୍ୟମ ଝଲକ ଦେଖିବାକୁ ମିଳିଥାଏ । ଇଂରେଜ ମାନଙ୍କ ବିରୋଧରେ ଦୃତ ସ୍ୱର ଉତ୍ତୋଳନ କରି ଅନେକ ରଚନା ସୃଷ୍ଟି କରିଥିଲେ, ଯାହା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ପ୍ରେରିତ କରିଥିଲା । ଆବାହକ ତଥା ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କାନ୍ତକବିଙ୍କୁ ଏକାଧାରରେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ତଥା ଶିଶୁ ସାହିତ୍ୟିକ ଭାବେ ଅବହିତ କରି କହିଲେ ଯେ, ଓଡିଶାର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଓ ଅନେକ ସଂଗୀତର କାଳଜୟୀ ସ୍ରଷ୍ଟା ଥିଲେ । ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତା ଦୂର କରି ଦୃଢ ଆତ୍ମବିଶ୍ୱାସ ଜଗାଇବା ଲକ୍ଷ୍ମୀକାନ୍ତଙ୍କ କବିତା ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଛାତ୍ରୀ ସୁଶ୍ରୀ ଦେବୀ ନାୟକ କାନ୍ତକବିଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହାସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରାରମ୍ଭରେ ଏକାଡେମୀର ଶିକ୍ଷୟିତ୍ରୀ ଅନ୍ୱେଷା ଜୟପୁରିଆ ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଧନଞ୍ଜୟ ମଲ୍ଲିକ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ, ଚନ୍ଦନ କୁମାର ସାହୁ, ବାବାଜୀ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।