
- ଦିଲ୍ଲୀପ କୁମାର ଧାଉଡିଆ
ବାରମାସରେ ତେରଯାତ୍ରାର ଅପୂର୍ବ ସମାରୋହରେ ସୁସଜ୍ଜିତ ଓଡିଶାର ସଂସ୍କୃତି । ସେ ଠାକୁରାଣୀ ଯାତ୍ରା ହେଉ ଅଥବା ହରିରାଜପୁରର ମେଲଣ ହେଉ ନଥବା ଦୟଣାଚୋରୀ ଯାତ୍ରା ହେଉ ଓଡିଆ ସାମାଜିକ ଜୀବନର ସ୍ପଷ୍ଟ ଛବି ପ୍ରତିଫଳିତ ହୁଏ ବିଭିନ୍ନ ମେଳଣ ବା ଯାତ୍ରାରେ ଯାହାକି ପ୍ରାଚୀନ ଓଡିଆ ସଂସ୍କୃତିର ଶ୍ରେଷ୍ଠତାକୁ ଜନମାନସରେ ଉଜ୍ଜୀବିତ କରି ରଖେ ଯୁଗ ଯୁଗ ଧରି । ହଜାର ହଜାର, ଲକ୍ଷ ଲକ୍ଷ ଜନତାଙ୍କର ସମ୍ମିଳିତ ଅପୂର୍ବ ଦୃଶ୍ୟରାଜି ଦ୍ୱାରା ଯେ କୌଣସି ପ୍ରାଣରେ ଖେଳିଯାଏ ଅପୂର୍ବ ଶୀହରଣ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଇତିହାସର ସେହି ପ୍ରସିଦ୍ଧ କଥାରାଜିର ସ୍ମୃତିଚାରଣ ପାଇଁ ଚଳଚଚଂଳ ହୋଇଉଠେ ପ୍ରତ୍ୟେକ ମନୁଷ୍ୟ । ସେହି ସବୁ ଯାତ୍ରାମାନଙ୍କ ମଧ୍ୟରେ ଘୋରଡିଆର ଦୟଣାଚୋରୀ ଯାତ୍ରା ଅନ୍ୟତମ । କୃଷ୍ଣପ୍ରେମର ଅମୃତ ପାନରେ ହିନ୍ଦୁ ଓ ମୁସଲମାନ ପ୍ରତ୍ୟେକ ସଂପ୍ରଦାୟର ଜନସାଧାରଣଙ୍କର ହଜିଯିବାର ଅନ୍ୟ ଏକ ଅଭୁଲା ନମୁନା । ଚଳିତ ବର୍ଷ ଚୈତ୍ର ଚତୁର୍ଦ୍ଦଶୀ ଅପ୍ରେଲ ମାସ ୨ ତାରିଖ ରାତ୍ରରେ ଅନୁଷ୍ଠିତ ହୋଇଥିବା ଦୟଣାଚୋରୀ ଯାତ୍ରା ସର୍ମ୍ପକରେ (ପତ୍ରିକାର)ର ଏହି ଆଲେଖ୍ୟ । ସ୍ଥିତି ଘୋରଡିଆ ଓଡିଶାର ଦ୍ୱିତୀୟ ବୃହତମ ଗ୍ରାମ । ଖୋର୍ଦ୍ଧା ରୋଡ-ପୁରୀ ରେଳପଥର ମୋଟରୀ ରେଳ ଷ୍ଟେସନଠାରୁ ୫ କି.ମି. ଦୂରରେ ଅବସ୍ଥିତ ଏହି ଇତିହାସ ପ୍ରସିଦ୍ଧ ଗ୍ରାମ । ବର୍ତ୍ତମାନ ପୁରୀ-ଭୁବନେଶ୍ୱର ରାଜରାସ୍ତାର ପଟ୍ଟନାୟକିଆ ଠାରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାର ପ୍ରସିଦ୍ଧ ବକ୍ରେଶ୍ୱର ମନ୍ଦିର ଠାରୁ ଏହାର ଦୂରତା ମାତ୍ର ୫୦୦ ମିଟର । ପୂର୍ବ-ପଶ୍ଚିମ ହୋଇ ଗ୍ରାମଟିର ଅବସ୍ଥିତି ହୋଇଥିବା ବେଳେ ମୁଖ୍ୟ ଦାଣ୍ଡ ବା ବଡାଦାଣ୍ଡରେ ଗ୍ରାମର ଦୂରତା ୩ କି.ମି ପର୍ଯ୍ୟନ୍ତ ପରିବ୍ୟାପ୍ତ । ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଅପୂର୍ବ ସମନ୍ୱୟ ଦେଖାଦିଏ ଗ୍ରାମ ମଧ୍ୟରେ । କଣାସ କେନାଲ ଠାରୁ ଆରମ୍ଭ ହୋଇ ଗ୍ରାମଟିର ଶେଷ ବାରବାଟିଠାରେ । କିନ୍ତୁ କାଚିଂଆଗଡ ସାହି, ପରିଡା ସାହି, ନାହାକ ସାହି, ପଣ୍ଡା ସାହି, ବଳିଆରସିଂହ ସାହି ଆଦି ସାହିଗୁଡିକ ବାଦ୍ ପଡିଥାନ୍ତି ଏହି ୩ କି.ମି ଦୂରତାରୁ । ଗ୍ରାମର ଲୋକସଂଖ୍ୟା ପ୍ରାୟ ୧୨ହଜାରରୁ ଅଧିକ । ଗ୍ରାମର ପଶ୍ଚିମ ପଟେ ତଥା ଘନିପୁର ଅଂଶରେ ପରମ ବୈଷ୍ଣବ ମଠ ଶ୍ରୀ ଶ୍ରୀ ରାଧାମୋହନ ଦେବଙ୍କ ମନ୍ଦିର ଏବଂ ପୂର୍ବ ପ୍ରାନ୍ତରେ ଅର୍ଥାତ୍ ସାଉରିଆ ଅଂଶରେ ଜମିଦାରୀ ମଠ ଶ୍ରୀ ଶ୍ରୀ ରାଧାକାନ୍ତ ଦେବଙ୍କ ମନ୍ଦିର ଅବସ୍ଥିତ । ଏହି ଦୁଇ ଠାକୁରଙ୍କର ସମ୍ମିଳିତ ଯାତ୍ରା ହିଁ ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା । ପ୍ରତ୍ୟେକ ଚୈତ୍ର ଶୁକ୍ଲ ଚତୁର୍ଦ୍ଦଶୀ ଅର୍ଥାତ ଦମନକ ଚତୁର୍ଦ୍ଦଶୀରେ ଅନୁଷ୍ଠିତ ହୁଏ ଏହି ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା ।
ସମୟ ଗର୍ଭରେ ଦୟଣାଚୋରୀ
ଦୟଣାଚୋରୀ ଯାତ୍ରାର ପ୍ରାଚୀନତା ଯେ କାହିଁ କେତେ ବର୍ଷର ଏ ପ୍ରଶ୍ନର ଉତ୍ତରରେ ନୀରବ ରହିଯାନ୍ତି ଗ୍ରାମର ବୟସ୍କ ବୃଦ୍ଧମାନେ । ସେମାନେ ମନେ ପକାନ୍ତି ମଠ ଦୁଇଟିର ପ୍ରତିଷ୍ଠା ସମୟକୁ । ପୁରୀର ଗଜପତି ମହାରାଜା ଶ୍ରୀ ଶ୍ରୀ ପ୍ରତାପରୁଦ୍ର ଦେବ ତରବାରୀ, ଢାଲ ପରିତ୍ୟାଗ କରି ଶ୍ରୀ ଚୈତନ୍ୟ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ ଖୋଳ ଓ କରତାଳ ଧାରଣ କଲେ । ଏଥିରେ ଓଡିଶାର ଜନସାଧାରଣ ଉଦ୍ବଦ୍ଧୁ ହୋଇ ଭକ୍ତି ରସାମୃତ ପାନକଲେ । ଘୋରଡିଆବାସୀ ମଧ୍ୟ ଏଥିରୁ ବାଦ୍ ପଡି ନଥିବା ଜଣାଯାଏ । ସେମାନଙ୍କର ସମନ୍ୱିତ ଉଦ୍ୟମରେ ଗ୍ରାମର ପଶ୍ଚିମ ଭାଗରେ ପ୍ରତିଷ୍ଠା କଲେ ଏକ ସଂକୀର୍ତ୍ତନ ପିଣ୍ଡୀ । କ୍ରମେ ତାହା ରୂପାନ୍ତରିତ ହୋଇଥିଲା ରାଧାମୋହନ ମନ୍ଦିର ରୂପେ । କିନ୍ତୁ ପୂର୍ବ ଭାଗରେ ଅବସ୍ଥିତ ରାଧାକାନ୍ତ ମଠ ପ୍ରତିଷ୍ଠା କରିଥିବା ଅନୁମାନ କରାଯାଏ । ଏହି ଗ୍ରାମ ଗଜପତି ହରେକୃଷ୍ଣ ଦେବଙ୍କ ତତ୍ୱାବଧାନରେ ଖ୍ରୀ.ଅ ୧୭୧୬-୧୭୨୦ରେ ସ୍ଥାପିତ ହୋଇଥିବାର ଡଃ. ଜଗନ୍ନାଥ ପଟ୍ଟନାୟକଙ୍କ (ଇତିହାସ ପୃଷ୍ଠାରେ ପିପିଲି) ପୁସ୍ତକରେ ଲିପିବଦ୍ଧ । ଏଣୁ ଏହିଠାରୁ ଯାତ୍ରାଟି ପ୍ରତିବର୍ଷ ଚୈତ୍ର ଚତୁର୍ଦ୍ଦଶୀରେ ଆରମ୍ଭ ହୋଇଥିବା ଜଣାଯାଏ । କିନ୍ତୁ ଗ୍ରାମର ଅଶୀଦଶକର ବୃଦ୍ଧ ଶ୍ରୀ ରାଧାକୃଷ୍ଣ କହନ୍ତି, ଏହି ଯାତ୍ରା ଖ୍ରୀ.ଅ ୧୮୯୨ରେ ମଠର ତତ୍ୱାବଧାରକ ନାରାୟଣ ଦାସଙ୍କ ସମୟରେ ଆରମ୍ଭ ହୋଇଛି । ସେ ଯାହା ହେଉନା କାହିଁକି ଯାତ୍ରାଟିର ଇତିହାସ ଶତାଦ୍ଦୀ ଅତିକ୍ରାନ୍ତ ।
ନାମକରଣ ଯଥାର୍ଥତା
ପରମ ପ୍ରେମମୟ ଠାକୁର ଶ୍ରୀକୃଷ୍ଣ ଅଶେଷ ନାମ ଧାରଣ କରି ରହସ୍ୟ ପ୍ରଣୟରେ ଆପ୍ଲୁତ କରନ୍ତି । ସେହି ପ୍ରେମମୟ ଠାକୁରଙ୍କର ପ୍ରେମଲୀଳାର ସ୍ମୃତି ଚାରଣ ପାଇଁ ଦୟଣାଚୋରୀ ଯାତ୍ରାର ସୃଷ୍ଟି ବୋଲି ସାଧାରଣରେ ଦୃଢଧାରଣା । ଯାତ୍ରାଟିର ଅତୀତ ଯେତିକି ଦୂରତ୍ୱ ତାର କିମ୍ବଦନ୍ତୀ ସେତିକି ପ୍ରାଣମୟ ।
ଦୟଣା ବୃକ୍ଷ କୃଷ୍ଣଙ୍କର ଭୂଷଣ । ଦୟଣା ପ୍ରତି ଅପାର ଦୁର୍ବଳତା ପ୍ରେମମୟ ଠାକୁର କୃଷ୍ଣଙ୍କର । ଲୋକମୁଖରୁ ଜଣାଯାଏଯେ ଅହଂକାରୀ ଗର୍ବୀ, ନିଷ୍ଠୁର ପୁଷ୍ପଦ୍ୟାନ ରକ୍ଷକ (ମାଳୀ)ର ଏକମାତ୍ର କନ୍ୟା, ସୁନ୍ଦରୀ କୃଷ୍ଣ ପ୍ରଣୟନୀ ଦୟଣା ସାରାରାତି ଉଜାଗର ହୋଇ ଅପେକ୍ଷା କରେ ସଦବସନ୍ତ ପୁରୁଷ ଶ୍ରୀକୃଷ୍ଣଙ୍କ । ପରମ ପ୍ରେମମୟ ଠାକୁର ଆସନ୍ତି ନିଶାର୍ଦ୍ଧ ରାତ୍ରରେ ଦୟଣା ନିକଟକୁ ପ୍ରେମିକ ସାଜି ।
ଦୟଣା ଭକ୍ତି ଓ ପ୍ରେମ ଅର୍ଘ୍ୟ ନିବେଦନ କରେ ଲୀଳା ପୁରୁଷଙ୍କୁ । ଏକ ଉତ୍କଟ ସୁବାସିତ ବୃକ୍ଷ ଦୟଣା ବଲ୍ଲରୀରେ ସଜାଇ ଦିଏ ତାର ପ୍ରେମିକକୁ । ରାତି ପାହିବା ପୂର୍ବରୁ ରାଧାକାନ୍ତ ଅଦୃଶ୍ୟ ହୁଅନ୍ତି । ଦୟଣା ଫେରିଯାଏ ମନଦୁଃଖରେ । ପୁଣି ପ୍ରତିକ୍ଷା କରେ ଆଗତ ରାତ୍ରରେ ଅଭିସାରିକା ସାଜି । ଅହଂକାରୀ ମାଳୀର ଦୃଷ୍ଟିଗୋଚର ହୁଏ ଦୟଣା ପ୍ରତ୍ୟେହ ଚୋରୀ ହେଉଥିବାର । ସହକର୍ମୀମାନଙ୍କ ସହିତ ପର ରାତ୍ରୀରେ ତୀକ୍ଷ୍ମ ଦୃଷ୍ଟି ରଖେ ଦୟଣା ବୃକ୍ଷ ଉପରେ । ପ୍ରେମର କଠଉ ମାଡି ଠାକୁର ଆସନ୍ତି ଉଦ୍ୟାନ ମଧ୍ୟରୁ । ମାଳୀର ଇଙ୍ଗିତରେ ସାଥିମାନସ ବାନ୍ଧି ପକାନ୍ତି ଲୀଳା ପୁରୁଷଙ୍କୁ । ହେଲେ ସେହି ପୁରୁଷଙ୍କୁ କିଏ ବାନ୍ଧି ରଖିପାରିବ । ମୋହନ କ’ଣଥାନ୍ତି ଦଉଡି ମଧ୍ୟରେ ! ସେତ ନିରାକାର ! ବନ୍ଦୀ ଅବସ୍ଥାରେ ଧରାପଡେ ଉଦ୍ୟାନର ମୁଖ୍ୟ ରକ୍ଷକ(ମାଳୀ) ସାଥିମାନଙ୍କ ଦ୍ୱାରା । ଆଶ୍ଚର୍ଯ୍ୟ ହୁଅନ୍ତି ସମସ୍ତେ । ରାସମୟ ପୁରୁଷ ଶ୍ରୀ ରାଧାମୋହନଙ୍କୁ ଧନ୍ୟ ଧନ୍ୟ କୁହନ୍ତି ସମସ୍ତେ । ଲୀଳାମୟ ପ୍ରେମମୟ ପରମ ପୁରୁଷ ଶ୍ରୀକୃଷ୍ଣଙ୍କର ଦୟଣା ଚୋରୀ ଉଦ୍ଦେଶ୍ୟରେ ଯାତ୍ରାର ଆଜିର ଚାପ ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା । ତେଣୁ ଯଥାର୍ଥରେ ଜନ ମୁଖରେ ଆଦୃତ ହୁଏ
ରାମ କୃଷ୍ଣ ବନମାଳିକି
ଦୟଣା ବାରିକି ଚୋରୀ କରିଗଲେ
ବାନ୍ଧି ପକାଇଲେ ମାଳିକି !
ପୁରାଣ ଓ ବର୍ତ୍ତମାନ
ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଲ ଚତୁର୍ଦ୍ଦଶୀ ଦିନ ପ୍ରାତଃ କାଳରେ ଜଗନ୍ନାଥ ମନ୍ଦିରର ଜଗନ୍ନାଥ ବଲ୍ଲଭରୁ ଦୁଇଟି ଦୟଣା ଗଛ ଯୁକ୍ତ କୁଡୁଆ ଅଣାଯାଏ । ଘୋରଡିଆର ଗଙ୍ଗାଯମୁନାସ୍ଥିତ ଦୟଣା ବଗିଚାକୁ । ଯାତ୍ରା ଦିନ ପଶ୍ଚିମ ଭାଗରେ ଅବସ୍ଥିତ ରାଧାମୋହନ ଦେବଙ୍କ ମନ୍ଦିରର ବଗିଚାକୁ । ଯାତ୍ରାଦିନ ପତ୍ର ପଠାଯାଏ ରାଧାକାନ୍ତ ଦେବଙ୍କ ନିକଟକୁ । ଏହାପରେ ଆରମ୍ଭ ହୁଏ ରାଧାକାନ୍ତ ଓ ରାଧାମୋହନଙ୍କର ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା । ନିମନ୍ତ୍ରଣ ପାଇବା ପରେ ଏକ ସୁସଜ୍ଜିତ ରଥରେ (କୁଞ୍ଜରେ) ବିରାଜମାନ ହୋଇ ଶ୍ରୀରାଧାକାନ୍ତଦେବ, ମଦନ ମୋହନ, ଶ୍ରୀନୃସିଂହ, ଶ୍ରୀ ଚୈତନ୍ୟଙ୍କ ସହିତ, ନାଗା, ତଥା କଳାପୋତା ତଥା ବିଭିନ୍ନ ସାହିରୁ ତିଆରି ହୋଇଥିବା ବିରାଟ ବିରାଟ ପ୍ରତିମା ପରିବେଷ୍ଟିତ ହୋଇ ହଜାର ହଜାର ଜନତାଙ୍କ କରତାଳୀ, ହରିବୋଲ ଧ୍ୱନି ମଧ୍ୟରେ ୧୬ ଢାଲ, ୪ମହୁରୀ ମୃଦଙ୍ଗ, ଘଂଟ ବାଦ୍ୟର ଧ୍ୱନି ମଧ୍ୟରେ ବିଜେସ୍ଥଳୀକୁ ଗମନ କରିଥାନ୍ତି । ସେହିପରି ରାଧାମୋହନ ଦେବ ମଧ୍ୟ ଅନ୍ୟ ଏକ କୁଞ୍ଜରେ ଥାଟ୍ ପଟୁଆରରେ ଯାତ୍ରା କରନ୍ତି ବିଜେସ୍ଥଳୀକୁ । ଦୁଇ ଠାକୁରଙ୍କ ବିଜେସ୍ଥଳୀ ଘୋରଡିଆ ହାଟ ପଡିଆରୁ ଦୁଇଟି ସୁସଜ୍ଜିତ ଛୋଟ ବିମାନରେ ରାଧାମୋହନ ଦେବ ଏବଂ ରାଧାକାନ୍ତ ଦେବ ପୃଥକ୍ ପୃଥକ୍ ଭାବେ ଦୟାନଦୀର ଅପର ପାଶ୍ୱର୍ସ୍ଥ ଗଙ୍ଗାଯମୁନା ତୋଟାକୁ ଗମନ କରନ୍ତି ଦୟଣା ଚୋରୀ କରିବା ଉଦ୍ଦେଶ୍ୟରେ । ସେଠାରେ ଧୂପଦୀପ ପରେ ଦୁଇ ଠାକୁରଙ୍କର ମୁଖ୍ୟମାଳୀ ଦୁଇଜଣ ପୂର୍ବରୁ ସ୍ଥାପନ କରାଯାଇଥିବା ଦୟଣା ବୃକ୍ଷକୁ ଚୋରୀ କରି ପୃଥକ୍ ପୃଥକ୍ ଭାବେ ଧରା ହୁଅନ୍ତି ଜଗୁଆଳୀମାନଙ୍କ ଦ୍ୱାରା । ବନ୍ଦୀ ଅବସ୍ଥାରେ ମାଳୀମାନଙ୍କୁ ମନ୍ଦିରକୁ ଅଣାଯାଏ । ମାତ୍ର ଠାକୁରମାନେ ଯାତ୍ରା ପଡିଆକୁ ଫେରିଆସି କୁଞ୍ଜାଶ୍ରିତ ହୁଅନ୍ତି । ଦୁଇ ଠାକୁର ମେଳଣ ପଡିଆରେ ଚାରିଦିନ ଧରି ଭକ୍ତମାନଙ୍କଠାରୁ ଧୂପଦୀପ ନୈବେଦ୍ୟ ଗ୍ରହଣ କରିଥାନ୍ତି । କିନ୍ତୁ ଥାନାପତି ରାଧାମୋନ ଦେବ ପ୍ରତ୍ୟେହ ମନ୍ଦିରକୁ ଧୂପ ପାଇଁ ଆସନ୍ତି ଏବଂ ସନ୍ଧ୍ୟା ସମୟରେ କୁଞ୍ଜ ମଧ୍ୟକୁ ଫେରନ୍ତି । ୪ ଦିନର ଯାତ୍ରାପରେ ସ୍ୱକୁଞ୍ଜରେ ଦୁଇ ଠାକୁର ନିଜ ନିଜ ମନ୍ଦିରକୁ ଫେରିଆସନ୍ତି । ବ୍ୟବସାୟିକ ଦୃଷ୍ଟିକୋଣରୁ ଏହି ଯାତ୍ରା ୪ ସପ୍ତାହ ଧରି ଚାଲେ ।
ଶ୍ରେଷ୍ଠ କଳା କୃତିର ନିଦର୍ଶନ
ଏହି ଯାତ୍ରାରେ ଓଡିଆ ସଂସ୍କୃତି ଲୁପ୍ତ କଳାର ସୁନ୍ଦର ପରିପ୍ରକାଶ ହୋଇଥାଏ । ଓଡିଆ ଯୁବ କାରିଗରମାନେ ସ୍ୱହସ୍ତରେ ନିର୍ମାଣ କରନ୍ତି ସେମାନଙ୍କର ଶ୍ରେଷ୍ଠ କୁଞ୍ଜ, ତଗା ପ୍ରତ୍ୟେକ ସାହି ଦ୍ୱାରା ପ୍ରସ୍ତୁତ ବିରାଟ ପ୍ରତିକୃତି ।
କୁଞ୍ଜ
ଠାକୁରଙ୍କ ବିମାନର ପରିବର୍ଦ୍ଧିତ ରୂପ ହିଁ ଆଜିର ସୁଦୃଶ୍ୟ କୁଞ୍ଜ ବୋଲି ଲୋକ ମୁଖରୁ ଜଣାଯାଏ । ଅନେକ ଚଉଦଳର ସମଷ୍ଟି ଏହି କୁଞ୍ଜ ୫ ଚଉଡା ବିଶିଷ୍ଟ ତଥା ୧୬ଟି ଦ୍ୱାର ବିଶିଷ୍ଟ ହୋଇଥାଏ ।
ପ୍ରଥମ ଦୁଇ ଚଉଡାର ୮ଟି ମୁଖ୍ୟ ଦ୍ୱାରରେ ୧୬ଟି ଦଣ୍ଡାୟମାନ ପରି ଥିବା ସ୍ଥଳେ ବିଭିନ୍ନ ପରିପାଟିରେ ଶୋଭିତା ଅନେକ ପରୀ କୁଞ୍ଜର ବିଭିନ୍ନ ସ୍ଥାନରେ ଶୋଭାବର୍ଦ୍ଧନ କରୁଥାନ୍ତି । ପୃଥିବୀର ତିନିଗୋଟି ମଣ୍ଡଳର ଅର୍ଥାତ ଜଳଚର, ସ୍ଥଳଚର ଓ ନଉଚରଙ୍କ ବିଭିନ୍ନ ପ୍ରତିକୃତି ଶୋଭାପାଏ କୁଞ୍ଜ ମଧ୍ୟରେ । ଛନ୍ଦା ଚରଣ ପରି ବିମଣ୍ଡିତ ହୋଇ ରାସସ୍ଥଳୀକୁ ଯେପରି ବିଜେ କରନ୍ତି । ଅତୀତରେ ୧୨୦ ଜଣ ଲେଖାଏଁ ବେହେରା ଏହି କୁଞ୍ଜକୃତ ବିମାନକୁ କାନ୍ଧରେ ବୋହି ନେଉଥିଲେ । ମାତ୍ର ବର୍ତ୍ତମାନ ଏତେ ସଂଖ୍ୟକ ଲୋକ ନ ମିଳିବାରୁ ତଥା ଗ୍ରାମ ମଧ୍ୟରେ ବିଦ୍ୟୁତ୍ ତାର ସଂଯୋଗ ଯୋଗୁଁ ବିମାନ ବା କୁଞ୍ଜରେ ଚକ ସଂଯୋଗ କରାଯାଉଥିବା ଜଣାଯାଏ । କୁଞ୍ଜରେ ପରିବେଷ୍ଟିତ ବିଭିନ୍ନ କଳାକୃତି ଯଥା – ପରୀଫଳ, ମାଛ, ସାପ, ବିଭିନ୍ନ ପକ୍ଷୀ ଇତ୍ୟାଦିର ନିର୍ମାଣ ଦାୟିତ୍ୱ ସ୍ଥାନୀୟ କଳାକାରମାନଙ୍କୁ ଦିଆଯାଏ । ସେମାନଙ୍କ ପାଇଁ ଠାକୁରଙ୍କ ଖଞ୍ଜା ଜମି ନାହିଁ । ଜେଜେବାପାଙ୍କ ଅମଳରୁ ଏହା ଏକ ସ୍ୱେଚ୍ଛାକୃତ ଶ୍ରମଦାନ ବୋଲି ମୁଖ୍ୟ କଳାକାର ରବିନ୍ଦ୍ର ବଳିୟାରସିଂହ କହନ୍ତି । ସହାୟକମାନେ କୁହନ୍ତି – ଯୁଗ ବଦଳିଛି ଆଜ୍ଞା, ଦିନେ କାମକୁ ଗଲେ ୩୦୦ ଟଙ୍କା ମଜୁରୀ ପାଆନ୍ତୁ । କିନ୍ତୁ ପରମ୍ପରାକୁ ସମ୍ମାନ ଜଣାଇ ଆମେ ଏହି କାମ ସ୍ୱଇଚ୍ଛାରେ କରୁଛୁ । କୁଞ୍ଜ ନିର୍ମାଣ କାର୍ଯ୍ୟ ଚୈତ୍ର କୃଷ୍ଣ ଏକାଦଶୀଠାରୁ ଆରମ୍ଭ ହୁଏ । ଏଥିପାଇଁ ଆବଶ୍ୟକୀୟ ରଙ୍ଗ ଓ ସରଞ୍ଜାମ ମନ୍ଦିର ନିଯୋଗ ତରଫରୁ ଯୋଗାଇ ଦିଆଯାଏ ଏବଂ ଯାତ୍ରା ଶେଷରେ ସାମାନ୍ୟ ପାରିତୋଷିକ ଆକାରରେ ୫୦୦/୧୦୦୦ ଟଙ୍କା ଟ୍ରଷ୍ଟି ଦିଅନ୍ତି ବୋଲି କୁହନ୍ତି ।
ତଗା
କଥାରେ ଅଛି
ବଳଙ୍ଗା ଦୋଳ
ହରିରାଜପୁର ମେଳ
ରୁପୁଦେଈପୁର ନାଗା
ଘୋରଡିଆ ତଗା ।
ଓଡିଆ ପ୍ରସିଦ୍ଧ ଏହି ତଗାର ନିର୍ମାଣ ଶୈଳୀ ଆସ୍ତେ ଆସ୍ତେ ଆକର୍ଷଣ ହୀନ ହୋଇଯାଇଛି । ଅତୀତରେ ତଗା ଗୁଆଗଛ ଦ୍ୱାରା ୪୦ ମିଟର ଉଚ୍ଚତା ବିଶିଷ୍ଟ ହେଉଥିଲା । ବିଭିନ୍ନ ଦୂରତ୍ୱରେ ବାରଟି ରଙ୍ଗୀନ ଛତି ଏଥିରେ ସଂଯୋଗ କରାଯାଇଥାଏ । ଶୀର୍ଷରେ ମୟୂରମୟୂରୀ ଖଞ୍ଜା ଯାଇଥାଏ । ଛତିଗୁଡିକୁ ରଶି ଦ୍ୱାରା ଖୋଲାଯାଏ ଏବଂ ବନ୍ଦ କରାଯାଏ ତଥା ମୟୂରମୟୂରୀଙ୍କୁ ନଚାଯାଉଥାଏ । କିନ୍ତୁ ବର୍ତ୍ତମାନ ବିଦ୍ୟୁତକରଣ ଯୋଗୁଁ ଏତେ ବଡ ତଗା ଗ୍ରାମ ମଧ୍ୟରେ ଆସିବା ସମ୍ଭବ ହେଉନଥିବାରୁ ତଗା ୪ ଚକ ବିଶିଷ୍ଟ ଶଗଡ ଗାଡିରେ ମେଳଣ ପଡିଆରେ ନିର୍ମାଣ କରାଯାଇ ସ୍ଥାପନ କରାଯାଉଛି । କାଳକ୍ରମେ ଏହାର ଉଚ୍ଚତା ୨୫ ମିଟରରୁ କମି ଆସିଥିବା ବେଳେ ଗୁଆଗଛ ବଦଳରେ ବାଉଁଶରେ ଏହାର ନିର୍ମାଣ କରାଯାଉଛି ଏବଂ ରଶି ଦ୍ୱାରା ମାତ୍ର ୫ଟି ଛତି ଖୋଲିବାର ବ୍ୟବସ୍ଥା ହୋଇଛି । କେବଳ ପରମ୍ପରାକୁ ରକ୍ଷା କରିବା ପାଇଁ ଏହାର ଉପସ୍ଥିତି ଅନିବାର୍ଯ୍ୟ ଭଳି ଜଣାଯାଉଛି ।
ସାହିକଳା କୃତି
ବିଗତ ବର୍ଷର ବିଭିନ୍ନ ସାହି ଦ୍ୱାରା ପ୍ରସିଦ୍ଧ କଳାକୃତିମାନ ରାଧାକାନ୍ତ ଓ ରାଧାମୋହନ ଦେବଙ୍କର ଦୟଣାଚୋରୀ ଯାତ୍ରାକୁ ଅତୀବ ରମଣୀୟ କରିପାରିଥିଲା । ହଜାର ହଜାର ଜନସାଧାରଣଙ୍କ ମଧ୍ୟରେ ୨୦, ୨୫ ଫୁଟ୍ ଉଚ୍ଚର ଚକ ଲଗା କଳାକୃତିଗୁଡିକର ଉଜ୍ୱଳ ଆଲୋକରେ ବୀରଦର୍ପରେ ଆଗକୁ ଆଗକୁ ମାଡି ଯାଉଥିବା ବେଳେ ସତେ ଯେପରି ରାଜାଙ୍କ ବିଜୟ ଯାତ୍ରା ଭଳି ଜଣାଯାଉଥିଲା । ଓଉପଡାର ଗ୍ରାମବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ୧୫ ଫୁଟ ଉଚ୍ଚର ହାତୀ, ବାରବାଟୀରୁ ପ୍ରସ୍ତୁତ ସିଂହ, ପରିଡା ସାହି ଓ ଚମ୍ପତି ସାହି ଦ୍ୱାରା ପ୍ରସ୍ତୁତ ବଗ, ଡାଇନସ୍ ଇତ୍ୟାଦି କଳାକୃତି ଶୋଭିତ ବୃନ୍ଦାବନ କୁଞ୍ଜ, ପାଟ୍ଟସାଣୀ ସାହିର ୨୫ଫୁଟ ଉଚ୍ଚତା ବିଶିଷ୍ଟ ବୀର ହନୁମାନ, କାଞ୍ଜିଆ ଗଡ ସାହିର ଗିରି ଗୋବର୍ଦ୍ଧନ, କାଳୀୟ ଦଳନ ଓ ହନୁମାନ ଗାଡି ତଥା ଘନିପୁର ଯୁବଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଡାଇନସର ସହିତ ବିରାଟ ବଗପକ୍ଷୀ ଶୋଭା ଯାତ୍ରାକୁ ଅତୀବ ରମଣୀୟ କରିବା ସହିତ ଓଡିଆ କାରିଗରିର ଶ୍ରେଷ୍ଠତାକୁ ପ୍ରତିପାଦନ କରୁଥିଲା । ଚଳିତ ବର୍ଷ ହାତୀ, ବାଘ, କାଳୀୟ ଦଳନ, ବାମନ ଅବତାର, ଜଗନ୍ନଥ ମୃର୍ତ୍ତି, ତଗା, କ୍ଷେପଣାସ୍ତ୍ର ଏବଂ ଲକ୍ଷ୍ମଣ ଶକ୍ତି ଭେଦ ଆଦି ଭାଡିଗୁଡିକ ଅତିବ ଆକର୍ଷଣୀୟ ହୋଇଥିଲା ।
ମୁଖ୍ୟ ବ୍ୟାବସାୟିକ କେନ୍ଦ୍ର
ଦୟଣାଚୋରୀ ଯାତ୍ରା ଯେ କେବଳ ଲୀଳାମୟ ଠାକୁରଙ୍କର ସ୍ମୃତିଚାରଣର ଏକ ମାଧ୍ୟମ ଥିଲା ତା ନୁହେଁ ଏହା ପୁରୀ ଜିଲ୍ଲାରେ ଗୋଟିଏ ମାସ ପାଇଁ ମୁଖ୍ୟ ବ୍ୟାବସାୟିକ କେନ୍ଦ୍ର ଥିଲା । ଜିଲ୍ଲାର ବିଭିନ୍ନ ଅଚଂଳରୁ କଂସାବାସନ, କାଠଦ୍ରବ୍ୟ, ମାଟି ଦ୍ରବ୍ୟ ବିଭିନ୍ନ ଗ୍ରାମର କାରିଗରୀ ଦ୍ରବ୍ୟ, ବଳଦ ହାଟ ଆଦି ଗୋଟିଏ ମାସ ପାଇଁ ଦୟଣାଚୋରୀ ମେଳଣରେ ବିକ୍ରୟ ହେଉଥିଲା । କିନ୍ତୁ ଆଜି ତାହା ଆସ୍ତେ ଆସ୍ତେ ଲୁପ୍ତ ହେବାକୁ ବସିଲାଣି । ଡେଲାଙ୍ଗ ଅଚଂଳର ସାଂପ୍ରତିକ ପରିସ୍ଥିତି ତଥା ମେଳଣ ପଡିଆ ମଧ୍ୟରେ ଶତାଧିକ ଦୋକାନ ଯୋଗୁଁ ଏହି ସମସ୍ୟାର ସୃଷ୍ଟି ବୋଲି ମତ ଦିଅନ୍ତି ସାଉରିଆର ସରପଚଂ । ଘୋରଡିଆ ଅଚଂଳର ପ୍ରସିଦ୍ଧି ଦୟଣାଚୋରୀ ସହିତ ବଳଦ ହାଟ ପାଇଁ ରହିଛି । ଯାତ୍ରା ପରେ ଏକ ମାସ ପାଇଁ ଠାକୁରଙ୍କ ଦୟଣା ବାଡି ବା ଗଙ୍ଗାଯମୁନା ତୋଟାରେ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଗୋରୁହାଟ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଗୋରୁ ବେପାରୀ ଏହି ହାଟକୁ ଗୋରୁ ବିକ୍ରୟ ପାଇଁ ଆଣିଥାନ୍ତି । କିନ୍ତୁ ବହୁବର୍ଷ ଧରି ତାହା ବନ୍ଦ ହୋଇଯାଇଥିବା ଜଣାଯାଇଥାଏ । ଗଙ୍ଗାଯମୁନା ତୋଟାରେ ଅବାଧ ଗଛ କଟା ଯୋଗୁଁ ଗୋରୁହାଟ ପାଇଁ ବଡ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସେଥିପ୍ରତି ଦୃଷ୍ଟି ନାହିଁ କାହାର ।
ପ୍ରତିବର୍ଷ ଦୟଣାଚୋରୀ ଯାତ୍ରାର ଶୋଭା ବର୍ଦ୍ଧନ କରନ୍ତି ଓଡିଶାର ବିଭିନ୍ନ ନାମୀଦାମୀ ନାଟ୍ୟ ସଂସ୍ଥାମାନେ । ପ୍ରସିଦ୍ଧ ତ୍ରିନାଥ, ତାରିଣୀ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟ ପରମ୍ପରା ମେଲି ଦେଉଛନ୍ତି ମେଳଣ ପଡିଆରେ । ସର୍ବଶେଷରେ ଏତିକି କୁହାଯାଇପାରେ ଯେ, ଓଡିଶାର ସେହି ମହାନ ସଂସ୍କୃତିର ପ୍ରତୀକକୁ ଉଜ୍ଜିବୀତ ରକ୍ଷା କରିବା ପାଇଁ ଆବଶ୍ୟକ ହୁଏ ସମସ୍ତଙ୍କର ପ୍ରଚେଷ୍ଟା । ମଠ ମନ୍ଦିରର ରକ୍ଷଣା ବେକ୍ଷଣ ପ୍ରତି ସରକାରୀ ଦୃଷ୍ଟି ସହିତ ଜନସାଧାରଣଙ୍କର ସହଯୋଗ ବଚେଂଇ ରଖି ପାରିବ ଏପରି ଏକ ମହାନ୍ ସଂସ୍କୃତିକୁ ନଚେତ୍ ଆସ୍ତେ ଆସ୍ତେ କ୍ଷୟ ପ୍ରାପ୍ତ ହେଉଥିବା ଏହି ସଂସ୍କୃତି ଯେ କେତେବେଳେ କାଳ ଗର୍ଭରେ ଲୀନ ନ ହୋଇଯିବ ତାହା ହିଁ କେବଳ ସମୟ କହିବ ।