ଗଞ୍ଜାମ : ଗତ ୨୦୨୧ ମସିହାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନରେ ଘଟିଥିବା ଏକ ଚର୍ଚ୍ଚିତ ହତ୍ୟା ମାମଲାର ଚୁଡାନ୍ତ ରାୟ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ପ୍ରକାଶ ପାଇଛି । ମାନ୍ୟବର ବିଚାରପତି ପ୍ରଦୀପ କୁମାର ସାମଲ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ହିଞ୍ଜିଳି ଥାନା ଗୋଦରାପଲି ଗ୍ରାମର ଜଗଦୀଶ ସେଠୀ ଓ ତାଂକ ପୁଅ ସୁଦର୍ଶନ ସେଠୀଙ୍କୁ ଆଜୀବନ ଜେଲ ତଥା ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ମତେ, ହିଞ୍ଜିଳି ଥାନା ଗୋଦରାପଲ୍ଲୀ ଗ୍ରାମର ପି. ଧର୍ମାରାଓଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଏନେଇ ମୃତକଙ୍କ ପୁତୁରା ପି.ସୁରେଶ କୁମାର ୨୦୨୧ ନଭେମ୍ବର ୫ରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତତ୍କାଳୀନ ତଦନ୍ତକାରୀ ଅଧିକାରୀ ତଥା ବର୍ତ୍ତମାନ ଆଗଲପୁର ଥାନା ଅଧିକାରୀ ଭାବେ କାର୍ଯ୍ୟରତ ବାସୁଦେବ ଭୋଇ ଖୁବ୍ କମ୍ ସମୟରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏଥିସହିତ ତାଙ୍କର ଅକ୍ଲାନ୍ତ ଉଦ୍ୟମ ତଥା ଠିକ୍ ସମୟରେ ଚାର୍ଜସିଟ ଓ ସମସ୍ତ ସାକ୍ଷ୍ୟ ପ୍ରମାଣ କୋର୍ଟରେ ଦାଖଲ କରାଯାଇଥିବା ଯୋଗୁଁ ହତ୍ୟା ମାମଲାର ଅଭିଯୁକ୍ତମାନେ ଦଣ୍ଡ ପାଇଥିବା ଜଣାଯାଇଛି ।