କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁନିତା ଓ୍ଵିଲିୟମସଙ୍କ ୫୯ ତମ ଜନ୍ମଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମାନବ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ, ସାହସ ଓ ତ୍ୟାଗର ଜ୍ୱଳନ୍ତ ଉଦାହରଣ ଭାରତୀୟ ମୂଳବଂଶୋଭବ, ଆମେରିକୀୟ ମହାକାଶଚାରୀ ସୁନିତା ଓ୍ଵିଲିୟମସ ତାଙ୍କ ୫୯ ତମ ଜନ୍ମଦିବସକୁ ପ୍ରଥମ ଥର ପାଇଁ ପାଳନ କରିବେ ମହାକାଶରେ । ଭାରତ, ଆମେରିକା ସମେତ ସମଗ୍ର ବିଶ୍ୱରୁ ଛୁଟୁଛି ଶୁଭେଚ୍ଛାର ସୁଅ । ସୁନିତା ଓ୍ଵିଲିୟମସ, ବଚ ଓ୍ଵିଲମୋରଙ୍କ ସହ ୫ ଜୁନ ୨୦୨୪ ରେ ମହାକାଶକୁ ଯାତ୍ରା କରିଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ମହାକାଶରେ ଅଟକିଯାଛନ୍ତି । ଆସନ୍ତା ଫେବୃଆରୀ ୨୦୨୫ ରେ ସେମାନଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ନାସା ଲକ୍ଷ୍ୟ ରଖିଛି । ଆଜି ସୁନିତାଙ୍କ ଜନ୍ମଦିନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜନ୍ମତ୍ସବରେ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳାଞ୍ଚଳ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଶିକ୍ଷକ ନରେନ୍ଦ୍ର ନାଗ ସ୍ୱାଗତ କରିଥିବା ବେଳେ, ଶିବରାମ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଚିତ୍ରକର ପ୍ରଭାସ ମେହେର ଓ ସତ୍ୟ ନାରାୟଣ ମେହେର ସୁନିତା ଓ୍ଵିଲିୟମସଙ୍କ ପୋଟ୍ରେଟ ଚିତ୍ର ତଥା କେକର ମୋଡେଲ ନିର୍ମାଣ କରି ଏହି ଉତ୍ସବକୁ ଜୀବନ୍ତ କରିଥିଲେ । ଶିକ୍ଷକ ଭରତ ହରିପାଲ, ଦିଲ୍ଲୀପ ପଣ୍ଡା, ଅଚ୍ୟୁତ ରଣା ଏଥିରେ ସହଯୋଗ କରିଥିଲେ । ସୁନିତାଙ୍କ ଦୀର୍ଘ ଜୀବନ କାମନା କରି, ଏହି ଶୁଭେଚ୍ଛା ବାର୍ତ୍ତାକୁ ତାଙ୍କରି ପାଖକୁ ପ୍ରେରଣ ପାଇଁ ଅନୁରୋଧ କରିଛନ୍ତି ଅନୁଷ୍ଠାନର କୁନି କୁନି ପିଲାମାନେ ।

Leave A Reply

Your email address will not be published.