୮୬ ବର୍ଷରେ ପଦାର୍ପଣ କଲେ ନରସିଂହ : ଜନ୍ମଦିନରେ ଶୁଭେଚ୍ଛା ଦେଲେ ଜନତା ଓ ବିଭିନ୍ନ ଅନୁଷ୍ଠାନ

  • ଶୁଭେଚ୍ଛା ପ୍ରତିଉତ୍ତରରେ ଜଣାଇଲେ କୃତଜ୍ଞତା
  • ଆଜୀବନ ଲୋକଙ୍କ ପାଇଁ ସେବା ଜାରି ରହିବ – ନରସିଂହ
  • ଜନ୍ମଦିନରେ ରକ୍ତଦାନ କଲେ ଶୁଭେଚ୍ଛୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକ ପ୍ରତିନିଧି ଥାଏ ବା ନ ଥାଏ କିଛି ଫରକ ପଡିବ ନାହିଁ, ଜୀବନ ଥିବା ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକମାନଙ୍କର ପାଇଁ କାମ କରିବି ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜର ୮୬ତମ ଜନ୍ମ ଦିବସରେ ଶୁଭେଚ୍ଛୁମାନଙ୍କ ଶୁଭେଚ୍ଛା ଓ ଅଭିନନ୍ଦନର ପ୍ରତିତ୍ତୋରରେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏ ମର୍ମରେ ସେ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କର ତାଙ୍କ ପ୍ରତି ଭଲ ପାଇବା ତାଙ୍କ ଭିତରେ ଥିବା ଦାୟିତ୍ୱବେଧତାକୁ ଆହୁରି ଦ୍ୱିଗୁଣିତ କରୁଛି । ସେ ନିଶ୍ଚିତ ଭାବରେ ଏ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କ୍ରୀଡା, ସଂସ୍କୃତିର ବିକାଶ ପାଇଁ ନିରନ୍ତର କାମ ଜାରି ରଖିବେ ବୋଲି କହିବା ସହ ଅଂଚଳର ଲୋକଙ୍କ ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ନରସିଂହ ମିଶ୍ର ୮୬ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୦ ମସିହା ଶ୍ରୀ ମିଶ୍ର ବଲାଙ୍ଗିର ସହର ନିକଟବର୍ତ୍ତୀ ଛତାମଖନା ଗ୍ରାମରେ ଦେଶର ସମ୍ବିଧାନ ପ୍ରଣୟନ ସଭା ସଦସ୍ୟ ପିତା ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ଏବଂ ମାତା ନିଳାବତୀ ଦେବୀଙ୍କ ଔରସରୁ ଏହି ଦିନରେ ଜନ୍ମଗ୍ରହଣ କରିଥିଲେ । ୧୦ ଭାଇ ଓ ଏକ ଭଉଣୀ ଭିତରେ ସେ ଜ୍ୟେଷ୍ଠ ଥିଲେ । ପିଲାଟି ଦିନର ଶିକ୍ଷା ଛତାମଖନା ସ୍କୁଲରୁ ଆରମ୍ଭ ହୋଇ ପରିବର୍ତ୍ତୀ ସମୟରେ ପିଆର ହାଇସ୍କୁଲ ପରେ ପରେ ବିକ୍ରମଦେବ କଲେଜ ଜୟପୁର, ଖଲ୍ଲିକୋଟ କଲେଜ ବ୍ରହ୍ମପୁରରୁ ସେ ଡିଗ୍ରୀ ସମାପ୍ତ କରିଥିଲେ । ପରେ ପରେ କଟକ ସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ଡିଗ୍ରୀ ସମାପ୍ତ କରିଥିଲେ ।ତାଙ୍କର ୮୬ତମ ଜନ୍ମଦିନ ଅବସରରେ ସାରା ରାଜ୍ୟରୁ ତାଙ୍କ ଶୁଭେଚ୍ଛୁମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ କଂଗ୍ରେସ ନେତା ମନୀଷ ମିଶ୍ର, ବୁଲୁ ଦାନୀ, ଅସିତ ମିଶ୍ର, ଜୁଲୁ ପଟ୍ଟନାୟକ, ଲୋପନ ମିଶ୍ର, ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନସାରା ଶ୍ରୀ ମିଶ୍ରଙ୍କୁ ବଲାଙ୍ଗିର ସହରର ତଥା ଦେଓଗାଁ, ଆଗଲପୁର, ବଲାଙ୍ଗିର ସଦର, ପୁଇଁନ୍ତଲା, ବିନିକା, ବୌଦ୍ଧ ଓ ଲୋଇସିଂହା ବ୍ଲକ ଅଂଚଳରୁ ଅନେକ ସାଧାରଣ ଜନତା, ବୁଦ୍ଧିଜୀବୀ, ରାଜନୈତିକ କର୍ମୀ, ସାମାଜିକ, ସାଂସ୍କୃତିକ, ମହିଳା ସଂଗଠନ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଶ୍ରୀ ମିଶ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଆଜି ଶ୍ରୀ ମିଶ୍ର ଚିରାଚରିତ ଢଙ୍ଗରେ ନିଜର ଗସ୍ତ କାର୍ଯ୍ୟକ୍ରମରେ ଯାଇ ପ୍ରସିଦ୍ଧ ସୁଲିଆ ପୀଠର ସୁଲିଆ ବାବାଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ । ପରେ ପରେ ମିର୍ଦ୍ଧାପାଲି ସୁଲିଆପୀଠ, ପଥରଚେପା ଗ୍ରାମ ଓ ଆଶ୍ରମକୁ ଯାଇ ଛୋଟ ଛୋଟ ଅନ୍ତେବାସୀଙ୍କ ସହ ନିଜ ଜନ୍ମଦିବସ ପାଳନ କରିଥିଲେ । ସନ୍ଧ୍ୟାରେ ଲୋୟର ସୁକତେଲ ଡ୍ୟାମ ନିକଟରେ ଏକ ପାଂଚ ଦିନିଆ ଫୁଟବଲ ମ୍ୟାଚର ଉଦ୍‌ଘାଟନ କରିଥିଲେ । ପ୍ରକାଶ ଯେ, ଶ୍ରୀ ମିଶ୍ର ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ କାଳରେ ଲୋଇସିଂହା ନିର୍ବାଚନ ମଣ୍ଡଳିରୁ ପ୍ରଥମ ଥର ବିଜୟୀ ହୋଇ ଆଇନ ମନ୍ତ୍ରୀ ଭାବରେ ଦାୟିତ୍ୱଭାର ଗ୍ରହଣ କରିଥିଲେ । ସେ ସମୟରେ ସାଧାରଣ ଜନତା ହିତ ପାଇଁ ଆଇନ ବିଭାଗରେ ଅନେକ ଗୁଡିଏ ସଂସ୍କାର ଆଣି ପାରିଥିଲେ । ପରବର୍ତ୍ତୀ ସମୟରେ ସେ ବଲାଙ୍ଗିର ଜିଲ୍ଲାର ଏକମାତ୍ର ବ୍ୟକ୍ତି ଭାବରେ ଲୋଇସିଂହା, ବିନିକା ଏବଂ ବଲାଙ୍ଗିର ସଦର ଆସନରୁ ବିଧାୟକ ହୋଇ ରେକର୍ଡ କରିବା ପରେ ୨୦୨୪ରେ ନିର୍ବାଚନୀ ରାଜନୀତିରୁ ଅବ୍ୟାହତି ନେଇଥିଲେ । ରାଜ୍ୟ ଶ୍ରେଷ୍ଠ ରାଜନୈତିଜ୍ଞ ଭାବରେ ସେ ବିଧାୟକ, ବିରୋଧି ଦଳ ଉପନେତା, ବିରୋଧିଦଳ ନେତା, କ୍ୟାବିନେଟ ମନ୍ତ୍ରୀ ଏବଂ ଜାତୀୟ ଆଇନ ଆୟୋଗ କମିଶନର ସଭ୍ୟ ଥିଲେ ।

Leave A Reply

Your email address will not be published.