
ଭୁବନେଶ୍ୱର : ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରମୁଣ୍ଡା ବ୍ରିଜ୍ ଉପରେ ଘଟିଛି ସିରିଜ୍ ଦୁର୍ଘଟଣା । ଯେଉଁଥିରେ ଏକାଧିକ ଗାଡ଼ି ଭାଙ୍ଗି ଚୁର୍ମାର୍ ହୋଇଯାଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବରମୁଣ୍ଡା ବ୍ରିଜ୍ ଉପରେ ଏକ କୁକୁଡ଼ା ଚିଆଁ ବୋଝେଇ ମିନି ଟ୍ରକର ଟାୟାର ଫାଟିଯାଇଥିଲା । ଚକା ବଦଳାଇବା ବେଳେ ପଛ ପଟୁ ଏକ ଅଜଣା ଟ୍ରକ ଆସି ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ ଉଦ୍ଧାର କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜଗିବା ସହ ରାସ୍ତାରେ ଲାଗିଥିବା ଗହଳିକୁ ହଟାଉଥିଲେ । ଏହି ସମୟରେ ଦୁଇଟି ପୋଲିସ ଭ୍ୟାନ୍କୁ ଜୋରଦାର ଧକ୍କା ଦେଇଥିଲା ୧୬ ଚକିଆ ଟ୍ରଲର । ଏହି ଟ୍ରଲର ଧକ୍କାରେ ଦୁଇଟି ପୋଲିସ ଗାଡ଼ି ଚୁରମାର ହେବା ସହ ଦୁଇ ଜଣ ପୋଲିସ କର୍ମୀ ଗୁରୁତର ହୋଇଥିଲେ । ଦୁର୍ଘଟଣାରୁ ଦୁଇ ସବ୍ ଇନ୍ସପେକ୍ଟର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ କମିସନର ଏବଂ ଭୁବନେଶ୍ୱର ଡିସିପି ମେଡିକାଲ ଯାଇ ଆହତଙ୍କୁ ଭେଟିଛନ୍ତି । ଅନ୍ୟପଟେ ଖଣ୍ଡଗିରି ପୋଲିସ ଗାଡ଼ି ଚାଳକଙ୍କୁ ଅଟକ ରଖି ଜେରା କରିଛି ।