ହମିରପୁରରେ ଜନ ଶୁଣାଣି କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ବାସିନ୍ଦାମାନେ ଆର୍‌ଏସ୍‌ପି, ମ୍ୟୁନିସିପାଲଟି ବା ପଞ୍ଚାୟତରେ ସାମିଲ ହୋଇନଥିବା ଯୋଗୁଁ କୌଣସି ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଥିଲେ । ଏହାକୁ ନେଇ ଅଂଚଳବାସୀଙ୍କ ମନରେ ଦୀର୍ଘ ଦିନ ଧରି ଅସନ୍ତୋଷ ଲାଗି ରହିଥିଲା । ବାରମ୍ବାର ଦାବୀ ଫଳରେ ଶେଷରେ ପ୍ରଶାସନ ତରଫରୁ ଏକ ଜନଶୁଣାଣି କାର୍ଯ୍ୟକ୍ରମ ହମିରପୁର ସରକାରୀ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି କାର୍ଯ୍ୟରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଉପ ତହସିଲଦାର ଆଦ୍ୟାଶା ପ୍ରିୟଦର୍ଶନୀ ବଳ ଓ ଆର୍‌ଆଇ ଦୀପମାଳା ବୋଷ ପ୍ରମୁଖ ଯୋଗଦେଇ ଅଂଚଳବାସୀଙ୍କ ଅଭିଯୋଗ ଶୁଣିଥିଲେ । ହମିରପୁରବାସୀଙ୍କ ତରଫରୁ ଡଃ ସୁମନ ଦତ୍ତ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ପ୍ରଭାତ କୁମାର ମଲ୍ଲିକ, ଆଇନଜୀବୀ ନିରଞ୍ଜନ ଦାସ, ସୋନୁ ବଡାଇକ, ଯଶିନ୍ତା ଲାକ୍ରା, ଅନିତା ଡୁଙ୍ଗଡୁଙ୍ଗ, ହରମୋନ୍ ଲାକ୍ରା ପ୍ରମୁଖ ହମିରପୁରବାସୀଙ୍କ ଦୁଃଖ ଦୁର୍ଦ୍ଦଶା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ହମିରପୁର ଅଂଚଳର ଶତାଧିକ ବ୍ୟକ୍ତି ଉପସ୍ଥିତ ହୋଇ ମୌଳିକ ସୁବିଧାରୁ ବଂଚିତ ହେଉଥିବା କହି ଏହି ଅଂଚଳକୁ ପଞ୍ଚାୟତରେ ମିଶିବା ପାଇଁ ଦାବୀ କରିଥିଲେ । ସୂଚନାଯୋଗ୍ୟ ଯେ, ହମିରପୁର ଜିଲ୍ଲାର ପ୍ରଥମ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ୧୯୯୫ ପର୍ଯ୍ୟନ୍ତ ଏହା ମ୍ୟୁନିସିପାଲଟିର ଅଧିନରେ ଥିଲା । ପରେ ଇଣ୍ଡଷ୍ଟ୍ରିଆଲ ଟାଉନ ଘୋଷଣା ପରେ ଏହା ଆର୍‌ଏସ୍‌ପି ଅଧିନକୁ ଆସିଲା । ତେବେ ୧୯୯୮ ମସିହାରେ ଆର୍‌ଏସ୍‌ପି ହମିରପୁରକୁ ଛାଡି ଦେବା ପରେ ଏହି ଅଂଚଳ ତ୍ରିଶଂକୁ ଅବସ୍ଥାରେ ରହିଗଲା । ଏଠିକାର ବାସିନ୍ଦାଙ୍କ ପାଇଁ ନା ଆର୍‌ଏସ୍‌ପି ନା ମ୍ୟୁନିସିପାଲଟି ନା ପଞ୍ଚାୟତ ଧ୍ୟାନ ଦେଲେନାହିଁ । ତେବେ ଆଜିର ଜନଶୁଣାଣିରେ ଅଂଚଳବାସୀ ପଞ୍ଚାୟତରେ ମିଶ୍ରଣ କରିବା ଲାଗି ଦାବୀ କରିବା ସହ ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ କରାଯାଇ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.