ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ କଣାବାଇ ପଞ୍ଚାୟତର ଜଣାବାଇ ଗ୍ରାମରେ ଦୁଇଟି ଘର ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ମୁତାବକ କଣାବାଇ ଗ୍ରାମର ନାର୍ସି ହୁଇକା ଓ ମାଣିକ ହୁଇକାଙ୍କ ଦଶ ବଖରା ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ଘର ଗୁଡ଼ିକ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ଧାନ, ମାଣ୍ଡିଆ, ଚାଉଳ ସହ ଟଙ୍କା ସୁନା ଗହଣା ଓ ପୋଷାକ ପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି । ଚାଷ ଅମଳ କରିବା ପାଇଁ ଡଙ୍ଗରକୁ ଯାଇଥିଲେ । ସେମାନେ ଆଦିବାସୀ ସମ୍ପ୍ରଦାୟ ହେଇଥିବା ବେଳେ ଚାଷ ଉପରେ ନିର୍ଭର କରିଥାନ୍ତି । ବର୍ଷକର ଅମଳ କରି ଘରେ ରଖିଥିବା ଖାଦ୍ୟ ସମ୍ପୂର୍ଣ୍ଣ ନଷ୍ଟ ହେଇଥିବା ବେଳେ ବର୍ତ୍ତମାନ ସରକାର ଉପରେ ଆଶା ଭରସା କରି ରହିଛନ୍ତି । ସୂଚନା ଅନୁସାରେ ଘରେ କେହି ନ ଥିବା ବେଳେ କେମିତି ନିଆଁ ଲାଗିଲା ତାହା ସନ୍ଦେହ ଘେରରେ ।