ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୫୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

  • ୧୩ଟି ଜିଲ୍ଲାର ୮୦ହଜାର ହେକ୍ଟର ଜମିକୁ ମିଳିଲା ପାଣି
  • ୩୩ଟି ମେଗାଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
  • ୫ ବର୍ଷରେ କୃଷି ବଜେଟ୍‌ ୩ଗୁଣ ହୋଇ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି
  • ଚାଷୀ ଭାଇମାନେ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ – ମୁଖ୍ୟମନ୍ତ୍ରୀ
  • ଲୋୟର ସୁକତେଲ ଓ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ
    ହେବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗାଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି । ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ୩୩ଟି ମେଗାଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ ମଧ୍ୟ କରିଛନ୍ତି । ଏ ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀଭାଇ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ । ସେମାନେ ଆମ ଅର୍ଥନୀତିର ମେରୁଦଣ୍ଡ । ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ପ୍ରତିଦିନ ତାଙ୍କ ଘରେ ଚାଷୀ ଭାଇଭଉଣୀମାନଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରୁଛନ୍ତି । ଚାଷୀ ଭାଇମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ । କୃଷକମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାରଙ୍କ କୃଷି ବଜେଟ୍‌ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । ସେ କହିଥିଲେ ଯେ କାଳିଆ ଯୋଜନା ଚାଷୀ ଭାଇମାନଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି । ରାଜ୍ୟ ସରକାର ଚାଷୀଭାଇମାନଙ୍କ ଫସଲ ବୀମାର ପ୍ରିମୟମ ପାଇଁ ୬୦୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଉଛି । ରାଜ୍ୟରେ ଜଳସେଚନର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ୫ଟି ଉପକ୍ରମରେ ଜଳସେଚନର ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ ଏବଂ ସୁବର୍ଣ୍ଣରେଖା ପରି ବଡ ବଡ ପ୍ରକଳ୍ପରୁ ଚାଷୀମାନେ ଜଳସେଚନ ସୁବିଧା ପାଉଛନ୍ତି । ଏହା ଛଡା ଗଙ୍ଗାଧର ମେହର ପ୍ରକଳ୍ପ ଓ ଲୋୟର ସୁକତେଲ ପରି ଅନ୍ୟ ବଡ ବଡ ପ୍ରକଳ୍ପ ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସେ କହିଥିଲେ । ନଦୀଗୁଡିକରେ ସବୁଦିନ ପାଣି ମିଳିବାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟର କୃଷି କ୍ଷେତ୍ର ସମୃଦ୍ଧ ହେବ ଏବଂ ଚାଷୀଭାଇଙ୍କର ରୋଜଗାର ବୃଦ୍ଧି ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗାଲିଫ୍ଟର ସୁପରିଚାଳନା ପାଇଁ ଓକାକ୍ ଦ୍ୱାରା ପ୍ରସ୍ତୁତ e-megalift Appର ଲୋକାର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ରାଜ୍ୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏଥିରେ ୨୦୮ଟି ପ୍ରକଳ୍ପ ସଫଳତାର ସହ ଶେଷ ହୋଇଛି ଏବଂ ଏହା ଦ୍ୱାରା ୨,୬୪,୩୩୦ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୭୦ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଏହା ଦ୍ୱାରା ୧,୧୩,୫୪୦ ହେକ୍ଟର ଜମି ଜଳସେଚିତ ହୋଇପାରିବ । କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ କହିଥିଲେ ଯେ ଆଜି ଜଳସମ୍ପଦ ବିଭାଗ ତଥା ଆମ ରାଜ୍ୟ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ । ଢିପ ଅଞ୍ଚଳରେ ପାଣି ଅଭାବ ଯୋଗୁ ଚାଷୀମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିବା ଆମର ଏହି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀଙ୍କର ଦିଗ୍‌ଦର୍ଶନ ଓ ଆନ୍ତରିକତା ଯୋଗୁ ରାଜ୍ୟରେ ଜଳସେଚନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି । ଏ ପ୍ରକଳ୍ପ ଜରିଆରେ ଚାଷୀମାନଙ୍କର ଢିପ ଜମିରେ ଜଳସେଚନ ଠିକ୍ ଭାବରେ ହୋଇ ଜୀବନଧାରଣ ଓ ସାମଗ୍ରୀକ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଯୋଗଦେଇ କହିଥିଲେ ଯେ ଏହି ପ୍ରକଳ୍ପ କାର୍ଯ୍ୟକାରିତା ଯୋଗୁ ତାଙ୍କ ଅଞ୍ଚଳର ଚାଷୀ ଭାଇଭଉଣୀମାନେ ବହୁଳ ଭାବେ ଉପକୃତ ହେବେ ଏବଂ ମୁଖ୍ୟମନ୍ତ୍ରୀ ମେଗାଲିଫ୍ଟ ସ୍ଥାପନ ପାଇଁ କଥା ଦେଇଥିଲେ । କଥା ରଖି ସେ ଏହାକୁ କାମରେ କରି ଦେଖାଇଦେଲେ । ଅଞ୍ଚଳବାସୀ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛନ୍ତି ବୋଲି ସେମାନେ କହିଥିଲେ । କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ଚାଷୀ ଲକ୍ଷ୍ମଣ ବାରିକ ଏବଂ ଢେଙ୍କାନାଳର ବବିତା ପାତ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା ଜରିଆରେ କହିଥିଲେ ଯେ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ଯୋଗୁ ଆମ ଚାଷୀକୂଳର ବହୁତ ଉନ୍ନତି ଘଟିବ ଏବଂ ଆମ ଚାଷଜମିକୁ ପାଣି ଠିକ୍‌ ଭାବରେ ମିଳିବ । ଆମେ ପନିପରିବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଚାଷ କାର୍ଯ୍ୟ ଠିକ୍ ଭାବରେ କରିପାରିବୁ । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିଥିବାରୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ବୋଲି ସେମାନେ କହିଥିଲେ । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଗଣ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.