ଚଳିତ ରବିରେ ଇନ୍ଦ୍ରାବତୀରୁ ୭୬, ୪୩୦ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପରୁ ଚଳିତ ରବି ୨୦୨୫/୨୬ବର୍ଷ ପାଇଁ କଳାହାଣ୍ଡି ଜିଲ୍ଲାର ଛଅଟି ବ୍ଲକର ୩୪୪ ଗ୍ରାମର ୭୬, ୪୩୦ହେକ୍ଟର ଜମିରେ ରବି ଜଳ ସେଚନ ଯୋଗାଇ ଦେବା ପାଇଁ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ଚିଠା ପ୍ରସ୍ତୁତ ହେବା ସହିତ ଆଗାମୀ ସାତ ତାରିଖରୁ ରବି ଜଳ ସେଚନର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ୮୯.୦୧ ପ୍ରତିଶତ ଜଳ ଅର୍ଥାତ ୬୪୦.୮୦ମିଟର ଜଳ ସ୍ତର ରହିଥିବାରୁ ଗତ ବର୍ଷ ତୁଳନାରେ ଅଧିକ ୨୩ ହଜାର ହେକ୍ଟରକୁ ବୃଦ୍ଧି କରାଯାଇ ମୋଟ ୭୬, ୪୩୦ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇ ଥିବା ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ପ୍ରକାଶ କରିଛନ୍ତି । ସଂପୃକ୍ତ ଜଳ ସେଚନ ପରିଧି ମଧ୍ୟରେ ଦକ୍ଷିଣ ମୁଖ୍ୟ କେନାଲ ଡିଭିଜନ ୧ର ୧୨୪ଗ୍ରାମର ୨୦, ୦୭୩ହେକ୍ଟର, ବାମ ମୁଖ୍ୟ କେନାଲ ଡିଭିଜନ ୧ର ୧୩୨ଟି ଗ୍ରାମର ୨୭,୫୦୦.୮୫, ବାମ ମୁଖ୍ୟ କେନାଲ ଡିଭିଜନ ୨ର ୩୬ଟି ଗ୍ରାମର ୧୦, ୦୦୦ହେକ୍ଟର ଓ ମେଗା ଲିଫ୍ଟ କେନାଲର ୫୨ଟି ଗ୍ରାମର ୧୮, ୮୫୫ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି । ଆସନ୍ନ ରବି ଜଳ ସେଚନକୁ ଲକ୍ଷ୍ୟରେ ରଖି ବିଦ୍ୟୁତ୍ ଉତ୍ପାଦନକୁ ମଧ୍ୟ ହ୍ରାସ କରାଯାଇ ହାରାହାରି ଉତ୍ପାଦନ ୫୦ ମେଗାୱାଟରେ ରଖାଯାଇଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଇନ୍ଦ୍ରାବତୀରୁ ଜୟପାଟଣା ବ୍ଲକର ୮୦ଟି ଗ୍ରାମର ୨୦, ୪୫୬ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ସହିତ ଉଠା ଜଳ ସେଚନ ଅଧୀନରେ ଆସୁଥିବା ୪୭ଟି ପ୍ରକଳ୍ପରୁ ଅଧିକ ୭୨୮ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଥିବା ଧର୍ମଗଡ ଉଠା ଜଳ ସେଚନ ବିଭାଗରୁ ସୂଚନା ମିଳିଛି । ରବି ସମୟରେ ସ୍ୱଳ୍ପ ମିଆଦି ଧାନ କିମ୍ବା ରବି ଫସଲ ଚାଷ କରି ବିଭାଗକୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି ।

Leave A Reply

Your email address will not be published.