
- ଅଭୟାକାଳୀ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲା ମଦ
ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକର କୁଟାସିଂହା ଗ୍ରାମରେ ମଦ ସହ ମହୁଲ ପୋଚ ଜବତ ଘଟଣାରେ ୨ ଜଣଙ୍କୁ ଅବକରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବିଗତ କିଛିବର୍ଷ ହେଲା ଲୋଇସିଂହା ଥାନା ସାଲେଭଟ ଫାଣ୍ଡି କୁଟାସିଂହା ଗ୍ରାମରେ ବେଆଇନ ଭାବରେ ମଦ କାରବାର କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ । ଅଭୟାକାଳୀ ଯାତ୍ରାରେ ୭ ଦିନ ପାଇଁ ଗ୍ରାମରେ ମଦ ସହ ମାଛ ମାଂସ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତଥାପି ଏହି ଯାତ୍ରାରେ ପ୍ରବଳ ଭିଡର ସୁଯୋଗ ନେଇ କିଛି ଅସାଧୁ ଲୋକ ଆମିସ ଓ ମଦ ବିକ୍ରି କରୁଥିବାରୁ ଗ୍ରାମରେ ଅସନ୍ତୋଷ ଲାଗି ରହିଥିଲା । ଗତକାଲି କୁଟାସିହାଂର କିଛି ଗ୍ରାମବାସୀ ବାଲପୁର ରାସ୍ତାର ଏକ ଘରେ ଦେଶୀ ମଦ ଓ ମହୁଲ ପୋଚ ଥିବା ଖବରପାଇ ବିଭାଗୀୟ ଅଧିକାରୀମାନଙ୍କୁ ଖବର ଦେଇଥିଲେ । ସାଲେଭଟା ଫାଣ୍ଡି ପୁଲିସ, ଲୋଇସିଂହା ଅବକାରୀ ବିଭାଗ ଓ ସାଲେଭଟା ଇଲେକ୍ଟ୍ରି ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଂଚି ଥିଲେ । ବେଆଇନ ଭାବରେ ନିଶା କାରବାର ଚଳାଇଥିବା ଅଭିଯୋଗରେ ଗ୍ରାମର ୨ ଜଣ ଯୁବକଙ୍କୁ ଅବକାରୀ ବିଭାଗ ଗିରଫ କରିଛନ୍ତି । କୁଟାସିଂହା ଗ୍ରାମରେ ମା’ ଅଭୟାକାଳୀ ଯାତ୍ରା ପାଇଁ ପ୍ରବଳ ଭିଡ ହେଉଥିବାରୁ ଏପରି ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କୁଟାସିଂହା ଗ୍ରାମର ପୂର୍ବ ଦିଗ ବାଲପୁର ରାସ୍ତାର ଏକ ଘରେ ବେଆଇନ ଭାବରେ ବିଦ୍ୟୁତ୍ ସଂଯୋଗ କରି ମଦ ପ୍ରସ୍ତୁତ କରାଯାଉଥିଲା । ୩ଟି ବଡ ପ୍ଲାଷ୍ଟିକ ଟ୍ରମରେ ମଦ ସହ ୬ କ୍ୱିଣ୍ଟାଲ ମହୁଲ ପୋଚ ଜବତ୍ କରିଛନ୍ତି । କୁଟାସିଂହା ଗ୍ରାମର ପରମେଶ୍ୱର ସୁନାଙ୍କ ପୁଅ କୁଞ୍ଜବିହାରୀ ସୁନା ଓ ବ୍ରଜରାଜ ସୁନାଙ୍କୁ ଲୋଇସିଂହା ଅବକାରୀ ବିଭାଗ ଗିରଫ କରିଥିଲା । ବିଭାଗୀୟ ଅଧିକାରୀଙ୍କ ଜ୍ଞାତସାରାରେ ଏପରି ନିଶା କାରବାର ଚାଲିଆସୁଥିବା ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ । କୁଟାସିଂହା ଗ୍ରାମରେ ଚଢାଉ ସମୟରେ ଏଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ଏନେଇ କୌଣସି ସୂଚନା ଦେବାକୁ ମନା କରି ଦେଇଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଥିବା ସାଲେଭଟା ସେକ୍ସନାଲ ଅଫିସର ସନ୍ତୋଷ କୁମାର ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବେଆଇନ ଭାବରେ ବିଦ୍ୟୁତ୍ ସଂଯୋଗ ଥିବା କଥା ସ୍ୱୀକାର କରିଥିଲେ । ତେଣୁ ଏହାର ସଂଯୋଗକୁ ବିଚ୍ଛିନ୍ନ କରି ଦୋଷୀ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଅବକାରୀ ବିଭାଗର ଜ୍ଞାତସାରରେ ଏପରି ନିଶା କାରବାର ଚାଲୁଥିବା ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।