
- ସମ୍ବଲପୁରୀ ସାହିତ୍ୟ ପରିଷଦ ତରଫରୁ ହୃଦମଣି ଜୟନ୍ତୀ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ରୋତର ପ୍ରତିକୂଳରେ ଅଗ୍ରଗତି କରି ପାରୁଥିବା ମଣିଷ ହିଁ ଶୀର୍ଷକୁ ଛୁଇଁପାରେ । ଏଥିପାଇଁ ଅଦମ୍ୟ ଇଛାଶକ୍ତି ସହ ଦୃଢମନା ହେବାକୁ ପଡିଥାଏ । ଏମିତି ଏକ ସଶକ୍ତ ଅଥଚ ସରଳ ବ୍ୟକ୍ତିତ୍ୱର ଅଧିଜାରୀ ଥିଲେ ଭାଷାବିତ ପ୍ରଫେସର ହୃଦମଣି ପ୍ରଧାନ ବୋଲି “ଲୁ ନାଟକ ଆଶ୍ରମ, ପଦ୍ମପୁର” ଠାରେ ଆୟୋଜିତ ୮୫ତମ ହୃଦମଣି ଜୟନ୍ତୀ ସଭାରେ ମତ ପ୍ରକାଶ ପାଇଛି । ସମ୍ବଲପୁରୀ ସାହିତ୍ୟ ପରିଷଦ, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ସମାବେଶରେ ଉପସ୍ଥିତ ସମସ୍ତ ଅତିଥି ଓ ସୁଧୀମଣ୍ଡଳୀ ପ୍ରଥମେ ମାଁ ସମଲେଇଙ୍କ ବନ୍ଦନାପୂର୍ବକ ଦିବଂଗତ ପ୍ରତିଭା ପ୍ର ହୃଦମଣି ପ୍ରଧାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବରିଷ୍ଠ ସାରସ୍ୱତ ସାଧକ ଡ. ସୁବାସ ମେହେରଙ୍କ ସଭାପତିତ୍ୱ ଓ ବରେଣ୍ୟ ନାଟ୍ୟକାର ପ୍ର କେଶରଞ୍ଜନ ପ୍ରଧାନଙ୍କ ସଂଚାଳନରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ସଙ୍ଗୀତଜ୍ଞ ଶରତ ପାଢ଼ୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ପରିଷଦର ସାଧାରଣ ସମ୍ପାଦକ ଭାଷା ଗବେଷକ ଉତ୍ପନ୍ନ କୁମାର ଭୋଇ ଅତିଥିମାନଙ୍କ ପରିଚୟ କରିବା ସହିତ ନିଜର ସ୍ୱାଗତ ଭାଷଣ ମାଧ୍ୟମରେ ହୃଦମଣି ପ୍ରଧାନଙ୍କ ମହନୀୟ ଜୀବନଚର୍ଯ୍ୟା ଓ ସମ୍ବଲପୁରୀ ଭାଷା ପ୍ରତି ରହିଥିବା ତାଙ୍କରି ମମତ୍ତ୍ୱବୋଧ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ପ୍ରାଧ୍ୟାପକ କିଶୋର ମେହେର, ହୃଦମଣିଙ୍କୁ ଗାଁ ଏବଂ ମାଟିର ମଣିଷ ରୂପେ ବର୍ଣ୍ଣନା କରି ମାତୃଭାଷା ସମ୍ବଲପୁରୀ ପ୍ରତି ରହିଥିବା ତାଙ୍କ ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁଶାନ୍ତ ମିଶ୍ର, ସଂଗଠକ ଅଶୋକ ପୂଜାହାରୀ, ଦିଲ୍ଲୀପ କୁମାର ଦେବତା, ଡ. ନାରାୟଣ ଭୋଇ, ଅଧ୍ୟାପକ ସନ୍ତୋଷ ତ୍ରିପାଠୀ, ଡ଼ ରବୀନ୍ଦ୍ର କୁମାର ଗଡତିଆ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ତଥା କ୍ରାନ୍ତି କବି ହରିଲାଲ ସାହୁ, କବି ରାମପ୍ରସାଦ ବାଗ, ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, କବି ସଦାନନ୍ଦ ମେହେର ଓ ସୁଶାନ୍ତ ଭୁସାଗର ନିଜସ୍ଵ ଶୈଳୀରେ କବିତା ମାଧ୍ୟମରେ ପ୍ରତିଭାଙ୍କ ଜୟଗାନ କରିଥିଲେ । ଏହି ଅବସରରେ ଔପନ୍ୟାସିକ ଧନପତି ମହାପାତ୍ରଙ୍କୁ ଚଳିତ ବର୍ଷର ହୃଦମଣି ସମ୍ମାନ ଏବଂ ଅଭିମନ୍ୟୁ ସାହିତ୍ୟ ସଂସଦ ତରଫରୁ ୨୦୨୪ ର ଅଭିମନ୍ୟୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ହୃଦମଣିଙ୍କ ପୁତ୍ରବଧୂ ଲୁଭା ପ୍ରଧାନ ଉପସ୍ଥିତ ରହି ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପଠନ ଓ ଧନ୍ୟବାଦ ଅର୍ପଣ କରିଥିଲେ କଥାକାର ତେଜରୁ ବାରିକ । ଭାଷାର ପ୍ରଚାର ପ୍ରସାର ପାଇଁ ସମଲପୁରି ଗୁଚ୍ଛା ତରଫରୁ ମାନସ ଦାଶଙ୍କ ଓ ନୁଆଁ ସଜାଲ ସାଂସ୍କୃତିକ କୁଟୁମ ତରଫରୁ ଗୌରାଙ୍ଗ ପାଣ୍ଡେଙ୍କ ବହି ପସରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପରିବାରର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।