
କଟକ : ଆଜି ବିଶ୍ୱକପ୍ ହକିର ଉଦ୍ଘାଟନୀ ଉତ୍ସବ । ସାରା ବିଶ୍ୱ କଟକର ଚମକ ଦେଖିବ । ଏହିଭଳି ସ୍ଥିତିରେ ବାଲୁକା ଶିଳ୍ପ ମାଧ୍ୟମରେ ପୁଣି ଏକ ବିଶ୍ୱ ରେକର୍ଡ କରିବାକୁ ଚେଷ୍ଟା କରିଛି କଟକ ଜିଲ୍ଲା ପ୍ରଶାସନ । ଏ ନେଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ‘କଟକ ଇନ୍ କଟକ’ରେ ଏକ ୧୦୫ ଫୁଟ୍ ଲମ୍ବର ହକି ଷ୍ଟିକ୍ ନିର୍ମାଣ କରାଯାଇଛି ଯାହା ବିଶ୍ୱ ରେକର୍ଡ ବୋଲି ଶ୍ରୀ ପଟ୍ଟନାୟକ ଦାବୀ କରୁଥିବା ବେଳେ ଏହାକୁ ବିଭିନ୍ନ ରେକର୍ଡ ପାଇଁ ପଠାଯିବ ବୋଲି ସେ ପ୍ରକାଶ କରିଛନ୍ତି । ବାଲିରେ ୧୦୫ଫୁଟ୍ ଲମ୍ବର ହକି ଷ୍ଟିକ୍ ମାତ୍ର ୨ଦିନରେ ନିର୍ମାଣ କରାଯାଇଛି । ଏହାକୁ ରେକର୍ଡ ତାଲିକାରେ ସାମିଲ୍ କରିବା ପାଇଁ ୫ହଜାର ହକି ବଲ୍ ବ୍ୟବହାର ହୋଇଛି ଯାହା କଟକ ପାଇଁ ଗୌରବର ବିଷୟ । କାରଣ ପୂର୍ବରୁ ବାଲିଯାତ୍ରା ସମୟରେ ଏହି ବାଲୁକା ଶିଳ୍ପରେ ବୋଇତ ଲିମ୍କା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା । ତା ସହିତ ସିଏମ୍ସି ଦ୍ୱାରା କାଗଜ ଡଙ୍ଗା ତିଆରି କରି ମଧ୍ୟ କଟକ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଆଜିର ବାଲୁକା କାରୁକାର୍ଯ୍ୟକୁ କଟକ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଘାଟନ କରାଯାଇଛି ।