ଅନିଶ୍ଚିତ ଅବସ୍ଥାରେ ଆଉଟସୋର୍ସିଂରେ କାର୍ଯ୍ୟରତ ଅଢେଇ ଲକ୍ଷ କର୍ମଚାରୀ, ଠିକା ସଂସ୍ଥା ଦ୍ୱାରା ଶୋଷିତ : ଏଚ୍ଏମ୍ଏସ୍
ଭୁବନେଶ୍ୱର, (କେପିଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ବିଭିନ୍ନ ବିଭାଗରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ଆଉଟସୋର୍ସିଂ ସଂସ୍ଥା ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା କର୍ମଚାରୀ ନିଯୁକ୍ତି ଓ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବାରେ ଅନିୟମିତତା କରାଯାଉଛି ବୋଲି ଏଚ୍ଏମ୍ଏସ୍ ପକ୍ଷରୁ କୁହାଯାଇଛି । ଏଚ୍ଏମ୍ଏସ୍ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଆଉଟସୋର୍ସିଂ କର୍ମଚାରୀମାନେ ଅଭିଯୋଗ କଲେ ଚାକିରିରୁ ବାହାର କରିବା ଧମକ, ମଜୁରୀ ତୋଷରପାତ, ଇପିଏଫ୍ ହଡପ ଏବଂ ବର୍ଷକୁ ୩/୪ ମାସ ଦରମା ନଦେବା, ସୁନ୍ଦରୀ ଯୁବତୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶୋଷଣ କରିବା ପ୍ରଭୃତି ବହୁ ସଂଗୀନ ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଧ୍ୟାନ ଦେଉନାହାନ୍ତି । ଆଉଟସୋର୍ସିଂ କର୍ମଚାରୀମାନଙ୍କ ଅଭିଯୋଗ ଶୁଣିବା ଲାଗି ଅଧିକାରୀମାନଙ୍କ ସମୟ ନାହିଁ । ଏପରି ସ୍ଥଳରେ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖାଲି ଏତିକି ନୁହେଁ ଆଉଟସୋର୍ସିଂ କର୍ମଚାରୀଙ୍କଠାରୁ ନିଯୁକ୍ତି ଆଳରେ ହଜାର ହଜାର ଟଙ୍କା ଆଦାୟ କରିବାରେ ପଛଘୁଞ୍ଚା ଦେଇନାହାନ୍ତି । ଏଥିରୁ ସୁଫଳ ନମିଳିବାରୁ ଶ୍ରମ ବିଭାଗକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି । ନିୟମ ମୁତାବକ ୨୦ରୁ ଅଧିକ ଠିକା କର୍ମଚାରୀ ନିଯୁକ୍ତ କଲେ ଶ୍ରମ ବିଭାଗରୁ ଲାଇସେନ୍ସ ନେବା କଥା । କିନ୍ତୁ ନିଯୁକ୍ତି ପରେ ସଂସ୍ଥା ଅଧୀନରେ କାମ କରୁଥିବା କର୍ମଚାରୀମାନଙ୍କୁ ଠିକ ଭାବେ ଦରମା ନଦେବା, ଇପିଏଫ୍ ଓ ଇଏସ୍ଆଇ ଡିପୋଜିଟ ନକରିବା ଏବଂ ଠିକ ଭାବେ ଦରମା ନଦେବାକୁ ନେଇ ସବୁବେଳେ ଆନ୍ଦୋଳନ ଲାଗି ରହୁଥିଲା । ଏଠାରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳର ସରକାରୀ ଦପ୍ତରରେ ପ୍ରାୟ ଅଢେ଼ଇ ଲକ୍ଷ କର୍ମଚାରୀ ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟ କରୁଛନ୍ତି । ଏପରିକି କେତେକ ସ୍ଥାନରେ ନିଯୁକ୍ତି ପ୍ରଦାନକାରୀ ଠିକା ସଂସ୍ଥାର ପରିବର୍ତ୍ତନ ହେଲେ ପୂର୍ବରୁ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏମାନଙ୍କ ନିଯୁକ୍ତି ସମ୍ପର୍କରେ ସ୍ପଷ୍ଟ ପ୍ରକ୍ରିୟା ନଥିବାରୁ ଏହାର ସୁଯୋଗ ଠିକାଦାରମାନେ ନେଉଛନ୍ତି । ରାଜ୍ୟର ରାଜଧାନୀ କ୍ୟାପିଟାଲ ହସ୍ପିଟାଲ ବର୍ତ୍ତମାନ ୩୭୦ ଜଣ ଠିକା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ସେହିପରି ବ୍ରହ୍ମପୁର ମେଡିକାଲ କଲେଜ ୩୦୦ରୁ ଅଧିକ ଠିକା କର୍ମଚାରୀ ଓ ଗଞ୍ଜାମ ଜିଲାର ବିଭିନ୍ନ ହସ୍ପିଟାଲ ଓ ପୌରସଂସ୍ଥା, ଏନ୍ଏସିରେ ହଜାର ହଜାର କର୍ମଚାରୀ କାର୍ଯ୍ୟ କରୁଥିଲେ ମଧ୍ୟ ସବୁଠି ଅନିଶ୍ଚିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଅନ୍ୟପଟେ ନିଯୁକ୍ତିକାରୀମାନେ କର୍ମଚାରୀଙ୍କୁ ନିଯୁକ୍ତି ଦେବା ବେଳେ ଲକ୍ଷାଧିକ ଟଙ୍କାର କାରବାର କରୁଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଭୟାଭୟ ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜ୍ୟ ହିନ୍ଦ ମଜଦୁ ସଭା (ଏଚ୍ଏମ୍ଏସ୍)ର ଉପସଭାପତି ରବି ରଥ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।