ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ହରିହର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତିଭାମୟୀ ତ୍ରିପାଠୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୃତିତ୍ୱ ହାସଲ କରିଛନ୍ତି । ଚଳିତ ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ରବୀନ୍ଦ୍ର ଭବନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୁରସ୍କୃତ ହୋଇଛନ୍ତି । ବିଦ୍ୟାଳୟରେ ପ୍ରଥମ କରି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ପାଇ ଥିବାରୁ ବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି । ସୂଚନା ଥାଉ କି, ଗତ ୨୦୨୩ରେ ଭୁବନେଶ୍ୱର ସ୍ଥିତ ଡୁନ୍ ଇଣ୍ଟରନେସନାଲ ସ୍କୁଲରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଜ୍ଞାନ କଂଗ୍ରେସରେ ଭାଗ ନେଇ ଜାତୀୟ ସ୍ତରକୁ ମନୋନୀତ ହୋଇଥିଲେ । ଆଞ୍ଚଳିକ ପର୍ବପର୍ବାଣୀ ମଧ୍ୟରେ ଥିବା ବୈଜ୍ଞାନିକ ଭାବଧାରାକୁ ସେ ତାଙ୍କ ପ୍ରକଳ୍ପରେ ଉପସ୍ଥାପନା କରି ପ୍ରଶଂସିତ ହୋଇଛନ୍ତି । ଏହି ପ୍ରକଳ୍ପରେ ତତ୍କାଳୀନ ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ମାର୍ଗ ଦର୍ଶନ ଓ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀଙ୍କ ତତ୍ତ୍ଵାବଧାନ ତଥା ବିଜ୍ଞାନ ଶିକ୍ଷକ ନରେଶ ଦ୍ୱାରୀ ପ୍ରକଳ୍ପ ପ୍ରସ୍ତୁତିରେ ସହଯୋଗ କରି ଏସ୍କର୍ଟ ଶିକ୍ଷକ ଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡୋଳାମଣି ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କୃତିତ୍ୱ ହାସଲ କରିଥିବା ଛାତ୍ରୀଙ୍କ ପିତା ସୁନନ୍ଦ ତ୍ରିପାଠୀ ଓ ମାତା ରିଙ୍କି ତ୍ରିପାଠୀ, ଜିଲ୍ଲା ସଂଯୋଜକ ଆନନ୍ଦ ବଡପଣ୍ଡା, ପରିଚାଳନା କମିଟି ସଭାପତି, ସଦସ୍ୟ ଓ ସଦସ୍ୟା ସାମିଲ ହୋଇଥିଲେ । କୃତି ଛାତ୍ରୀ ପ୍ରତିଭା ମୟୀ ତ୍ରିପାଠୀଙ୍କ ସହଭାଗୀ ଐଶ୍ରୀୟା ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କୃତି ଛାତ୍ରୀ ନିଜର ଅନୁଭୂତିକୁ ଉପସ୍ଥାପନ କରିବା ସହିତ ପରବର୍ତ୍ତୀ ପିଢ଼ିର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ସଭାକୁ ଶିକ୍ଷକ ସଚ୍ଚିଦାନନ୍ଦ ଭୋଇ ସଂଯୋଜନା କରିଥିବା ବେଳେ ହିନ୍ଦୀ ଶିକ୍ଷକ କୃଷ୍ଣ କୁମାର ପୂଜାହାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।