ପୁଲିସ୍ ଇନଫର୍ମର୍ ସନ୍ଦେହରେ ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା ପରେ ଭଣ୍ଡରଙ୍ଗୀ ଅଂଚଳରେ ଆତଙ୍କ : ପୋଲିସ ପ୍ରତି ତୁଟୁଛି ଭରସା, ବେଳ ବୁଡ଼ିଗଲେ ପଡୁଛି ତାଟି କବାଟ
ମ.ରାମପୁର, (ହେମନ୍ତ ସାହୁ) : ବଣ ପାହାଡ଼ରେ ଆପଣା ଆପଣା ସୁଖଦୁଃଖରେ ବେଶ ଆରମ୍ ରେ ଥିଲେ ଆଦିବାସୀମାନେ । କିନ୍ତୁ ଗତ କିଛି ବର୍ଷର ମାଓ କାର୍ଯ୍ୟକଳାପ ପରେ ବିପନ୍ନ ହେଇପଡ଼ିଛି ଜୀବନ । ବଦଳିଯାଇଛି ଜୀବନ ଚର୍ଯ୍ୟା ଓ ଦିନ ଚର୍ଯ୍ୟା । ରାତି ହେଲେ ଜହ୍ନ ଆଲୁଅରେ ନାଚି ନାଚି ବେଦମ ହେଉଥିବା ଆଦିବାସୀ ଆଜି ସଂଜ ହେଉ ହେଉ କବାଟ କିଳୀ ପଶିଯାଉଛି ଘରେ । କଳାହାଣ୍ଡି ଏବଂ କନ୍ଧମାଳ ସୀମାନ୍ତବର୍ତ୍ତୀ ଇଲାକା ଏବେ ମାଓବାଦୀଙ୍କ ଅଭୟ ଆଶ୍ରୟ ଭୂମି ପାଲଟିଛି । ଯଦିଓ ମାଓଦମନ ପାଇଁ ବିଭିନ୍ନ ଯୋଜନା ଚାଲିଛି, ତାହା କିନ୍ତୁ ଯଥେଷ୍ଟ ନୁହେଁ । ଏହି ସବୁ ଅଂଚଳବାସୀଙ୍କ ଜୀବନ ବି ଅସୁରକ୍ଷିତ । ଗୋଟିଏ ପଟେ ମାଓ ଭୟ ରହୁଥିବା ବେଳେ ଆଉ ଗୋଟିଏ ପଟେ ରହିଛି ପୋଲିସର ଭୟ । ମାଓଙ୍କ କାର୍ଯ୍ୟକଳାପକୁ ବିରୋଧ କଲେ ଜୀବନ ବିପନ୍ନ ଏବଂ ପୋଲିସକୁ ବିରୋଧ କଲେ ପୋଲିସର କଡ଼ା ନଜର । ଏହି ଭଳି କିଛି କଥା କହିଛନ୍ତି ଏହି ସବୁ ଇଲାକାର ଲୋକେ ।
ଗତ ଗୁରୁବାର ରାତିରେ କଳାହାଣ୍ଡି-କନ୍ଧମାଳ ସୀମାନ୍ତବର୍ତ୍ତୀ ପଂଚାୟତ ଭଣ୍ଡରଙ୍ଗୀ ସରପଂଚଙ୍କ ପୁତ୍ର ଏବଂ ଗୁଚ୍ଛାଗୁଡ଼ାରେ ଆଉ ଜଣେ ଯୁବକଙ୍କୁ ମାଓବାଦୀମାନେ ନିର୍ମମ ହତ୍ୟା କରିବା ପରେ ଏବେ ଭଣ୍ଡରଙ୍ଗୀ ଅଂଚଳରେ ଖେଳିଯାଇଛି ଆତଙ୍କ । ଏହି ଘଟଣାପରେ ବେଳ ବୁଡ଼ିଗଲେ ପଡ଼ୁଛି ତାଟିକବାଟ । ଏହି ମାଓ ଉପଦୃତ ଅଂଚଳକୁ ଆମ ପ୍ରତିନିଧି ଯାଇ, ମୃତ ଯୁବକଙ୍କ ପିତା ଭଣ୍ଡରଙ୍ଗି ସରପଂଚ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଫେରିଛନ୍ତି । ତେବେ ଉକ୍ତ ରାତିରେ ପ୍ରଥମେ ମାଓବାଦୀମାନେ ରାତି ପ୍ରାୟ ବାରଟା ବେଳେ ଗୁଚ୍ଛାଗୁଡ଼ା ଗ୍ରାମର ହେମନ୍ତ ପାତ୍ରଙ୍କୁ ଗୁଳି କରି ନିର୍ମମ ଭାବରେ ହତ୍ୟା କରିବା ପରେ ସେମାନେ ସରପଂଚଙ୍କ ପୁତ୍ର ଶଙ୍କର ପାତ୍ରଙ୍କୁ ହତ୍ୟା କରିଥିଲେ ।
ଘଟଣା ଦିନ ରାତିରେ ସବୁଦିନ ପରି ଶଙ୍କର ଅନ୍ୟ ତିନିଜଣଙ୍କ ସହିତ ମିଶି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତାଙ୍କରି ଦୋକାନ ଘରେ ଶୋଇଥିଲେ । ରାତି ପ୍ରାୟ ଦୁଇଟା ବେଳେ ସେ ଶୋଇଥିବା ଦେକାନ ଘରର କବାଟ ବାଡେ଼ଇବା ସହିତ ଶଙ୍କର ଶଙ୍କର ବୋଲି ଡ଼ାକିଥିଲେ,କିଛି ବୁଝିବା ଆଗରୁ ଶଙ୍କର କବାଟ ଖୋଲିଥିଲେ ଏବଂ ମାଓବାଦୀମାନେ ତାଙ୍କୁ କାବୁ କରିବା ସହିତ ସେଠାରେ ଥିବା ଶଙ୍କରଙ୍କର ଭିଣୋଇର ପରିଚୟ ପଚାରି ତାଙ୍କୁ ଛାଡ଼ି ଦେଇଥିଲେ । ସେହି କୋଠରୀରେ ପ୍ରାୟ ୧୨ ବର୍ଷର ଆଉ ଦୁଇଜଣ ପିଲା ସେଠାରେ ଶୋଇଥିଲେ । ସେହି ଦୁଇଜଣଙ୍କୁ ମାଓବାଦୀଙ୍କ ଭିତରୁ ତିନିଜଣ ଆଣି ଘରେ ଛାଡ଼ି ଦେଇଥିଲେ । ଶଙ୍କରଙ୍କୁ ସେଠାରୁ ବାହାରକୁ ଆଣି ତା ଭିଣୋଇକୁ ସେହି ଘର ଭିତରେ ରଖି ବାହାରପଟୁ କବାଟ କିଳି ଦେଇଥିଲେ । ମାଓବାଦୀମାନେ ଶଙ୍କରଙ୍କୁ ଧରି ନିଜ ଘରେ ଶୋଇଥିବା ତାଙ୍କ ବାପାଙ୍କୁ ଡାକି ବାହାର କରିବାକୁ କହିଥିଲେ । କିନ୍ତୁ ଶଙ୍କର କୁଆଡେ଼ ମନା କରିଥିଲା । ପରେ ଶଙ୍କରକୁ ସେଠାରୁ ନେଇ ସେ ରହୁଥିବା ଦୋକାନ ଘର ସାମ୍ନାରେ ପଂଚାୟତ ବାଡ଼ ପାଖରେ ହାତଗୋଡ଼ ବାନ୍ଧି ଦଉଡ଼ିରେ ତାର ତଣ୍ଟିକୁ ଚିପି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ମୃତ ଦେହକୁ ସେହିସ୍ଥାନରେ ଛାଡ଼ିଦେଇ ସେମାନେ ପଳାଇ ଯାଇଥିଲେ । ପରେ ତାର ଭିଣୋଇ କୌଣସି ମତେ ଘରୁ ବାହାରି ନିଜ ଘରକୁ ଆସିଥିଲା ଏବଂ ଘଟଣା ସଂପର୍କରେ କହିବା ପରେ ସେମାନେ ପାଖ ଦୁଇ ତିନିଖଣ୍ଡ ଗାଁକୁ ଖୋଜିବାକୁ ଯାଇଥିବା କଥା କହିଛନ୍ତି ମୃତ ସରପଂଚଙ୍କ ପିତା ତଥା ଭଣ୍ଡରଙ୍ଗୀ ସରପଂଚ । ତେବେ ଭୋର ପାଂଚଟାରୁ ଗାଁର ଜଣେ ଲୋକ ସେହି ବାଟଦେଇ ଯାଉଥିବା ସମୟରେ ଶଙ୍କର ର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଦେଖୁ ଦେଖୁ ଗାଁ ଲୋକେ ସମସ୍ତେ ରୁଣ୍ଡ ହୋଇ ଯାଇଥିଲେ । କଥା ପ୍ରଘଟ ହେଇଥିଲା, ଭଣ୍ଡରଙ୍ଗୀ ଅଂଚଳରେ ଦୁଇଜଣ ଯୁବକଙ୍କୁ ମାଓବାଦୀଙ୍କ ହତ୍ୟା କରାଯାଇଛି । ପୋଲିସକୁ ବି ଖବର ଗଲା, କିନ୍ତୁ ପୋଲିସ ଭୟରେ ଘଟଣାସ୍ଥଳକୁ ଆସିଲା ନାହିଁ । ନିଜ ଉଦ୍ୟମରେ ମୃତ ଦେହକୁ ତୁମୁଡ଼ିବନ୍ଧ ନିଆଗଲା । ଦୁଇ ଦୁଇଟି ଜୀବନ ଯିବା ପରେ ମଧ୍ୟ ପୋଲିସ ଯଦି ପହଂଚିପାରିଲା ନାହିଁ, ତେବେ ଆମକୁ କୋଉ ପ୍ରକାର ସୁରକ୍ଷା ଦେଇପାରିବ ବୋଲି ଅଂଚଳବାସୀ ପ୍ରଶ୍ନ କରିଛନ୍ତି ।
ଏଠାରେ ସୂଚନା ଥାଉ କି ଘଟଣାର ଗୋଟିଏ ଦିନ ପୂର୍ବରୁ ସିଆରପିଏଫ୍ମାନେ ଭଣ୍ଡରଙ୍ଗୀଠାରେ ପହଂଚି ପଂଚାୟତରେ ରାତି ରହିବାକୁ ସରପଂଚଙ୍କୁ କହିଥିଲେ । ସରପଂଚ ସେଠାରେ ରହିବା ପାଇଁ ଜାଗା ଦେଇଥିଲେ ଏବଂ ଗୋଟିଏ ଦିନ ପରେ ସେହି କାମ ପାଇଁ ପ୍ରତିଶୋଧ ପରାୟଣ ହେଇ ମାଓ ଭିଆଇଲେ ରକ୍ତ ଖେଳ । ଗତ ସେପ୍ଟେମ୍ବର ନ ତାରିଖରେ ହେଇଥିବା କୁମ୍ବିଂରେ ବି ଏହିମାନଙ୍କ ହାତ ଥିବା ସନ୍ଦେହ କରୁଥିଲେ ମାଓବାଦୀ । କେବଳଳ ସେତିକିନୁହେଁ, ଗତ ସେପ୍ଟେମ୍ବର ମାସ ୯ ତାରିଖରେ କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତବର୍ତ୍ତୀ ଅଂଚଳ ସିର୍କି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହେଇଥିଲା ଗୁଳି ବିନିମୟ । ଯୋଉଠି ଦୁଇଜଣ ଜବାନଙ୍କ ସମେତ ପାଂଚଜଣ ମାଓବାଦୀଙ୍କ ପ୍ରାଣହାନୀ ଘଟିଥିଲା । ତେବେ ସେହି ଘଟଣାପରେ ମାଓବାଦୀଙ୍କ ଶିବିରରେ ଜଳିଥିଲା ପ୍ରତିଶୋଧର ନିଆଁ । ବିଭିନ୍ନ ସମୟରେ ପୋଲିସକୁ ମାଓଦମନରୁ ନିବୃତ ରହିବାକୁ ଚେତାବନନୀ ଦେଇଆସୁଥିଲେ । ଉକ୍ତ ଘଟଣାର ତିନିମାସ ଭିତରେ ମାଓବାଦୀମାନେ ଚଳିତ ବର୍ଷ କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଅଚଂଳରେ ଦେଖାଇଛନ୍ତି ତାଙ୍କରି ପରାକ୍ରମ । ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଭଣ୍ଡରଙ୍ଗୀ ଗ୍ରାମ ପଂଚାୟତରେ ପୋଲିସ ଖବରଦାତା ସନ୍ଦେହରେ ଅତି ନିର୍ମମ ଭାବେର ଦୁଇଜଣ ଯୁବକଙ୍କୁ ହତ୍ୟା କରିଛନ୍ତି ଏବଂ ଏଥି ସହିତ ଅନ୍ୟ ସନ୍ଦିଗ୍ଧ ପୋଲିସ ଇନଫର୍ମରଙ୍କୁ ଚେତାବନୀ ଦେଇଛନ୍ତି ।
ମାରିବା ପରେ ଉଭୟଙ୍କୁ ଫିଙ୍ଗି ଦେଇ ମୃତ ଦେହ ନିକଟରେ ସେମାନେ ସଂଦେଶ ଛାଡ଼ିଛନ୍ତି । ହେମନ୍ତଙ୍କୁ କାହିଁକି ମାରିଲୁ ବୋଲି କହି, ସେପ୍ଟେମ୍ବର ୯ ସିର୍କି ଜଙ୍ଗଲରେ ବିଳ୍ପବୀଙ୍କୁ ମାରିବା କ୍ଷେତ୍ରରେ ଏଇମାନେ ପୋଲିସକୁ ସମସ୍ତ ସୂଚନା ଦେଇଥିଲେ ଏବଂ ପୋଲିସକୁ ଆଣି ଦେଖାଇ ଆକ୍ରମଣ କରାଇଥିଲେ ଓ ପୋଲିସ ଇନଫର୍ମର ଭାବରେ କାମ କରୁଥିବା ଅନ୍ୟମାନଙ୍କୁ ବି ଆମେ ଜାଣିଛୁ, ଯଦି ସେମାନେ ପନ୍ଦର ଦିନ ଭିତରେ ଜନ ଅଦାଲତରେ ସରେଣ୍ଡର ନ କରନ୍ତି, ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ । ଏମାନଙ୍କ ମୃତ୍ୟୁ ପାଇଁ ନବୀନ ସରକାର ଦାୟୀ, ପୋଲିସ ଡ଼ିିଜି ଅଭୟ ଓ ଗୋଇନ୍ଦା ଆଇଜି ଅର.କେ. ଶର୍ମା ଦାୟୀ । ଏହି ଅଂଚଳର ବେଶୀ ଗୋଁଣ୍ଡ ପିଲା ଭୁଲ ବୁଦ୍ଧିରେ ପଡ଼ି ପୋଲିସ ଇନଫର୍ମର ବନି ବିଳ୍ପବୀଙ୍କ ବିରୋଧରେ ଯାଉଛନ୍ତି । ତେଣୁ ଗୋଣ୍ଡ ସମାଜକୁ ଆମର ନିବେଦନ ଗୋଁଣ୍ଡ ପିଲାମାନଙ୍କୁ ସୁଧାରି ଠିକ୍ ବାଟରେ ଆଣନ୍ତୁ ବୋଲି ଉଲ୍ଲେଖ ଥିବା ମାଓ ହାତଲେଖା ପୋଷ୍ଟର ଛାଡ଼ିିଯାଇଛନ୍ତି, ଯେଉଁଠି ବାଘୁନା ଡ଼ିଭିନନାଲ କମିଟୀ, ସିପିଆଇ(ମାଓବାଦୀ) ବୋଲି ଲେଖା ଯାଇଥିଲା ।
ଏଠରେ ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତରେ ଗତ ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖରେ ହେଇଥିବା ମାଓବାଦୀ ଓ ପୋଲିସ ଗୁଳିବିନିମୟ ସିର୍କି ନିକଟରେ ଥିବା ଅଠାଲ ଡଙ୍ଗରରେ ହୋଇଥିଲା ଏବଂ ସେହି ସମୟ ମଧ୍ୟରେ କଳାହାଣ୍ଡି କନ୍ଧମାଳ ଅଂଚଳରେ ୧୨ ଜଣ ମାଓବାଦୀ ନିହତ ହେବା ପରେ ମାଓ କ୍ୟାମ୍ପ ଏକ ପ୍ରକାର ଦୁର୍ବଳ ହୋଇ ପଡ଼ିଥିବା କୁହାଯାଉଥିଲା । ତେବେ ଏହି ହତ୍ୟକାଣ୍ଡ ପରେ ମାଓବାଦୀମାନେ ରକ୍ତମୁଖା ହେବା ସହିତ ପ୍ରତିଶୋଧ ପରାୟଣ ହେଇଛନ୍ତି ବୋଲି କୁହାଯାଉଛି । କଳାହାଣ୍ଡି-କନ୍ଧମାଳ ସୀମାନ୍ତବର୍ତ୍ତି ଇଲାକା, ଯାହାକି ଏବେ ମାଓବାଦୀଙ୍କ ଭୂସ୍ୱର୍ଗ ପାଲଟିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବାରବନ୍ଧା ପଂଚାୟତ ଯାହାକି ମ.ରାମପୁର ଠାରୁ ୧୬ କିଲୋମିଟର ଦୂରରେ ରହିଥିବା ବେଳେ ବାରବନ୍ଧା ପଂଚାୟତଠାରୁ ଏହି ପଂଚାୟତ ତଥା କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଗାଁ ଲୁଣ୍ଡ୍ରୁବାରୁ ରହିଛି ୭ କିଲୋମିଟର ଦୂରରେ । ସେଠାରୁ ୨ କିଲୋମିଟର ପରେ ପଡେ଼ କନ୍ଧମାଳ ଜିଲ୍ଲାର ପ୍ରଥମ ଗାଁ ସିନ୍ଦେରପଡ଼ା । ସିନ୍ଦେରପଡ଼ାରୁ ଏକ କିଲୋମିଟର ପଡେ଼, ଚାଉଳଧୁଆ ନଦୀ ପାରି ହୋଇ ଯିବାକୁ ପଡ଼ିଥାଏ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଭଣ୍ଡରଙ୍ଗୀ ପଂଚାୟତ । ଅଠାଲ ଡଙ୍ଗର ମଝିରେ ମାଓ କ୍ୟାମ୍ପ ରହିଥିଲା ଏବଂ ପୋଲିସ ପାଖରେ ଗୁଇନ୍ଦା ବିଭାଗର ସୂଚନା ପରେ ସର୍ଚ୍ଚ ଅପରେସନ ସହିତ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହେଇଥିଲା । କିଛି କ୍ଷଣ ଲାଗି ରଣକ୍ଷେତ୍ର ପାଲଟିଥିଲା ଅଠାଲ ଡଙ୍ଗର । ସେହିଦିନର ସେହି ଭୟଙ୍କର ଗୁଳି ବିନିମୟ ମନରୁ ନଲିଭୁଣୁ ଦୁଇ ଯୁବକଙ୍କୁ ହତ୍ୟା କରିବା ପରେ ଏବେ ସଂପୂର୍ଣ୍ଣ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ଦେଖାଯାଇଛି ।