ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ଅତି ନିର୍ମମ ଓ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଘଟଣାଟି ଘଟିଛି, ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ । ଏବେ ଏହି ହୃଦୟ ବିଦାରକ ଘଟଣା ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ଫେଲ୍ ମାରିଲା ଗୋଇନ୍ଦା ସୂଚନା । ଘଣ୍ଟା ଘଣ୍ଟା ଧରି ଗ୍ରାମରେ ମୃତ୍ୟୁଦଣ୍ଡର ତାଣ୍ଡବ ଚାଲିଥିବା ବେଳେ ଏ ସମ୍ପର୍କରେ ବିନ୍ଦୁ-ବିସର୍ଗ ଭଳି ସୂଚନା ଟିକିଏ ବି ପୋଲିସ ପାଖରେ ପହଞ୍ଚି ପାରିଲାନି । ତେବେ ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟରେ ମୃତ୍ୟୁଦଣ୍ଡ ଦେଲା ଭଳି ଉକ୍ତ ଗ୍ରାମର ଅସାମାଜିକ ଗୋଷ୍ଠୀ ମାରିମାରି ଲୋକଟିର ପ୍ରାଣ ନେଇଯାଇଛନ୍ତି ।
ଗଞ୍ଜାମ ପୋଲିସ ଜିଲ୍ଲା ହେଡ଼କ୍ୱାଟର ଛତ୍ରପୁର ଡ଼ିଆଇବି ଡ଼ିଏସ୍ପିଙ୍କ ସହ ଯୋଗାଯୋଗ ବେଳେ ଏସମ୍ପର୍କରେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ମୃତ ଲୋକଙ୍କ ପରିବାରର ଅଭିଯୋଗ କ୍ରମେ କେସ୍ ନମ୍ବର ୩୩୩, ତା.୧୮ / ୫ / ୨୦୨୩ରେ ୩୦୨, ୨୦୧, ୩୩୪ ମକଦ୍ଧମା ରୁଜୁ ହୋଇଛି । ଏଥିରେ ୫ଜଣ ଗିରଫ ହୋଇଛନ୍ତି । ମୃତକ ଜଣକ ହେଲେ ପୁରୀ ଜିଲ୍ଲାର ବାରୁଆପଡ଼ା ଗ୍ରାମର ବାହୁଡା ସାହୁ (୪୦) ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।