ମାଛ ମରାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା ଘାଟଣାରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଆମ୍ବପାଲି ଗାଁରେ ମାଛ ମରାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଥିଲା । ମୃତ ମହିଳାଙ୍କ ନାମ ଜାନକୀ ମହାନନ୍ଦ (୪୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଘଟଣାଟି ଘଟିଥିଲା ଗତ ୩୧ତାରିଖ ଅପରାହ୍ନ ସମୟରେ । ଜାନକୀ ମାଛ ମାରିବା ପାଇଁ ଯାଇଥିବା ବେଳେ ସେହି ଗାଁର ପୁଷ୍କର ଗହୀର(୩୫) ନାମକ ଜୈନିକ ଯୁବକ ଚାଷ ଜମିରେ ପାଣି ଛାଡି ଦେବା ପରେ ଜାନକୀ ମାଛ ମାରି ନ ପାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୁଷ୍କର ରାଗି ଯାଇ ଧାନ କଟା ଦାଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଜାନକୀ ଅଚେତ ଅବସ୍ଥାରେ ପଡି ରହିଥିଲେ । ସନ୍ଧ୍ୟାରେ ପରିବାର ଲୋକେ ଖବର ପାଇ ଚାଷ ଜମିରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜାନକୀଙ୍କୁ ଉଦ୍ଧାର କରି ସଇଁତଲା ଡାକ୍ତରଖାନାରେ ଭର୍ତି କରିଥିଲେ । ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କ ତତ୍ତ୍ୱାବଧାନରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁ, ବଲାଙ୍ଗିର ସାଇଣ୍ଟିପିକ ଟିମ୍‌ ଓ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଏଥିରେ ଆମ୍ବପାଲି ଗାଁର ପୁଷ୍କର ଗହୀରଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବା ପରେ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.